Home ଓଡ଼ିଶା ରଣପୁର ରେ ବିନା ଭକ୍ତ ରେ ସ୍ନାନବେଦି ରେ ପ୍ରଭୁଙ୍କ ଗଜାନନ ବେଶ

ରଣପୁର ରେ ବିନା ଭକ୍ତ ରେ ସ୍ନାନବେଦି ରେ ପ୍ରଭୁଙ୍କ ଗଜାନନ ବେଶ

134

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୬- ନୟାଗଡ ଜିଲ୍ଲା ରଣପୁରଗଡ ରେ ୧୫୫୭ ସାଲ ର ରାଜା ପଦ୍ମନାଭ ନରେନ୍ଦ୍ର ଙ୍କ ସମୟରୁ ବାର ମାସ ରେ ତେର ଯାତ୍ରା ଅନୁଷ୍ଠିତ ହୋଇଆସୁଅଛି । ତେର ଯାତ୍ରା ମଧ୍ୟରେ ପ୍ରଥମ ଯାତ୍ରା ହେଉଛି ମଂଚେ ସ୍ନାନ ଅର୍ଥାତ ସ୍ନାନ ପୁର୍ଣ୍ଣିମା । ଏହି ସ୍ନାନ ପୁର୍ଣ୍ଣିମା ରେ ପ୍ରଭୁ ରତ୍ନ ବେଦୀ ରୁ ସ୍ନାନ ବେଦୀ କୁ ଆସି ସ୍ନାନ କରିଥାନ୍ତି । ଚଳିତ ବର୍ଷ କରୋନା ଦ୍ୱିତୀୟ ଲହର କୋଭିଡ୍ କଟକଣା କୁ ନେଇ ସୀମିତ ସେବାୟତ ଙ୍କ ଦ୍ୱାରା ବିନା ଭକ୍ତରେ ପ୍ରଭୁ ସ୍ନାନ ବେଦୀ ରେ ସ୍ନାନ ପରେ ଗଜାନନ ବେଶ କରାଯାଇଥିଲା । ଗତ ୨୩ ତାରିଖ ରାତ୍ର ୧୦ ଘଟିକା ସମୟରୁ ଚାରମାଳ ବନ୍ଦା ଯାଇଥିଲା । ୧୨ ଘଟିକା ସମୟରୁ ରାତ୍ର ୩ ଘଟିକା ପର୍ଯ୍ୟନ୍ତ ସେନାପଟା କରାଯାଇଥିଲା । ରାତ୍ର ୩ ଘଟିକା ପରେ ମଙ୍ଗଳାର୍ପଣ କରାଯାଇ ଚକାଛାଡ୍ କରାଯାଇଥିଲା ।

ସୁଦର୍ଶନ ଙ୍କ ସମେତ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରା ଗୋଟି ପହଣ୍ଡି ରେ ସ୍ନାନ ମଣ୍ଡପ କୁ ବିଜେ କରିଥିଲେ । ଗତ ୨୩ ତାରିଖ ରୁ ମନ୍ତ୍ରିତ ହୋଇଥିବା ଶ୍ରୀମନ୍ଦିର କୂପ ଜଳ କୁ ସୁଗନ୍ଧିତ କରାଇ ପଢିଆରୀ ମାନେ ସ୍ନାନ ମଣ୍ଡପ କୁ ଆଣିଥିଲେ । ସେହି ୧୦୮ ସୁଗନ୍ଧିତ ମନ୍ତ୍ରିତ ଜଳ ରୁ ଜଗନ୍ନାଥ ଙ୍କୁ ୩୫ କୁମ୍ଭ , ବଳଭଦ୍ର ଙ୍କୁ ୩୩ କୁମ୍ଭ , ସୁଭଦ୍ରା ଙ୍କୁ ୨୨ କୁମ୍ଭ ଓ ସୁଦର୍ଶନ ଙ୍କୁ ୧୮ କୁମ୍ଭ ଜଳ ସମୁଦାୟ ୧୦୮ କୁମ୍ଭ ଜଳ କୁ ଚାରିବାଡ ରେ ସ୍ନାନ କରାଯାଇଥିଲା । ତା ପରେ ପ୍ରଭୁଙ୍କୁ ଚନ୍ଦନ ଲାଗି କରାଯାଇଥିଲା । ଚନ୍ଦନ ଲାଗି ପରେ ନୂତନ ବସ୍ତ୍ର ପରିଧାନ କରାଯାଇ ଗଜାନନ ବେଶ କରାଯାଇଥିଲା । ଗଜାନନ ବେଶ ପରେ ଅବକାଶ କରାଯାଇ ବଲ୍ଲଭ ନୀତି କରାଯାଇଥିଲା । ଶେଷ ରେ ମଂଚେ ସ୍ନାନ ନୀତି କରାଯାଇ ଶୁଖୁଲି ଭୋଗ କରାଯାଇଥିଲା । ରାତ୍ର ୭ ଘଟିକା ସମୟରେ ସ୍ନାନ ବେଦୀ ରୁ ଗୋଟି ପହଣ୍ଡି ରେ ଅନବସର ଗୃହ କୁ ବିଜେ କରିବେ । ସେଠାରେ ସକାଳ ଧୂପ , ମଧ୍ୟାନ୍ନ ଧୂପ , ସଂନ୍ଧ୍ୟା ଆଳତି ପରେ ପଟି ଠାକୁର ବିଜେ କରିବେ ବୋଲି  ଶ୍ରୀ ମନ୍ଦିର ପରିଚାଳକ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.