Home ଜିଲ୍ଲା ପରିକ୍ରମା ଯୋଡା ଶ୍ରାବଣମାସର ଶେଷ ସୋମବାର, ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ସହସ୍ରାଧିକ କାଉଡିଆ

ଯୋଡା ଶ୍ରାବଣମାସର ଶେଷ ସୋମବାର, ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ସହସ୍ରାଧିକ କାଉଡିଆ

22

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଯୋଡା ଶ୍ରାବଣ ପଡିଥିବାରୁ ଦୀର୍ଘ ୨ ମାସ ଧରି ଚାଲିଥିବା ଶ୍ରାବଣୀ ବ୍ରତର ଶେଷ ସୋମବାରରେ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିଥିଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସହସ୍ରାଧିକ କାଉଡିଆ ଭକ୍ତ । ଭକ୍ତମାନଙ୍କର ଶୃଙ୍ଖଳିତ ଜଳାଭିଷେକ ପାଇଁ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ସହ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯାଇଥିଲା । ଅନୁରୂପ ପୀଠର ସ୍ଥଳପଥ ଓ ଜଳପଥରେ ଆସୁଥିବା କାଉଡିଆ ଭକ୍ତଙ୍କର ଯାତାୟତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ୩ଟି ନଦୀଘାଟକୁ ସଜାଗ ରଖାଯାଇଥିଲା । ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ନଆଣିବା ପାଇଁ ଘାଟିଆଙ୍କୁ ତାଗିଦ କରିଥିଲା ପ୍ରଶାସନ । ଭକ୍ତଙ୍କ ଜଳାଭିଷେକ ପାଇଁ ଭୋର୍ ୪.୩୦ ମିନିଟ୍‌ରେ ପହଡ ଖୋଲିବା ପରେ କାଉଡିଆମାନେ ଧାଡିରେ ଯାଇ ମଣିବାବାଙ୍କ ପାଖରେ ଜଳାଭିଷେକ କରିଥିଲେ । ଅନ୍ୟପଟେ ମଣିବାବାଙ୍କ ପାଖରେ ମଙ୍ଗଳ ଆଳତି ସହ ସକାଳ ଧୂପ ସରିବା ପରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସାହାଣମେଲା କରାଯାଇଥିଲା । ମଧ୍ୟାହ୍ନ ୧ ଘଟିକାରେ ମଣିବାବାଙ୍କୁ ଯୋଗୀ ବେଶରେ ସଜ୍ଜିତ କରାଯାଇ ବଡ ଅନ୍ନ ନୀତିଭୋଗ ଲାଗି କରାଯାଇଥିଲା । ପରେ ଏକଘଣ୍ଟା ଅବକାଶ ନୀତି ସରିବା ପରେ ଅପରାହ୍ନ ୪ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ଚଳିତବର୍ଷ ୫୪ ହଜାର କାଉଡିଆ ଭକ୍ତ ମଣିବାବାଙ୍କୁ ଜଳାଭିଷେକ କରିଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.