Home Top News ରାଜ୍ୟସଭା ପରେ ପ୍ରଥମ ଓ ଶେଷ ଅଦଳବଦଳ

ରାଜ୍ୟସଭା ପରେ ପ୍ରଥମ ଓ ଶେଷ ଅଦଳବଦଳ

129

ଓଡିଶାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି। ଓଡିଶା ଭାରତ ବର୍ଷର ଏପରି ଗୋଟିଏ ରାଜ୍ୟ ଯେଉଁଠି ମନ୍ତ୍ରୀମଣ୍ଡଳ ଗଠନ ହେବା ପର ଦିନ ଠାରୁ ଅଦଳବଦଳ ଚର୍ଚ୍ଚା ଆରମ୍ଭ ହୁଏ। ମାତ୍ର ବାସ୍ତବରେ ଏହା ଘଟେ ନାହିଁ। ଆଉ ଏକ ଘଟଣା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଦିଲ୍ଲୀ ଗସ୍ତରେ ଯାଆନ୍ତି, ସେଠାରୁ ଫେରିଲା ପରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରନ୍ତି। ଏହା ମଧ୍ୟ ଶୁଣିବାକୁ ମିଳେ ଯେ, ସେ ଦିଲ୍ଲୀରେ ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟାଙ୍କ ସହିତ ବିଚାର ବିମର୍ଷ କରି ମନ୍ତ୍ରୀମଣ୍ଡଳର ରୂପରେଖ ପ୍ରସ୍ତୁତ କରନ୍ତି। ଏହାର ମଧ୍ୟ କୌଣସି ବାସ୍ତବତା ନଥାଏ। ମନ୍ତ୍ରୀମଣ୍ଡଳ ଅଦଳବଦଳ ସଂପୂର୍ଣ୍ଣ ରୂପେ କାର୍ଯ୍ୟ ଦକ୍ଷତା, ପ୍ରଶାସନିକ ଓ ଗୁଇନ୍ଦା ହସ୍ତକ୍ଷେପ ଆଧାରରେ କରାଯାଇଥାଏ। ତେଣୁ ଆସନ୍ତା ରାଜ୍ୟସଭା ନିର୍ବାଚନ ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ନେଇ ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡିଛି। ୨୦୨୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ତା ପୂର୍ବରୁ ଏହା ହେବ ନବୀନଙ୍କ ପଂଚମ ପାଳିର ପ୍ରଥମ ଓ ଶେଷ ଅଦଳବଦଳ।

ଆସନ୍ତା ମନ୍ତ୍ରୀମଣ୍ଡଳ ଅଦଳବଦଳରେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ବିଭିନ୍ନ ମିଡିଆରେ ପ୍ରକାଶ ପାଉଛି। ମାତ୍ର ଏହା କେତେ ଦୂର କାର୍ଯ୍ୟକାରୀ ତାହା ଏକ ପ୍ରଶ୍ନବାଚୀ। କାରଣ ବଡମ୍ବା ନିର୍ବାଚନମଣ୍ଡଳୀର ପାଖ ନିର୍ବାଚନମଣ୍ଡଳୀ ହେଉଛି ଆଠଗଡ। ଏହାର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବେ ମନ୍ତ୍ରୀ ଅଛନ୍ତି। ପାଖାପାଖି ଦୁଇଟି ନିର୍ବାଚନ ମଣ୍ଡଳୀରୁ ଦୁଇ ଜଣ ମନ୍ତ୍ରୀ ହେଲେ ଜନସାଧାରଣଙ୍କ ପାଖକୁ ଖରାପ ବାର୍ତ୍ତା ଯିବ। ମାତ୍ର ୨୦୦୦ ମସିହାରେ ଯେତେବେଳେ ବିଜେଡି-ବିଜେପି ଗଠବନ୍ଧନ ସରକାର ପ୍ରଥମେ ଜିତିକରି ଆସିଲେ, ସେହି ସମୟରେ ଉଭୟ ଦେବୀ ମିଶ୍ର ଓ ରାଜା ସ୍ୱାଇଁ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। ଦେବୀ ମିଶ୍ର ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଯୁବ ଜନତା ସଭାପତି ଥିଲେ। ତେଣୁ ସେ ମନ୍ତ୍ରୀ ହେଲେ। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସେହି ବର୍ଷ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଆଠଗଡରେ ହରାଇଥିଲେ ତେଣୁ ସେ ମନ୍ତ୍ରୀ ହେଲେ। ମାତ୍ର ଏବେ ସେ ଜମାନା ନାହିଁ। ଏବେ ଏହି ଦୁଇ ଜଣ ହେଉଛନ୍ତି ଦଳର ବରିଷ୍ଠତମ ନେତା। ଏବେ ସେମାନଙ୍କ ଆଗାମୀ ପିଢୀଙ୍କୁ ସାମନାକୁ ଆଣିବା ପାଇଁ ଦଳ ଭିତରେ ଯୋଜନା ଚାଲିଛି। ବାସ୍ତବ ରୂପରେଖ ୨୦୨୪ରେ ପ୍ରତିଫଳିତ ହେବ ଏଥିରେ ସନ୍ଦେହ ନାହିଁ। ମାତ୍ର ଏ ଦୁଇ ଜଣଙ୍କୁ ଏବେ ଅସନ୍ତୋଷ କରିବାର ଯୋଜନା ନାହିଁ। ତେଣୁ ଏ ଦୁଇ ଜଣଙ୍କୁ ରାଜ୍ୟସଭା ଓ ବାଚସ୍ପତି ଅଫର ଦିଆ ଯାଇଛି ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ଜଣା ପଡିଛି। ଯିଏ ବି ଜଣେ ଏହି ଦୁଇ ପ୍ରସ୍ତାବରୁ ଗୋଟିଏରେ ରାଜି ହେବ ଆର ଜଣକ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବ।

ଆଉ କିଛି ମନ୍ତ୍ରୀଙ୍କ ବେକରେ ଖଣ୍ଡା ଝୁଲୁଛି ଏବଂ ଏମାନେ ବିଦା ହେବେ ବୋଲି ବିଭିନ୍ନ ମିଡିଆରେ ବାରମ୍ବାର ଖବର ପ୍ରକାଶପାଉଛି। ଯଥା ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ତୁଷାରକାନ୍ତି ବେହେରା, ସୁଶାନ୍ତ ସିଂ, ଟୁକୁନି ସାହୁ, ସୁଦାମ ମାରାଣ୍ଡି, ଜଗନ୍ନାଥ ସାରକା, ପଦ୍ମିନି ଦିଆନ ପ୍ରମୁଖ। ମାତ୍ର ଏମାନଙ୍କ ମଧ୍ୟରୁ ପ୍ରତାପ ଜେନା ଓ ଅରୁଣ ସାହୁ ଦଳ ପାଇଁ ଆସେଟ ବୋଲି ଦଳ ଓ ହାଇକମାଣ୍ଡ ହୃଦୟଙ୍ଗମ କରି ସାରିଛନ୍ତି। ଏମାନେ ତୃଣମୂଳସ୍ତରର ନେତା ବୋଲି ନିଜକୁ ପ୍ରମାଣିତ କରି ସାରିଲେଣି। ବର୍ଷତମାମ ଲୋକଙ୍କ ପାଖରେ ରହୁଛନ୍ତି। ବିନା ବାଧା ବିଘ୍ନରେ ପଂଚାୟତ ଓ ପୌର ନିର୍ବାଚନରେ ନିଜ ନିର୍ବାଚନମଣ୍ଡଳୀରେ ବିଜେଡି ପତାକା ଉଡାଇଛନ୍ତି। ବିପଦବେଳେ ଏମାନେ ଦଳର କ୍ରାଇସେସ୍ ମ୍ୟାନେଜର ବୋଲି ଏମାନଙ୍କୁ କୁହାଯାଉଛି। ହଁ ବେଶୀ ଦରକାର ପଡିଲେ ଆଭ୍ୟନ୍ତରୀଣ ଇର୍ଶ୍ୱାଭାବ ସକାଶେ ଏହି ଦୁଇ ମନ୍ତ୍ରୀଙ୍କ ବିଭାଗ ବଦଳି ପାରେ। ବାକି ଯାହା ଖବର ପ୍ରକାଶ ପାଉଛି କିଛି ମନ୍ତ୍ରୀଙ୍କ ସକାଶେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତୀରେ ଦାଗ ଲାଗିଛି ଏବଂ ସେମାନେ ବିଦା ହେବେ। ଏ ଖବର ମଧ୍ୟ ଉଡା। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ ରାଜ୍ୟ ଓ ସମଗ୍ର ଦେଶ ପାଇଁ ଗୋଟିଏ ଉଦାହରଣ। ମନ୍ତ୍ରୀମଣ୍ଡଳ ଅଦଳବଦଳ ସହିତ ଏହାର କୌଣସି ସଂଯୋଗ ନାହିଁ।

କାର୍ଯ୍ୟ ଦକ୍ଷତାର ମାପକାଠି ହିସାବରେ ପଦ୍ମିନୀ ଦିଆନ, ଜଗନ୍ନାଥ ସାରକା, ସୁଦାମ ମାରାଣ୍ଡି, ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ ପ୍ରମଖଙ୍କୁ ମନ୍ତ୍ରୀ ପଦରୁ ହଟା ଯିବାର ପ୍ରସ୍ତାବ ରହିଛି। କିଛି ମନ୍ତ୍ରୀଙ୍କର ବିଭାଗ ଅଦଳବଦଳ ହୋଇପାରେ। ଏଥର ବେଶୀ ଫୋକସ ରହିଛି ପଶ୍ଚିମ ଓଡିଶା। ତେଣୁ ପଶ୍ଚିମ ଓଡିଶାର ଯୋଗ୍ୟ ବିଧାୟକ ମାନଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି। ଏମାନଙ୍କ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ ଚାଲିଛି। ଆଗାମୀ କିଛିଦିନ ଭିତରେ ଦଳୀୟ ସ୍ତରରେ ମନ୍ତ୍ରୀମଣ୍ଡଳର ଏକ ଗୁପ୍ତ ତାଲିକା ପ୍ରସ୍ତୁତ ହୋଇଯିବ। ତେଣୁ ରାଜ୍ୟସଭା ଝାମେଲା ସରିଗଲେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ଏଥିରେ କୌଣସି ଦ୍ୱିମତ ନାହିଁ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.