Home ଓଡ଼ିଶା ରଥଖଳାରେ ନିର୍ମାଣ କାର୍ଯ୍ୟ ଅପରାହ୍ନରୁ ବନ୍ଦ – ୧୯ ଓ ୨୦ ଦୁଇଦିନ ରଥ ନିର୍ମାଣ...

ରଥଖଳାରେ ନିର୍ମାଣ କାର୍ଯ୍ୟ ଅପରାହ୍ନରୁ ବନ୍ଦ – ୧୯ ଓ ୨୦ ଦୁଇଦିନ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ

200

ପୁରୀ, ୧୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରଥ ଖଳାରେ ୧୯ ଓ ୨୦ ଦୁଇଦିନ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଥିଲା। ଅପର ପକ୍ଷରେ ସକାଳୁ ରଥଖଳାରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ବର୍ତମାନ ସୁଦ୍ଧା ସମସ୍ତ ୪୨ଟି ତୁମ୍ବର ବିନ୍ଧକାମ ଶେଷ ହୋଇଛି। ନନ୍ଦିଘୋଷ ରଥର ୯ଟି ଚକ ଶେଷ ହୋଇଥିବା ବେଳେ ମା ସୁଭଦ୍ରାଙ୍କ ରଥର ୭ଟି ଚକ ଶେଷ ହୋଇଛି ଏବଂ ବଳଭଦ୍ରଙ୍କ ରଥ ୮ଟି ଚକ ସଂପୂର୍ଣ୍ଣ ହୋଇଛି। ବର୍ତମାନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକର ପଇ ବିନ୍ଧ ହୋଇ ଲାଗି ହେଲାଣି। ତୁମ୍ବରେ ଅର ସହ ସଂଯୋଗ ପାଇଁ କିଳା ହଣା ଚାଲିଛି। ପ୍ରତ୍ୟେକ ରଥ ପାଇଁ ଅଖ ହଣା କାର୍ଯ୍ୟ ଆରମ୍ଭ ହୋଇଛି। ନୃସିଂହ ଚତୁଃର୍ଦ୍ଦଶୀଠାରୁ ରୂପକାର ସେବକ ବଡ ନିଷ୍ଠାର ସହ ରଥଖଳାରେ ମାହାର୍ଦ୍ଦ ରଖି ନଡ଼ିଆ ବାଡେଇ ଅନୁକୂଳ ପୂର୍ବକ ଗୁଜରେ ସିଂହ ବରାଳ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥାନ୍ତି। ବର୍ତମାନ ସୁଦ୍ଧା ନନ୍ଦିଘୋଷ ରଥର ୧୬ଟି ଗୁଜ ମଧ୍ୟରୁ ୬ଟି ସଂପୂର୍ଣ୍ଣ ହୋଇଛି। ଏବଂ ୪ଟି ର ଅଧା ହୋଇଛି। ବାକିଗୁଡିକରେ ନକ୍ସା କାମ ଚାଲିଛି। ମଝି ରଥର ଗୁଜରେ ସିଂହ ବରାଳ ଖୋଦେଇ କାମ ୫ଟି ସରିଥିବା ବେଳେ ୪ଟିର କାର୍ଯ୍ୟ ଚାଲିଛି ଏବଂ ୩ଟି ଗୁଜରେ ସିଂହ ବରାଳ ନକ୍ସା ଅଙ୍କା ଚାଲିଛି। ବଡରଥର ୧୬ଟି ଗୁଜ ମଧ୍ୟରୁ ୬ଟି ଗୁଜରେ ସିଂହବରାଳ ଖୋଦେଇ କାର୍ଯ୍ୟ ସରିଥିବା ବେଳେ ୬ଟି ଗୁଜରେ ସିଂହବରାଳ ଖୋଦେଇ ଚାଲିଛି ଏବଂ ୪ଟିରେ ନକ୍ସା ପ୍ରସ୍ତୁତ ହେଉଛି। ଅନ୍ୟାନ୍ୟ ରୂପ ଖୋଦେଇ ଯଥା ନରବିରାଳ, ଗଜ ବିରାଳ, ସିଂହ ବିରାଳ ଇତ୍ୟାଦି ସ୍ନାନପୂର୍ଣ୍ଣିମା ପରେ କରାଯାଏ ବୋଲି ରୂପକାର ସେବକଙ୍କଠାରୁ ପ୍ରକାଶ ଦୋଳବେଦୀଠାରେ ସ୍ଥାପିତ ଅସ୍ଥାୟୀ ଶାଳରେ ଓଝା ସେବକଙ୍କ ଦ୍ୱାରା ତିନିରଥ ପାଇଁ ବଳା ୮୪ଟି, ପନ୍ଦାର ୮୪ଟି, ଅରକଂଟା ୧୩୪୪ଟି, ଦଣ୍ଡାକଂଟା ୪୦୦ ପରେ ତିମ୍ବ ପାଇଁ ପଜାଉ ଚାବି ୧୬୮ଟି ଆବଶ୍ୟକ ଥିବାବେଳେ ସବୁଥିରୁ ୫୦ଟି ଲେଖାଏଁ ତିଆରି ହୋଇଥିବା ଓଝା ସେବକ ଦାଶରଥୀ ଏବଂ ଅର୍ଜୁନ ମହାରଣାଙ୍କଠାରୁ ସୂଚନା ମିଳିଅଛି। ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣର ସଂପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏବଂ ସମସ୍ତେ ସୁସ୍ଥଥିବା ଜଣାଯାଇଛି। ୧୯ଓ ୨୦ ଦୁଇଦିନ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିଷ୍ପତି ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.