Home Top News ରଥାରୁଢ଼ ଶ୍ରୀ ବିଗ୍ରହଙ୍କ ସୁନାବେଶ :୧୫ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ – ୧୩୮ପ୍ରକାର ସ୍ଵର୍ଣ୍ଣ ଅଳଙ୍କାରରେ ଝଲସିଲେ...

ରଥାରୁଢ଼ ଶ୍ରୀ ବିଗ୍ରହଙ୍କ ସୁନାବେଶ :୧୫ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ – ୧୩୮ପ୍ରକାର ସ୍ଵର୍ଣ୍ଣ ଅଳଙ୍କାରରେ ଝଲସିଲେ ମହାପ୍ରଭୁ

96
ଫାଇଲ ଫଟୋ

ପୁରୀ ୧୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରବିବାର ରଥାରୁଢ଼ ଶ୍ରୀବିଗ୍ରହଙ୍କ ରାଜ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଅନୁକୂଳ ପାଗ ହେତୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବାପାଇଁ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଝଲସି ଥିଲେ ମହାପ୍ରଭୁ। ଶ୍ରୀଜୀଉମାନଙ୍କୁ ପ୍ରାୟ ୧୩୮ପ୍ରକାର ସ୍ଵର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯାଇଛି। ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ରଥ ପର୍ଯ୍ୟନ୍ତ ସ୍ଵତନ୍ତ୍ର ବାରିକେଡ ନିର୍ମାଣ କରାଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ବାରିକେଡ ମଧ୍ୟରେ ଯାଇ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରୁଛନ୍ତି।

ସୁନାବେଶ ପାଇଁ ସକାଳ ୭ ଟା ୪୦ ମିନିଟରେ ରଥାରୂଢ଼ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି କରାଯାଇ ମଇଲମ୍, ଅବକାଶ, ଗୋପାଳ ବଲ୍ଲଭ, ସକାଳଧୁପ୍, ମହାସ୍ନାନ, ସର୍ବାଙ୍ଗ ହୋଇ ୨ଟା ୪୫ ମଧ୍ୟରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା। ପରେ ସନ୍ଧ୍ୟା ଆଳତି ବଢ଼ି ମହାପ୍ରଭୁଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଥିଲା। ଅପରାହ୍ନରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଭଣ୍ଡାର ଘରୁ ସ୍ଵର୍ଣ୍ଣ ଅଳଙ୍କାର ଅଣାଯାଇ ରଥ ଉପରେ ରଖା ଯାଇଥିଲା। ପାଳିଆ ପୁଷ୍ପାଳକ, ମେକାପ ଓ ଖୁଣ୍ଟିଆ ସେବକ ମହାପ୍ରଭୁଙ୍କୁ ସୁବର୍ଣ୍ଣ ବେଶରେ ସଜ୍ଜିତ କରିଥିଲେ। ଆଧରବଳା ଓ ଦୁଇଭୂଜ ରେ ବଳା ଲାଗି ପରେ ଠାକୁରଙ୍କୁ ଅଳଙ୍କାର ଲାଗି କରାଯାଇଥିଲା।

ଶ୍ରୀ ବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରିଭୂଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ କାନି, ଘାଗଡା ମାଳି, କଦମ୍ବ ମାଳି, ତିଳକ, ଅଳକା, ଝୋବା କଣ୍ଠି, ହଳ ମୁଷଳ, ବାହାଡା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଓ କମର ପଟି ଲାଗି କରାଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ଦୁଇଟି ତଡ଼ଗି, ଓ ସେବତୀ ମାଳି ଲାଗି କରାଯାଇଥିଲା।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀପୟର, ଶ୍ରିଭୂଜ୍, କିରୀଟ, ଓଡ଼ିଆଣି, ଚନ୍ଦ୍ର ସୂର୍ଯ୍ୟ, କାନ, ଆଡକାନି, ଘାଗଡା ମାଳି, ତାବିଜ୍ ମାଳି, କଦମ୍ବ ମାଳି, ହରିଡା କଦମ୍ବ ମାଳି, ବାହାଡା ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠୀ, ସ୍ଵର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ଓ ତ୍ରି ଖଣ୍ଡିକା କମରପଟି ଲାଗି କରାଯାଇଥିଲା।

ବର୍ଷକ ମଧ୍ୟରେ ୫ଥର ସୁନାବେଶ ମଧ୍ୟରୁ ୪ଥର ଶ୍ରୀମନ୍ଦିରରେ ଏବଂ ଥରେ ରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ।ଏହି ବେଶକୁ ବଡ ତଢାଉ ବେଶ ମଧ୍ୟ କୁହାଯାଏ। ୧୬୬୦କ୍ଷ୍ରୀଷ୍ଟାବ୍ଦ ରେ ଗଜପତି କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତ ଜୟ କରି ୧୬ଟି ହାତୀ ପିଠିରେ ବିପୁଳ ଧନ ରତ୍ନ ଆଣି ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ। ବଡ ତଢ଼ାଉ ସେବକଙ୍କ ଅନୁରୋଧ କ୍ରମେ କପିଳେନ୍ଦ୍ରଦେବ ଏହି ବେଶ ଆରମ୍ଭ କରିଥିଲେ।

ରାତ୍ରି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଶ୍ରୀଜୀଉ ମାନେ ଶ୍ରଦ୍ଧାଳୁଙ୍କୁ ସୁବର୍ଣ୍ଣ ବେଶରେ ଦର୍ଶନ ଦେବେ। ସନ୍ଧ୍ୟାରୁ ରାତ୍ରି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରୁଛନ୍ତି।

ସୁନାବେଶ ପାଇଁ ପୁରୀରେ ୧୦୦୦ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୭୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ ବିଶାଲ ସିଂ ପ୍ରମୁଖ ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି। ବେଶ ଓଲାଗୀ ପରେ ରଥ ଉପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ବଢିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.