Home ଓଡ଼ିଶା ଯୋଡା : ଲୁହାପଥର ଚୋରାକାରବାରର ମୁଖ୍ୟ ଅଭିଯୁକ୍ତ ଜାମସେଦପୁରରୁ ଗିରଫ

ଯୋଡା : ଲୁହାପଥର ଚୋରାକାରବାରର ମୁଖ୍ୟ ଅଭିଯୁକ୍ତ ଜାମସେଦପୁରରୁ ଗିରଫ

50

ଯୋଡା, ୧୧ା୬(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରେ ଆନ୍ତଃରାଜ୍ୟ ଲୁହାପଥର ତସ୍କରଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି । ଗତ ମାର୍ଚ୍ଚ ମାସ ୨୯ ତାରିଖ ଦିନ ବିଳମ୍ବିତ ରାତ୍ରୀରେ ବାମେବାରୀ ପୁଲିସ ହାଣ୍ଡିଭଙ୍ଗା ନିକଟରେ ଅବସ୍ଥିତ ମା ଇଞ୍ଜିନିୟରିଙ୍ଗ ସଂସ୍ଥାର ବନ୍ଦ କ୍ରସରରୁ ୬ଟି ଲୁହାପଥର ବୋଝେଇ ଟ୍ରଲର ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ଜବତ କରିଥିଲା । ଏଥିରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ଏହି ଚୋରାକାରବାରର ମୁଖ୍ୟ ଅଭିଯୁକ୍ତ ପଙ୍କଜ କୁମାର ଘଟଣା ପରଠାରୁ ଫେରାର ଥିଲା । କୌଣସି ସୂତ୍ରରୁ ବାମେବାରୀ ଥାନା ଏସ.ଆଇ. ଅନିଲ କୁମାର ସାମଲ ଖବର ପାଇ ପଡୋଶୀ ଝାଡଖଣ୍ଡ ରାଜ୍ୟର ଜାମସେଦପୁର ଠାରୁ ତାକୁ ଗିରଫ କରି ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ହାଣ୍ଡିଭଙ୍ଗା ନିକଟରେ ଥିବା ଏକ ପୁରୁଣା କ୍ରସରରେ ପୂର୍ବରୁ ଗଚ୍ଛିତ ଥିବା ଲୁହାପଥର ଗୁଣ୍ଡକୁ ମାଫିଆମାନେ ବଡ ବଡ ଟ୍ରଲରରେ ବୋଝେଇ କରି ଭିସାକାପାଟନା ବନ୍ଦରକୁ ଚାଲାଣ କରୁଥିବା ବେଳେ ବାମେବାରୀ ଥାନା ଭାରପ୍ରାପ୍ତ ତତ୍‌କାଳୀନ ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ସ୍ୱାଇଁ କାଳିମାଟି ଛକ ନିକଟରୁ ୫ଟି ଟ୍ରଲର ଓ ଜୁରୁଡି ଛକ ନିକଟରୁ ଗୋଟିଏ ଟ୍ରଲର ଜବତ କରିବାରେ ସଫଳ ହୋଇଥିଲେ । ଜବତ ଟ୍ରଲର ଗୁଡିକ ହେଲା ଜିଜେ୦୧ଚିଜେଡ୍‌-୦୬୭୪, ୟୁପି୬୧ଏଟି-୩୨୩୮, ଆରଜେ୨୯ଜିଏ-୫୩୪୯, ଆରଜେ୦୨ଜିବି-୦୩୪୩, ଆରଜେ୦୨ଜିବି-୨୬୩୭, ସିଜି୦୭ବିସି-୦୧୨୮ ଏବଂ ଗିରଫ ଅଭିଯୁକ୍ତମାନେ ହେଲେ ଗାଡିର ଡ୍ରାଇଭର ଏମ୍‌ଡି ଆବାଦ, ମନୋଜ କୁମାର ୟାଦବ, ଯୋଗେନ୍ଦ୍ର ୟାଦବ, ସମୟା ଦିନ, କୁଲୁରାମ ୟାଦବ, ରାମପ୍ରସାଦ ୟାଦବ । ଏହି ୬ଟି ଟ୍ରଲରରେ ପ୍ରାୟ ୧୭୦ ଟନ୍ ପରିମାଣର ଉଚ୍ଚମାନର ଲୁହାପଥର ଗୁଣ୍ଡ ବୋଝେଇ ହୋଇଥିବା ବେଳେ ଯାହାର ବର୍ତ୍ତମାନ ବଜାର ଦର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ପଙ୍କଜ କୁମାର ଯୋଡା ଖଣି କ୍ଷେତ୍ରରେ ବିଭିନ୍ନ ବାହାର ରାଜ୍ୟର ଟ୍ରଲର ଏବଂ ଟ୍ରକ ଆଣି ଏହି ଚୋରାକାରବାର ଚଳାଇଆସୁଥିବା ବେଳେ ବିଭିନ୍ନ ବନ୍ଦର ଦେଇ ଏହି ଚୋରା ଲୁହାପଥରକୁ ଦେଶ ବାହାରକୁ ଚାଲାଣ କରିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.