ହାଟଡିହି- ୧୭ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ଡାକ୍ତରଖାନା ପରିସରରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ରକ୍ତ ପରୀକ୍ଷା କରିବାକୁ ଆସିଥିବାବେଳେ ଡାକ୍ତରଖାନା ପରିସରରେ ତାଙ୍କର ଜୀବନ ଚାଲିଯାଇଛି । ଖବରରୁ ଜଣାଯାଇଛି ଯେ ମରୈଗାଁର ଧରଣୀଧର ଗିରି (୪୦) ନାମକ ଜଣେ ବ୍ୟକ୍ତି କିଛିଦିନ ହେଲା ଜ୍ୱରରେ ଆକ୍ରାନ୍ତ ହୋଇଥିବାବେଳେ ଜ୍ୱର ନକମିବାରୁ ସେ ଆଜି ସକାଳେ ରକ୍ତ ପରୀକ୍ଷା କରାଇବାକୁ ହାଟଡିହି ଡାକ୍ତରଖାନା ନିକଟସ୍ଥ ଏକ ପାଥୋଲାବକୁ ସାଇକେଲ ଧରି ଆସିଥିଲେ । ସେଠାରେ ସେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ ସମ୍ମୁଖସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ସେ ଟଳିପଡିଥିଲେ । ଏହାଦେଖି ୧୦୮ଆମ୍ବୁଲାନସ ଡାକି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଶବକୁ ଗାଁକୁ ନେଇ ସତ୍କାର କରିଥିବା ଜଣାଯାଇଛି । ତାଙ୍କର ହୃଦଘାତରେ ପରଲୋକ ଘଟିଥିବା ପରିବାର ଲୋକେ କହିଛନ୍ତି । ଏହାକୁନେଇ ମରୈଗାଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।







