Home ଓଡ଼ିଶା ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି – ଆଜି ସନ୍ଧ୍ୟାରେ ତୁମ୍ବରେ...

ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି – ଆଜି ସନ୍ଧ୍ୟାରେ ତୁମ୍ବରେ ବିନ୍ଧ ଖୋଳା କାର୍ଯ୍ୟ ଆରମ୍ଭ ହେବା ସୂଚନା

182

ପୁରୀ, ୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜୁନ୍ ମାସ ୨୩ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ରଥ ନିର୍ମାଣ କାର୍ଯ୍ୟ ଗତକାଲି ସକାଳୁ ରଥଖଳାରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀଫଳ ବାଡିଆ ଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରଥମ ଦିନ ତୁମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଭୋଇ ସେବାୟତମାନେ କାଠ ଯୋଗାଇ ଦେବା ପରେ କରତି ସେବାୟତ କାଠ କାଟି ତୁମ୍ବ ନିର୍ମାଣ ପାଇଁ ମହାରଣା ସେବାୟତଙ୍କୁ ଯୋଗାଇଥିଲେ। ଆଜି ସନ୍ଧ୍ୟା ସମୟରେ ତୁମ୍ବରେ ବିନ୍ଧ ଖୋଳାଯିବ ବୋଲି ସୂଚନା ରହିଛି।

ଯେହେତୁ ରଥ ନିର୍ମାଣ କାର୍ଯ୍ୟ ୧୨ଦିନ ପଛେଇ ଯାଇଛି ସେହି ଅନୁଯାୟୀ ସମସ୍ତ ରଥ ନିର୍ମାଣରେ ନିୟୋଜିତ ସେବାୟତମାନେ ମହାପ୍ରଭୁଙ୍କର ରଥ କାର୍ଯ୍ୟ କିପରି ଶୀଘ୍ର ଶେଷ କରିବେ ସେଥିପାଇଁ ଲାଗିପଡିଛନ୍ତି। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଭୋଇ ସେବାୟତ ଓ ବିଶ୍ୱକର୍ମା ସେବାୟତଙ୍କୁ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ରଥଖଳାରେ ପହଂଚି କିପରି କୋଭିଡ-୧୯ର ନିୟମ ପାଳନ କରି କାର୍ଯ୍ୟ କରିବେ ସେ ଦିଗରେ ଡାକ୍ତରୀ ଦଳ ସେମାନଙ୍କୁ ହାତଧୋଇବା, ମୁହଁରେ ମୁଖା ବାନ୍ଧିବା ଆଦି ସଂପର୍କରେ ସଚେତନତା କରାଇଥିଲେ। ରଥଖଳାକୁ ମଧ୍ୟ ସାନିଟାଇଜେସନ କରାଯାଇଥିଲା। ଭୋଇ ସେବାୟତ ଓ ବିଶ୍ୱକର୍ମା ସେବାୟତଙ୍କୁ ନୀଳାଦ୍ରି ଭକ୍ତ ନିବାସରେ ରଖିବା ନିମେନ୍ତ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଛି ଏବଂ ସେମାନଙ୍କୁ ପ୍ରତ୍ୟେକ ଦିନ ଭକ୍ତ ନିବାସରୁ ରଥଖଳାକୁ ବସଯୋଗେ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ସ୍ୱାସ୍ଥ୍ୟ ପରୀକ୍ଷା ଟିମ୍ ଗଠନ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ପ୍ରତ୍ୟେକ ଦିନ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବାୟତ ମାନଙ୍କୁ ରଥଖଳାରେ ପହଂଚିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ଦେହର ଉତାପ ମପାଯିବ। ଯଦି କାହାର କୌଣସି ଲକ୍ଷଣ ବାହାରେ ତାଙ୍କୁ ଅଲଗା ରଖାଯିବାର ବ୍ୟବସ୍ଥା କରାଯିବ।

ରଥ ନିର୍ମାଣ କାର୍ଯ୍ୟରେ ସେବାୟତମାନଙ୍କ ପରିବାରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଅନ୍ୟ ସେବାୟତମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ପରୀକ୍ଷା କରାଯିବ। ସେବାୟତ ଓ ତାଙ୍କ ପରିବାର ଯେପରି ସୁସ୍ଥ ରହିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି। ଭଉଁରୀ ଦିନ ତିନିରଥର ଦୁଇଟି ଲେଖାଏଁ ଚକ ଅଖ ସହ ଯୋଡାଯାଇ ଡେରା ଯିବାର ବିଧି ରହିଛି। ସେଥିନିମେନ୍ତ ବିଶ୍ୱକର୍ମା ସେବାୟତମାନେ ମହାପ୍ରଭୁଙ୍କର ଏହି ନୀତିକୁ କିପରି ପାଳନ କରିବେ ସେଥିପାଇଁ ଜୋରସୋରରେ ଲାଗିପଡିଛନ୍ତି।

ରଥ ନିର୍ମାଣରେ ନିୟୋଜିତ ସେବାୟତମାନେ ଦିନକୁ ୧୯ଘଂଟା କାର୍ଯ୍ୟ କରୁଛନ୍ତି। ମାତ୍ର ୫ଘଂଟା ବିଶ୍ରାମ ନେଉଛନ୍ତି। ସେମାନଙ୍କୁ ଏହି ୫ଘଂଟା ହୋମ କ୍ୱାରେଟାଂଇନରେ ରହିବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରାଯାଇଛି।

ଘୋଷଯାତ୍ରା ସଂପର୍କରେ ବରିଷ୍ଠ ଦଇତାପତି ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମହାପ୍ରଭୁଙ୍କ ଇଚ୍ଛାରେ ଘୋଷଯାତ୍ରା ନିଶ୍ଚିତ ଭାବରେ ସଫଳ ହେବ। ଇଛାମୟ ଠାକୁର ଭକ୍ତଙ୍କ ଇଛା ପୂରଣ କରିବ। ରଥଖଳାରେ ଆଜି ୬ଟି ତୁମ୍ବ ନିର୍ମାଣ ଶେଷ ହେବା ସହ ସୂତା ବାଡିଆ କାର୍ଯ୍ୟ ଶେଷ ହୋଇଛି। ସନ୍ଧ୍ୟା ସମୟରେ ବିନ୍ଧ ବାଡିଆ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.