Home ଓଡ଼ିଶା ରଥଯାତ୍ରା ପ୍ରସ୍ତୁତି ବୈଠକ; ଛେରା ପହଁରାକୁ ନେଇ ବିବାଦ

ରଥଯାତ୍ରା ପ୍ରସ୍ତୁତି ବୈଠକ; ଛେରା ପହଁରାକୁ ନେଇ ବିବାଦ

535

କୋରାପୁଟ ୦୬-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚଳିତ ରଥଯାତ୍ରାରେ ୩ ଟି ରଥ ନିର୍ମାଣ ହୋଇଥିବା ବେଳେ କିପରି ରଥଯାତ୍ରା ସୁରୁଖୁରୁରେ ସଂପନ୍ନ ହେବ ସେଥି ନିମନ୍ତେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଏଡିଏମ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ୩ଟି ରଥ ଗଡିବା ପାଇଁ କୋରାପୁଟ ବଡଦାଣ୍ଡ ଓସାରିଆ ହୋଇଯାଇଛି କିନ୍ତୁ କଂକ୍ରିଟ ରାସ୍ତାରେ ବିଦ୍ୟୁତ ପୋଲ ରହିଥିବାରୁ ଅସୁବିଧା ହେବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ପ୍ରକାଶ କରିଥିଲେ। ତୁରନ୍ତ ବିଦ୍ୟୁତ ପୋଲ ରଥଯାତ୍ରା ପୂର୍ବରୁ କାଢିଦେବାକୁ ଉପସ୍ଥିତ ଜାତୀୟ ରାଜପଥର ସହକାରୀ ଯନ୍ତ୍ରୀଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ। ୩ ଟି ରଥର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ସୁଭାଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳା ଭକ୍ତମାନେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିକରି ନେବେ ବୋଲି ଶ୍ରୀ ପରିଡା ସୂଚନା ଦେଇଥିଲେ। ଜୁନ ୧୭ ତାରିଖ ସୋମବାର ଦିନ ସ୍ନାନ ଯାତ୍ରା, ଜୁଲାଇ ୩ ରେ ନେତ୍ରୋତ୍ସବ ଓ ଜୁଲାଇ ୪ ତାରିଖ ଦିନ ରଥଯାତ୍ରା ଅନୁଷ୍ଟିତ ହେବ। ତେଣୁ ସହରର ସମସ୍ତ ଅଧିକାରୀ ତଥା ଜନସାଧାରଣ ସହଯୋଗ କରିବାକୁ ସେ ନିବେଦନ କରିଥିଲେ। କୋରାପୁଟରେ ରଥଯାତ୍ରା ହେବା ଦିନଟାରୁ ଶବର ସଂପ୍ରଦାୟ ବ୍ୟକ୍ତି ହିଁ ଛେରା ପହଁରା କରିଥାନ୍ତି। ଯେହେତୁ ଚଳିତ ରଥାଯାତ୍ରାରେ ୩ ଟି ରଥ ଅଛି କିଏ ଛେରା ପହଁରା କରିବେ ବୋଲି ଉପସ୍ଥିତ ସଭ୍ୟ /ସଭ୍ୟାମାନଙ୍କ ମତାମତ ଲୋଡିଥିଲେ। ଉପସ୍ଥିତ ସଭ୍ୟମାନେ ପରମ୍ପରା ଅନୁଯାୟୀ ଶବରମାନେ ହିଁ ଛେରା ପହଁରା କରନ୍ତୁ ବୋଲି ମତ ରଖିଥିଲେ। କିନ୍ତୁ ବୈଠକରେ ତାଳଧ୍ୱଜ ରଥକୁ ଜିଲ୍ଲାପାଳ ଓ ଦର୍ପଦଳନ ରଥକୁ ଏସପି ଛେରାପହଁରା କରିବେ ବୋଲି ନିଷ୍ପତି ନିଆଯାଇଥିଲା। ଏହାପରେ ସଭ୍ୟ ତଥା ସହରର ଅନେକ ବ୍ୟକ୍ତି ଏହା ପରମ୍ପରା ଭଙ୍ଗ ହେଉଛି ବୋଲି ଅଭିଯୋଗ କରିଥିଲେ। ଏହି ବୈଠକରେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ମନ୍ଦିର ପରିଚାଳନା କମିଟିର ଜଗବନ୍ଧୁ ସାମଲ, ସୁଧାକର ପଟ୍ଟନାୟକ, ଭିମସେନ ଜେନା, ଅରୁଣ କୁମାର ଦାଶ, ଶକ୍ତି ପଣ୍ଡା, ସି.ଏଚ.ସାନ୍ତାକାର, ପ୍ରକାଶ କର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଟୁଲିମ୍ମା ପ୍ରଧାନ, ଏସଡିପିଆରଓ, ଜଗନ୍ନାଥ ପ୍ରସାଦ ରାଜଗୁରୁ, କୋରାପୁଟ ସଦର ଥାନା ଭାରପ୍ରାପ୍ତ ନିରୀକ୍ଷକ ସମର୍ପିତା ସ୍ୱାଇଁ, କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ, ବାସୁଦେବ ଛତ୍ରିଆ, ପୋଲିସ ଆରଆଇ ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, କୋରାପୁଟ ବିଡିଓ ନରେନ୍ଦ୍ର ନାୟକ, କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟ୍ଟନାୟକ, ପିଡବ୍ଲୁଡିର ସହକାରୀ ଯନ୍ତ୍ରୀ ଶରତ ପାତ୍ର, ଅଧ୍ୟାପକ ରବି ଶତପଥି, ଅବକାରୀ ଅଧିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ପରିବହନ ଅଧିକାରୀ ପି.କେ.ଦାସ, ଉଦ୍ୟାନବିତ ପି.କେ.ସେଠୀ, କୋରାପୁଟ ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ଖୁଟିଂଆ, କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମ ଥର ପାଇଁ ମନ୍ଦିର ବାହାରେ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ବୈଠକକୁ ସମସ୍ତ ଅଧିକାରୀ ଓ ସାମ୍ବାଦିକମାନଙ୍କୁ ଡାକୁଥିଲେ। ପୂର୍ବ ବୈଠକ ମନ୍ଦିର ପରିସରରେ ହେଉଥିଲା ଓ ଅନେକ କ୍ଷେତ୍ର କର୍ମଚାରୀ ଅନୁପସ୍ଥିତ ରହୁଥିବା ନଜର ଥିବାରୁ ଓ ଚଳିତ ରଥଯାତ୍ରାରେ ୩ ଟି ରଥ ଟଣାହେବାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଦ୍ୱାରା ବୈଠକ ଯାଇଥିଲା ବୋଲି ଜଣେ ସଭ୍ୟ କହିଥିଲେ। ରଥଯାତ୍ରା ପାଇଁ ଯେଉଁ ଅଧିକାରୀମାନଙ୍କ ଦାୟିତ୍ୱ ନାହିଁ ସେହି ଅଧିକାରୀମାନଙ୍କୁ ବୈଠକକୁ ଡକାଯାଇଥିବା ଦେଖିବାକୁ ମିଳିଥିଲା।

ପରମ୍ପରା ଅନୁଯାୟୀ ଦାସୀ ନାୟକ ପ୍ରତ୍ୟେକ ରଥଯାତ୍ରାରେ ଛେରା ପହଁରା କରୁଥିଲେ ବୋଲି ପ୍ରେସ କ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ମତ ରଖିଥିଲେ। କାହିଁକି ପରମ୍ପରାକୁ ବଦଳେଇ ପ୍ରଶାସନିକ ଅଧିକାରୀ ଛେରା ପହଁରା କରିବେ ବୋଲି ସେ ପ୍ରଶ୍ନ କରିଥିଲେ। ତିନୋଟି ରଥରେ ଦାସି ନାୟକ ହିଁ ଛେରା ପହଁରା କରନ୍ତୁ ବୋଲି ସେ ମତ ରଖିଥିଲେ। କୌଣସି ପରମ୍ପରା ଭଙ୍ଗ ହୋଇନାହିଁ ବୋଲି ସଂପାଦକ ଗଦାଧର ପରିଡା ସାମ୍ବାଦିକମାନଙ୍କୁ ସୂଚାଇଥିଲେ। ଦାସି ନାୟକ ତିନୋଟି ରଥରେ ଛେରା ପହଁରା କରିପାରିବେ ନାହିଁ ବୋଲି କହିଥିଲେ ଓ ସେ ଏହା ମଧ୍ୟ କହିଥିଲେ ଆଉ ଦୁଇଟି ରଥର ଛେରା ପହଁରା ଏସପି ଓ ଜିଲ୍ଲାପାଳ କରନ୍ତୁ ବୋଲି ଶ୍ରୀ ପରିଡା ପ୍ରକାଶ କରିଥିଲେ। ଶବର ସଂପ୍ରଦାୟର କେଉଁ ଦୁଇ ବ୍ୟକ୍ତି ଆସିବେ ତାହା ଚିହ୍ନଟ କରିବା ମୁସ୍କିଲ ବୋଲି ସେ ସୂଚନା ଦେବା ସହ ଜିଲ୍ଲାପାଳ ତାଳଧ୍ୱଜ ରଥ ଓ ଏସପି ଦର୍ପଦଳନ ରଥର ଛେରା ପହଁରା କରିବେ ଏବଂ ନନ୍ଦିଘୋଷ ରଥର ଛେରାପହଁରା ଶବର ସଂପ୍ରଦାୟର ଦାସି ନାୟକ ହିଁ କରିବେ ବୋଲି ସେ ପ୍ରକାଶ କରିଥିଲେ। ଛେରା ପହଁରାକୁ ନେଇ ଆଗକୁ କୌଣସି ଅସୁବିଧା ଦେଖାଦେଲେ ପରବର୍ତ୍ତି ବୈଠକରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏଡିଏମ ଦେବେନ କୁମାର ପ୍ରଧାନ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.