Home ଜିଲ୍ଲା ପରିକ୍ରମା ରନ୍ଧନ ଗ୍ୟାସ, ଖାଇବା ତେଲ ଓ ବଜାର ଦର ବୃଦ୍ଧି ପ୍ରତିବାଦ, ଭଦ୍ରକ ବିଧାନସଭା ମହିଳା...

ରନ୍ଧନ ଗ୍ୟାସ, ଖାଇବା ତେଲ ଓ ବଜାର ଦର ବୃଦ୍ଧି ପ୍ରତିବାଦ, ଭଦ୍ରକ ବିଧାନସଭା ମହିଳା ବିଜେଡିର ବିକ୍ଷୋଭ, ଶୋଭାଯାତ୍ରା ଓ ପ୍ରତିବାଦ ସଭା

35

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶକୀୟ ସାମଗ୍ରୀ ସହ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ବଜାର ଦର ଅହେତୁକ ଦରବୃଦ୍ଧି ନେଇ ଭଦ୍ରକ ବିଧାନସଭା କ୍ଷେତ୍ର ମହିଳା ବିଜେଡି ପକ୍ଷରୁ ଆଜି ପୂର୍ବାହ୍ନରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଏକ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶହ ଶହ ସଂଖ୍ୟାରେ ମହିଳା ବିଜେଡି କର୍ମୀମାନେ ହାତରେ ଗ୍ୟାସ ସିଲିଣ୍ଡର ଓ ପ୍ଲା-କାର୍ଡ ଧରି ଦରଦାର ବୃଦ୍ଧି ପାଇଁ କେନ୍ଦ୍ର ସରକାରକୁ ଦାୟୀ କରି ବିଭିନ୍ନ ନାରାବାଜି କରି ଶୋଭାଯାତ୍ରାରେ ବାହାରିଥିଲେ । ମହିଳାମାନଙ୍କ “ନରେନ୍ଦ୍ର ମୋଦୀ ହାୟ ହାୟ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ମହିଳା ବିଜେଡ଼ିର ଏହି ବିଶାଳ ସମାବେଶ ଗାନ୍ଧୀ ପଡିଆ ନିକଟରୁ ବାହାରି ସହର ପରିକ୍ରମା କରିବା ପରେ ଜ଼ିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭାରେ ଏକତ୍ରିତ ହୋଇଥିଲେ । ଏହି ପ୍ରତିବାଦ ସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଉପସ୍ଥିତ ରହି କେନ୍ଦ୍ର ସରକାର ବାରମ୍ବାର ରନ୍ଧନ ଗ୍ୟାସ ଓ ପେଟ୍ରୋଲ ଦର ବଢାଇବା ସହ ଖାଇବା ତେଲ ତଥା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରି ସାଧାରଣ, ଗରିବ ଓ ଶ୍ରମଜୀବୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଲେଣି ବୋଲି କହିବା ସହ କଟୁ ସମାଲୋଚନା କରିଥିଲେ । ଭଦ୍ରକ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଦେବୀଦତ୍ତା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତଲତା ନାୟକ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ବିଜେଡିନେତ୍ରୀ ତାହେରା ଖାତୁନ, ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତି ନାୟକ, ଟାଉନ ମହିଳା ବିଜେଡି ସଭାନେତ୍ରୀ ଦେବହୂତୀ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷା ଜ୍ୟୋସ୍ନାମଞ୍ଜରୀ ରାଉତ, ଜିଲ୍ଲା ମହିଳା ବିଜେଡି ଉପସଭାନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର ପ୍ରମୁଖ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଓ ଦରବୃଦ୍ଧିର କଡା ପ୍ରତିବାଦ କରିଥିଲେ । ଶେଷରେ ଭଦ୍ରକ ମହିଳା ବିଜେଡି ପକ୍ଷରୁ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.