Home ଓଡ଼ିଶା ଯୋଡା : ରିମୁଳି-ରାଜାମୁଣ୍ଡା ୫୨୦ ରାଜପଥରେ ଯାତାୟତ ବିଚ୍ଛିନ୍ନ, ଉଭୟ ପାଶ୍ୱର୍ରେ ଅଟକି ରହିଲା ଶହ...

ଯୋଡା : ରିମୁଳି-ରାଜାମୁଣ୍ଡା ୫୨୦ ରାଜପଥରେ ଯାତାୟତ ବିଚ୍ଛିନ୍ନ, ଉଭୟ ପାଶ୍ୱର୍ରେ ଅଟକି ରହିଲା ଶହ ଶହ ଭାରିଯାନ

69

ଯୋଡା, ୨୭ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବଙ୍ଗୋପସାଗରରେ ଉଠିଥିବା ଲଘୁଚାପ ‘ୟାଶ୍‌’ର ପ୍ରଭାବରେ ଖଣି ଇଲାକା ଯୋଡା, ବଡବିଲ ଅଞ୍ଚଳରେ ୩ଦିନ ଧରି ପ୍ରବଳ ବର୍ଷା ଅନୁଭୁତ ହେବାରେ ଲାଗିଛି । ଜିଲାର ସର୍ବାଧିକ ୨୬୮.୬ ମି.ମି. ବର୍ଷା କେବଳ ଯୋଡାରେ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଏ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ଜଣାପଡିଛି । ବିଲେଇପଦା ନିକଟରେ ନୂତନ ନିର୍ମାଣଧିନ ୫୨୦ନଂ ଜାତୀୟ ରାଜପଥ ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ମୂର୍ଗାନାଳରେ ବନ୍ୟା ପରିସ୍ଥିତି ଉପୁଜୁଛି । ଫଳରେ ୨୨ରୁ ଉର୍ଦ୍ଧ୍ୱ ପରିବାର ସମ୍ପୂର୍ଣ୍ଣ ଜଳବନ୍ଦି ଥିବା ବେଳେ ୩ଦିନ ଧରି କାହାରି ଘରେ ଜଳି ନାହିଁ ଚୂଲି । ସାଙ୍ଗକୁ ଲକ୍ଷ ଲକ୍ଷ ଟଙ୍କାର ଆସବାସପତ୍ର ନଷ୍ଟ । କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦାମାନଙ୍କର ରାଜପଥ ଅବରୋଧ । ଜଳ ନିଷ୍କାସନ ପାଇଁ ଠିକା ସଂସ୍ଥା ମଣ୍ଟେକାର୍ଲୋ ରାଜପଥକୁ ମେସିନରେ କାଟି ଜଳ ନିଷ୍କାସନ କରିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ତେଣୁ ଯୋଡା, ବଡବିଲ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ଷୀର, ପରିବା, ଖବରକାଗଜ ପ୍ରଭୁତି ପରିବହନ ବନ୍ଦ ହୋଇପଡିଛି । ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଉତ୍ତେଜନା ଲାଗିରହିଥିବା ବେଳେ ସେଠାରେ ପ୍ରଶାସନିକ ଅଧିକାରୀଙ୍କ ସହ ପୁଲିସ ବଳ ନିୟୋଜିତ ଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ, ବିଲେଇପଦା ଠାରେ ଏହି ମୂର୍ଗାନାଳ ଉପରେ ପୂର୍ବରୁ ଏକ ସେତୁ ରହିଥିବା ବେଳେ ରାସ୍ତା ନିର୍ମାଣକାରୀ ସଂସ୍ଥା ମଣ୍ଟେକାର୍ଲୋ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ଏହା ସ୍ଥାନରେ ହୋମପାଇପ ପକାଇ ଜଳ ନିଷ୍କାସନର ବ୍ୟବସ୍ଥା କରିଥିଲେ । ତାହା ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଘରେ ପାଣି ପଶିବା ପରେ ସେମାନେ ଠିକାସଂସ୍ଥା ମଣ୍ଟେକାର୍ଲୋ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ଏହାର କର୍ମକର୍ତ୍ତା କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଫଳରେ ଏହି ମନୁଷ୍ୟକୃତ ବନ୍ୟା ପାଇଁ ସେମାନେ ଠିକା ସଂସ୍ଥାକୁ ଦାୟି କରିବା ସହ ସେମାନଙ୍କର କ୍ଷତି ପୂରଣ ଦାବି କରିଛନ୍ତି । ଖବର ପାଇଁ ବୁଧୁବାର ସନ୍ଧ୍ୟାରେ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚୁନୁ ହାଂସଦା ଏବଂ ଅନ୍ୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ସେମାନଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଅନୁରୋଧ କରିଥିଲେ । ଗୁରୁବାର ସକାଳୁ ଘଟଣାସ୍ଥଳରେ ବଡବିଲ ଅତିରିକ୍ତ ତହସିଲଦାର ଲଳିତ ନାଏକ, ବିଲେଇପଦା ରାଜସ୍ୱ ନିରୀକ୍ଷକ ଦିଲ୍ଲିପ ସାହୁ ଓ ଅନ୍ୟାନ୍ୟ ପ୍ରଶାସନୀକ ଅଧିକାରୀମାନେ ପହଞ୍ଚି ଘର ଘର ବୁଲି ସେମାନଙ୍କର କ୍ଷୟ କ୍ଷତି ଆକଳନ କରିବା ସହ ସରକାରଙ୍କ ବ୍ୟବସ୍ଥା ମୁତାବକ ରନ୍ଧା ଖାଦ୍ୟ, ସୁଖିଲା ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିଥିବା ଜଣାପଡିଛି । ଏହି ସହାୟତା ୮ଦିନ ପର୍ଯ୍ୟନ୍ତ ଦିଆଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦେଖାଦେଇଥିବା ଉତ୍ତେଜନା ନେଇ ଘଟଣା ସ୍ଥଳରେ ବଡବିଲ ଉପଖଣ୍ଡ ଆରକ୍ଷୀ ଅଧିକାରୀ ହିମାଂଶୁ ଭୂଷଣ ବେହେରା, ବିଲେଇପଦା ଫାଣ୍ଡି ଅଧିକାରୀ ସେକ୍ ଆଝାରଉଦ୍ଦିନ ଏବଂ ପୁଲିସ ବଳ ପହଞ୍ଚି ଶାନ୍ତି ସୃଙ୍ଖଳା ବଜାୟ ରଖିବା ସହ କ୍ଷୟ କ୍ଷତି ଆକଳନ ପାଇଁ ବିଲେଇପଦା ଫାଣ୍ଡିରେ ସମ୍ପୃକ୍ତ ରାସ୍ତା ନିର୍ମାଣକାରୀ ଠିକାଦାର ମଣ୍ଟେକାର୍ଲୋର ନିର୍ଦ୍ଦେଶକ ଅନୁଜ ମିଶ୍ରା, ପ୍ରଶାସନୀକ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ଆଲୋଚନା ଜାରି ରହିଥିବା ଜଣାପଡିଛି । ତେବେ ଏହି ଜଳ ନିଷ୍କାସନ ପାଇଁ କଟାଯାଇଥିବା ରାଜପଥର ମରାମତି କାର୍ଯ୍ୟ କେବେ କରାଯିବ ତାର କୌଣସି ସୂଚନା ନଥିବା ବେଳେ ଏବେ ଅନିଶ୍ଚିତତା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯୋଡା, ବଡବିଲ ଅଞ୍ଚଳକୁ ବନ୍ଦ ରହିବ ବୋଲି ଆଶଙ୍କା ଦେଖାଦେଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.