Home ଓଡ଼ିଶା ରଘୁନାଥପୁର-ଗୋବିନ୍ଦପୁରକୁ ସଂଯୋଗ କରୁଥିବା ବାଉଁଶପୋଲ ଉପରେ ବିପଦପୂର୍ଣ୍ଣ ଭାବରେ ଯାତାୟତ କରୁଛନ୍ତି ଲୋକ, ହନୁମନ୍ତିଆ ନାଳ...

ରଘୁନାଥପୁର-ଗୋବିନ୍ଦପୁରକୁ ସଂଯୋଗ କରୁଥିବା ବାଉଁଶପୋଲ ଉପରେ ବିପଦପୂର୍ଣ୍ଣ ଭାବରେ ଯାତାୟତ କରୁଛନ୍ତି ଲୋକ, ହନୁମନ୍ତିଆ ନାଳ ଉପରେ ନୂତନ ପୋଲ ନିର୍ମାଣ ଦାବି

216

କେନ୍ଦୁଝର, ୨୧ା୧୦(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତର ରଘୁନାଥପୁର ଓ ଗୋବିନ୍ଦପୁରର ସଂଯୋଗୀକରଣ ରାସ୍ତା ଉପରେ ଥିବା ଏକ ବାଉଁଶପୋଲ ଉପରେ ଜନସାଧାରଣ ବିପଦସଂକୁଳ ଅବସ୍ଥାରେ ଯାତାୟତ କରିଥାନ୍ତି। ସେହି ପୋଲ ଉପରେ ଗୋରୁଗାଈ, ଛେଳି, ସାଇକେଲ ଏପରିକି ମଟରସାଇକେଲ ଯିବା ଆସିବା କରୁଥିବାରୁ ଅଧିକାଂଶ ସମୟରେ ଦୂର୍ଘଟଣା ଘଟୁଛି। ଗୋରୁ ଗାଈଙ୍କର ଗୋଡ ବାଉଁଶ ଫାଙ୍କରେ ପଶି ଜନସାଧାରଣ ହଇରାଣ ହରକତ ହେଉଛନ୍ତି। ଗୋବିନ୍ଦପୁର ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ରଘୁନାଥପୁରଠାରେ ଅବସ୍ଥିତ। ନେଙ୍କଡାଘର, ଗୋବିନ୍ଦପୁରର ଛାତ୍ରଛାତ୍ରୀ ମଧ୍ୟ ରଘୁନାଥପୁରଠାରେ ଥିବା ବିଦ୍ୟାଳୟକୁ ଯାଇ ପାଠ ପଢିଥାନ୍ତି। ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଡଙ୍ଗାରେ ବିପଦପୂର୍ଣ୍ଣ ଭାବରେ ଯାତାୟତ କରନ୍ତି। ଚଳିତ ବର୍ଷ ପଞ୍ଚାୟତ ପକ୍ଷରୁ ଏକ ବାଉଁଶପୋଲ ନିର୍ମାଣ କରାଯାଇଛି। ଏହି ଅଣ ଓସାରିଆ ବାଉଁଶ ପୋଲ ଉପରେ ଜନସାଧାରଣ, ଗୋରୁଗାଈ, ଛେଳିମେଣ୍ଢା ଚରାଇବା ପାଇଁ ରଘୁନାଥପୁର ଜଙ୍ଗଲକୁ ମଧ୍ୟ ଯାଇଥାନ୍ତି। କିନ୍ତୁ ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜେ କାନ୍‌ଝାରୀ ଡ୍ୟାମ୍‌କୁ ହନୁମନ୍ତିଆ ନାଳ-ନେଙ୍କଡାଘର, ନରଣପୁର ସଂଯୋଗ କରିଥିବା ଏହି ନାଳଟି। ଏହି ନାଳ ଦେଇ ଉପରମୁଣ୍ଡରୁ ବହି ଆସୁଥିବା ପାଣି ଡ୍ୟାମରେ ପଶି ଡ୍ୟାମ୍‌ର ଜଳରାଶି ବୃଦ୍ଧିରେ ସାହାଯ୍ୟ କରିଥାଏ। କିନ୍ତୁ ଏହି ନାଳରେ ପାଣି ଆସୁଥିବାରୁ ଲୋକମାନେ ଏହି ରାସ୍ତାରେ ଯିବା ଆସିବା କରିପାରନ୍ତି ନାହିଁ। ତେଣୁ ପଞ୍ଚାୟତ ପକ୍ଷରୁ ୨୦ହଜାର ଟଙ୍କା ବ୍ୟୟରେ ଏକ ବାଉଁଶ ପୋଲ ନିର୍ମାଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତିି ରଘୁନାଥପୁର ସରପଞ୍ଚ ଅଭିମନ୍ୟୁ ଦେହୁରୀ। ଏହି ପୋଲ ବ୍ୟତୀତ ରାସ୍ତାଟି ଅଣଓସାରିଆ ଜଙ୍ଗଲ ମଧ୍ୟରେ ହୋଇଥିବାରୁ ଲୋକମାନେ ବେଳେବେଳେ ହାତୀ ହାବୁଡରେ ପଡିଥାନ୍ତି। ଏହି ରାସ୍ତା ମରାମତି ସହ ବାଉଁଶପୋଲ ବଦଳରେ କଂକ୍ରିଟ ପୋଲ ନିର୍ମାଣ କରିବା ପାଇଁ ଗୋବିନ୍ଦପୁରବାସୀ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଛନ୍ତି। ପୋଲ ପାଇଁ ୧ କୋଟିରୁ ଉର୍ଦ୍ଦ ଟଙ୍କା ଆବଶ୍ୟକ ପଡୁଥିବାରୁ ପଞ୍ଚାୟତ ପକ୍ଷରୁ ନିର୍ମାଣ କରିବା ସମ୍ଭବପର ହେଉନଥିବା ସଂରପଞ୍ଚ କହିଛନ୍ତି। କାନଝରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ପକ୍ଷରୁ ଏହି ସ୍ଥାନରେ ୪କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ ପାଇଁ ୪ କୋଟି ଟଙ୍କାର ପ୍ରସ୍ତାବ ଜଳସଂପଦ ବିଭାଗୁ ଦିଆଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି ମଂଜୁର ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସଂପର୍କରେ କାନପୁର ମଧ୍ୟମ ଜଳସେଚନ ପ୍ରକଳ୍ପର ଏସଡିଓ ଇଂ ସର୍ବେଶ୍ୱର ଧରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇନାହିଁ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.