Home ଜିଲ୍ଲା ପରିକ୍ରମା ରଘୁନାଥପୁର ଗ୍ରାମରାସ୍ତା ଉପରେ ଗୃହନିର୍ମାଣ, ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ରଘୁନାଥପୁର ଗ୍ରାମରାସ୍ତା ଉପରେ ଗୃହନିର୍ମାଣ, ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

24

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବିରୋଳି ରାଜସ୍ୱ ସର୍କଲର ରଘୁନାଥପୁର ମୌଜା ଗ୍ରାମରାସ୍ତାକୁ ଅବରୋଧ କରି ଏକାଧିକ ଗୃହନିର୍ମାଣ କରାଯାଉଛି । ଏଥିନେଇ ଗ୍ରାମବାସୀମାନେ ବାରମ୍ବାର ରାଜସ୍ୱ ନିରୀକ୍ଷକ ଓ ତହସିଲଦାରଙ୍କୁ ଅଭିଯୋଗ କରୁଛନ୍ତି । ମାତ୍ର କାର୍ଯ୍ୟାନୁଷ୍ଠାନ ବଦଳରେ ଏହାର ରଫାଦଫା ପାଇଁ ତହସିଲ ପକ୍ଷରୁ ପରାମର୍ଶ ଦିଆଯାଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମର ୭୯୮ନଂ ଖାତ ଅନ୍ତର୍ଗତ ୯୨, ୧୨୮, ୧୩୨, ଓ ୧୩୪ନଂ ପ୍ଲଟ ସର୍ବସାଧାରଣ ରାସ୍ତା କିସମ ଗ୍ରାମରାସ୍ତା ଉପରେ ଗ୍ରାମର ଶ୍ରୀପତି ବଳ, ପରମାନନ୍ଦ ବଳ, ବେଣୁଧର ବଳ, ଅନନ୍ତ ବୋଇତାଇ, ସନାତନ ମାଝୀ, ବୈକୁଣ୍ଠ ମହାନ୍ତି, ଧର୍ମେନ୍ଦ୍ର ମହାନ୍ତି ମିଳିତ ଭାବେ ଗୃହ ନିର୍ମାଣ କରୁଛନ୍ତି । ଏହା ଦ୍ୱାରା ରାସ୍ତା ଅବରୋଧ ହେବା ସହ ଗ୍ରାମବାସୀଙ୍କ ସ୍ୱାଭାବିକ ଚଳପ୍ରଚଳ ପ୍ରତି ବାଧାସୃଷ୍ଟି କରୁଛି । ଏ ସମ୍ପର୍କରେ ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ନିଳମଣି ବୋଇତାଇ, ସରୋଜ କୁମାର ନାୟକ, ମହେନ୍ଦ୍ର ପ୍ରଧାନ, କମଳାକାନ୍ତ ମହାରଣା, ପ୍ରମୋଦ ରାଉତ, ଆକାଶ ନାୟକ ପ୍ରମୁଖ ଅଭିଯୋଗ କରିଥିଲେ । ତହସିଲଦାରଙ୍କ ଠାରୁ ନିର୍ଦ୍ଦେଶ ପାଇ ରାଜସ୍ୱ ନିରୀକ୍ଷକ କେବଳ ଏକ ନୋଟିସ ଝୁଲାଇ ନିଜ କର୍ତ୍ତବ୍ୟ ଶେଷ କରିଦେଇଥିଲେ । ଏଥିରେ ଉତ୍ସାହିତ ହୋଇ ଅବରୋଧକାରୀମାନେ ଗୃହନିର୍ମାଣ କାର୍ଯ୍ୟ ସ୍ୱାଭାବିକ ଭାବେ ଚଳାଇଛନ୍ତି ବୋଲି ଗ୍ରାମବାସୀମାନେ ପାଲଟା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.