Home ଓଡ଼ିଶା ଯୋଡା : ଲୁହା ପଥର ଚୋରି ରୋକିବା ପାଇଁ ଗଠିତ ହେବ ମିଳିତ ସ୍କ୍ୱାର୍ଡ

ଯୋଡା : ଲୁହା ପଥର ଚୋରି ରୋକିବା ପାଇଁ ଗଠିତ ହେବ ମିଳିତ ସ୍କ୍ୱାର୍ଡ

80

ଯୋଡା,୩୧ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାରମ୍ବାର ଲୁହାପଥର ଚୋରି ଘଟଣା ଏବେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଖଣି ବିଭାଗ ଏବଂ ଲୁହାପଥର ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହାକୁ ରୋକାଯାଇପାରିନାହିଁ । ପୁଲିସ ଓ ଜଙ୍ଗଲ ବିଭାଗର ଘନ ଘନ ଚଢୋଉ ଫଳରେ ଲକ୍ଷ ଲକ୍ଷ ଟଙ୍କାର ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ ହେବା ସହ ମାଳ ମାଳ ଟ୍ରକ ଡ୍ରାଇଭର ଏବଂ ଦଲାଲ ଗିରଫ ହେଉଥିବା ବେଳେ ଟ୍ରକ ମାଲିକ ଏବଂ ମାଷ୍ଟର ମାଇଣ୍ଡଙ୍କ ପାଖରେ ପୁଲିସ ପହଞ୍ଚିପାରିନାହିଁ । ବିଭିନ୍ନ ବନ୍ଦର ବାଟ ଦେଇ ଏହି ଚୋରା ଲୁହାପଥର ବାହାର ଦେଶକୁ ରପ୍ତାନୀ କରାଯାଉଥିବା ବେଳେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଜଣାପଡିଛି । ସଡକ ପଥରେ ଏହି ଲୁହାପଥର ବିଭିନ୍ନ ବନ୍ଦରମାନଙ୍କୁ ପରିବହନ ହେଉଥିବା ବେଳେ ଏଥିରେ ଛତିଶଗଡ, ରାଜସ୍ଥାନ, ତାମିଲନାଡୁ, ଗୁଜରାଟ, ୱେଷ୍ଟ ବେଙ୍ଗଲ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ପ୍ରଭୁତି ବାହାର ରାଜ୍ୟର ଟ୍ରଲରରେ ଅଧିକାଂଶ ପରିମାଣରେ ଏହି ଚୋରାମାଲ ପରିବହନ କରାଯାଉଛି । କେତେକ କ୍ଷେତ୍ରରେ ଏହି ବାହାର ରାଜ୍ୟ ଗାଡିରେ ଓଡିଶାର ନକଲି ନମ୍ବର ଥାଇ ନମ୍ବର ପ୍ଲେଟ ଲଗାଯାଇ ମଧ୍ୟ ଲୁହାପଥର ଚାଲାଣ କରାଯାଉଥିବା ଜଣାପଡିଛି । ଖଣି ଚୋରି ରୋକିବା ପାଇଁ ସରକାର ବିଭିନ୍ନ କଟକଣାମାନ ଲାଗୁ କରିଥିବା ବେଳେ ରାଜ୍ୟ ଟ୍ରକ ଗୁଡିକ ପାଇଁ ଜିପିଏସ୍ (ଗ୍ଲୋବାଲ ପୋଜିସନିଙ୍ଗ ସିଷ୍ଟମ) ଲଗାଇବା ବାଧ୍ୟତା ମୂଳକ କରାଯାଇଛି । ତେବେ ବାହାର ରାଜ୍ୟର ଟ୍ରକ, ଟେଲର ଗୁଡିକରେ ଜିପିଏସ୍ ସିଷ୍ଟମ ନଥାଇ ସେଗୁଡିକୁ କିପରି ଲୁହାପଥର ପରିବହନ ନିମନ୍ତେ ଅନୁମତି ଦିଆଯାଉଛି ତାହା ଖଣି ବିଭାଗର ସ୍ୱଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରିଛି । ଏହି ଚୋରା ଲୁହାପଥର ବୋଝେଇ ଟ୍ରଲର ଗୁଡିକ ମୁଖ୍ୟ ରାସ୍ତା ଉପରକୁ ଆସିଲେ ସେମାନଙ୍କୁ ନକଲି କାଗଜପତ୍ର ମଧ୍ୟ ମାଫିଆ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଯୋଗାଇଦିଆଯାଇଥାଏ । ଏଥିରେ ଖଣି ବିଭାଗର ସମ୍ପୃକ୍ତି କାହାରିକୁ ଅଛପା ନାହିଁ । ରେଳ ସାଇଡିଂ ମାଧ୍ୟମରେ ଖଣିରୁ ପରିବହନ ହେଉଥିବା ଲୁହାପଥରକୁ ମଧ୍ୟ ମାଫିଆମାନେ ରେଳ ସାଇଡିଂରେ ଖଲାସ ନକରି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ଘଟଣା ମଧ୍ୟ ବାରମ୍ବାର ପଦାକୁ ଆସିଛି । ଏହି ଘଟଣା ଗୁଡିକ ସମୟ ବ୍ୟବଧାନରେ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏ ନେଇ ପ୍ରଶାସନ ପକ୍ଷରୁ ଏବେ ତତ୍ପରତା ଦେଖାଦେଇଛି । ଏ ନେଇ ବୁଧବାର ଅପରାହ୍ନରେ ଯୋଡା ପୌରପାଳିକା କାର୍ଯ୍ୟାଳୟରେ ଏକ ଉଚ୍ଚସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଅଧ୍ୟକ୍ଷତା କରିଥିବା ବେଳେ ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ସାନ୍ତନୁ ପରିଡା, ବଡବିଲ ରେଞ୍ଜର ସୁରଜିତ୍ ସାହୁ, ବଡବିଲ ତହସିଲଦାର ଆଲୋକ କୁମାର ପଟେଲ, ଯୋଡା ଖଣି ଅଧିକାରୀ ଦୀପକ କୁମାର ଧାରୁଆ, ବିଶ୍ୱରଞ୍ଜନ ସେଠୀ, ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉପଜିଲ୍ଲାପାଳ ସୂଚନା ଦେଇଥିଲେ ଯେ, ଏହି ଖଣି ଚୋରି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଯେପରି ଶତପ୍ରତିଶତ ଖଣି ଚୋରିକୁ ରୋକାଯାଇପାରିବ ସେଥିପାଇଁ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀମାନଙ୍କୁ ନେଇ ଏକ ସ୍କ୍ୱାର୍ଡ ଗଠନ କରାଯାଉଛି । ଖଣି ଚୋରିର ଉତ୍ସ ଗୁଡିକୁ ବନ୍ଦ କରିବା ପାଇଁ ପ୍ରୟାଶ କରାଯିବା ସହିତ ବନ୍ଦ କ୍ରସରରେ ଗଚ୍ଛିତ ଥିବା ଲୁହାପଥର ଗୁଡିକ ଉପରେ କଟକଣା ଜାରି କରାଯିବ ବୋଲି ସେ ସୂଚନା ଦେଇଥିଲେ । ଏହା ସହିତ ପ୍ରତି ୧୫ ଦିନରେ ଏକ ଉଚ୍ଚ ସ୍ଥରୀୟ ବୈଠକ ଡକାଯାଇ କିଭଳି ଏହି ଖଣି ଚୋରିକୁ ରୋକାଯାଇପାରିବ ସେଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଦେଖାଯାଉ ପ୍ରଶାସନ ଖଣି ଚୋରି ରୋକିବାରେ ଆଗାମୀ ଦିନରେ କେତେ ସଫଳ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.