Home ଓଡ଼ିଶା ଯୋଡା : ରାତି ପାହିଲେ ଲୁହାପଥର ଚୋରି ଘଟଣା: ରୋକିବାରେ ପ୍ରଶାସନ ବିଫଳ

ଯୋଡା : ରାତି ପାହିଲେ ଲୁହାପଥର ଚୋରି ଘଟଣା: ରୋକିବାରେ ପ୍ରଶାସନ ବିଫଳ

74

ଯୋଡା, ୦୫ା୬(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା-ବଡବିଲ ଖଣି ଅଞ୍ଚଳରେ ଲୁହାପଥର ଓ ମାଙ୍ଗାନିଜ ଚୋରି ଏକ ନୀତିଦିନିଆ ଘଟଣାରେ ପରିଣତ ହୋଇଛି । ରାତି ପାହିଲେ ବିଭିନ୍ନ ସ୍ଥାନରୁ ମୂଲ୍ୟବାନ ଖଣିଜ ସମ୍ପଦ ଚୋରି ଘଟଣା ନଜରକୁ ଆସୁଛି । ଏହି ଚୋରା କାରବାରକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଜିଲା ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଆନ୍ତଃର୍ଜାତୀକ ବଜାରରେ ଲୁହାପଥର ଚାହିଦା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅନୁରୂପ ଖଣି ମାଫିଆମାନେ ପୁଲିସ, ଖଣି ବିଭାଗ, ଜଙ୍ଗଲ ବିଭାଗ ଆଖିରେ ଧୂଳି ଦେଇ ନିର୍ଭିକ ଭାବେ ଏହି ଚୋରା ବେପାର ଚଳାଇଆସୁଛନ୍ତି । ଗତ ସାତ ଦିନ ଭିତରେ ଯୋଡା ଖଣି ମଣ୍ଡଳ ଅଧିନରେ ୬ଟି ଲୁହାପଥର ଚୋରି ଘଟଣା ନଜରକୁ ଆସିଥିବା ବେଳେ ଏହି ଘଟଣା ଗୁଡିକରେ କେବଳ ଟ୍ରକ ଚାଳକ ଗିରଫ ହେଉଥିଲେ ମଧ୍ୟ ପୁଲିସ ଟ୍ରକ ମାଲିକ ଏବଂ ଚୋରା କାରବାରର ମୁଖ୍ୟ ଆସାମୀକୁ ଗିରଫ କରିବାରେ ଅସଫଳ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଯୋଡା ପୁଲିସ ଏକ ଚୋରା ଲୁହାପଥର ବୋଝେଇ ୧୨ ଚକିଆ ଟ୍ରକ (ନଂ. ଡବ୍ଲୁବି୩୭ସି-୩୧୪୪) କୁ ଜବତ କରିଛି । ଏଥିରେ ବୋଝେଇ ଲୁହାପଥର ଗୁଣ୍ଡର ପରିମାଣ ୨୫ ଟନ୍ ଥିବା ଅନୁମାନ କରାଯାଉଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଘଟଣାଟିରେ ପୁଲିସ ଟ୍ରକର ଚାଳକ ଲାଲୁ ଯାଦବ (୨୫) ଏବଂ ଏହି ଚୋରାକାରବାର ସହଯୋଗୀ ସଦାନନ୍ଦ ମାନକୀ (୩୦)କୁ ଗିରଫ କରିଛି । ତେବେ ଲାଲୁର ଘର ବିହାର ରାଜ୍ୟ, ଜାମୁ ଜିଲା ଚେନାରଡିହର ବେଲା ଗ୍ରାମରେ ବୋଲି ଜଣାପଡିଥିବା ବେଳେ ଏହି ସହଯୋଗା ଜଣଙ୍କର ଘର ଯୋଡାସ୍ଥିତ ଶାସ୍ତ୍ରୀ ନଗରରେ ବୋଲି ଜଣାପଡିଛି । ଏମାନେ ଜୁରୁଡିସ୍ଥିତ ଆଇଟିସି ବନ୍ଦ ଖଣିରୁ ଏହି ଲୁହାପଥର ଚୋରି କରି ବାହାର ରାଜ୍ୟକୁ ପଠାଉଥିବା ବେଳେ ବାଂଶପାଣି ଟୋଲଗେଟ ନିକଟରୁ ପୁଲିସ ଏହାକୁ ଜବତ କରିଛି । ସୂଚନା ଯୋଗ୍ୟ, ଗୁରୁବାର ବିଳମ୍ବିତ ରାତ୍ରୀରେ ଜଙ୍ଗଲ ବିଭାଗ ମାଲଦାସ୍ଥିତ ତାତିଆ ଜଙ୍ଗଲରୁ ଏକ ଲୁହାପଥର ବୋଝେଇ ଟ୍ରକ ଜବତ କରିଥିବା ବେଳେ ବଡବିଲ ଅଞ୍ଚଳରୁ ଏହି ଚୋରା କାରବାରରେ ସମ୍ପୃକ୍ତ ଆଉ ଏକ ଟ୍ରକ ଜବତ ସହ ୨ଜଣଙ୍କୁ ବଡବିଲ ପୁଲିସ ଗିରଫ କରିଥିଲା । ସେହିପରି ଗତ ୩୧ ତାରିଖରେ ବାମେବାରୀ ପୁଲିସ ନୟାଗଡ ରେଳ ସାଇଡିଂରୁ ଏହି ଚୋରା ଲୁହାପଥର ବୋଝେଇ ହେଉଥିବା ବେଳେ ଗୋଟିଏ ଟ୍ରଲର, ଗୋଟିଏ ଟ୍ରକ ଏବଂ ଗୋଟିଏ ଜେସିବି ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.