Home ଓଡ଼ିଶା ଯୋଡା- ବିପୁଳ ପରିମାଣରେ ଉଚ୍ଚମାନର ଚୋରା ମାଙ୍ଗାନିଜ ଜବତ, ମାଫିଆ ଚମ୍ପଟ

ଯୋଡା- ବିପୁଳ ପରିମାଣରେ ଉଚ୍ଚମାନର ଚୋରା ମାଙ୍ଗାନିଜ ଜବତ, ମାଫିଆ ଚମ୍ପଟ

143

ଯୋଡା, ୦୬/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କୌଣସି ସୂତ୍ରରୁ ଖବର ପାଇ ବୁଧବାର ଦିନ ୨ ଘଟିକା ସମୟରେ ବଡବିଲ ବନାଞ୍ଚଳ ଅନ୍ତର୍ଗତ ଗୁଆଲି ସେକସନର ବନପାଳ ସନ୍ତୋଷ କୁମାର ପହିଙ୍କ ନେତୃତ୍ୱରେ ରୁଗୁଡି ବନରକ୍ଷୀ ଦୋଳଗୋବିନ୍ଦ ଦାସ, ବିଲେଇପଦା ବନରକ୍ଷୀ ପୁଷ୍ପା ଦାସ ଏବଂ ବିଲେଇପଦା ସେକସନ କର୍ମଚାରୀଙ୍କ ଉଦ୍ୟମରେ ଏକ ୨୦ ଜଣିଆ ପାରା ସ୍କ୍ୱାର୍ଡ ଯୋଡା ନିକଟସ୍ଥ ସିଦ୍ଧ ସଂରକ୍ଷିତ ଜଙ୍ଗଲର ବନେଇକଳା ନିକଟ ଖେସରା ଜଙ୍ଗଲ ଠାରେ ଚଢୋଉ କରି ପ୍ରାୟ ଶତାଧିକ ବସ୍ତା ଉଚ୍ଚମାନର ମାଙ୍ଗାନିଜ ଜବତ କରିଥିବା ଜଣାପଡିଛି । ମାଫିଆମାନେ ଏହି ମାଙ୍ଗାନିଜକୁ ବସ୍ତାରେ ଭର୍ତ୍ତି କରି ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ରଖିଥିବା ବେଳେ ଏହାକୁ ବନ ବିଭାଗ ବିଭାଗର ଚଢୋଉ ଫଳରେ ଚୋରା ଚାଲାଣ ବିଫଳ ହୋଇଛି । ଚଢୋଉ ସମୟରେ ପାରା ସ୍କ୍ୱାର୍ଡକୁ ଦେଖି ସେଠାରେ ନିୟୋଜିତ ପ୍ରାୟ ୨୦ରୁ ଉର୍ଦ୍ଧ ମାଙ୍ଗାନିଜ ମାଫିଆ ଜଙ୍ଗଲ ଭିତରେ ଚମ୍ପଟ ମାରିଥିବା ଜଣାପଡିଛି । ଏହି ଜବତ ଉଚ୍ଚ ମାନର ମାଙ୍ଗାନିଜର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ବନବିଭାଗ ଆକଳନ କରିଛି । ଏହି ବନ୍ଦ ଖଣିଟି ଟାଟା କମ୍ପାନୀଙ୍କ ଲିଜ୍‌ରେ ଥିବା ବେଳେ ଦୀର୍ଘ ବର୍ଷ ହେବ ବନ୍ଦ ରହିଛି । ଫଳରେ ମାଫିଆମାନେ ଏହାର ସୁଯୋଗରେ ଘଞ୍ଚ ଜଙ୍ଗଲ ଭିତରେ ଏହି ଉଚ୍ଚମାନର ମାଙ୍ଗାନିଜ ଉତ୍ତୋଳନ କରି ବସ୍ତାରେ ଭର୍ତ୍ତି କରି ଝାରଖଣ୍ଡ ଦେଇ ରାଜ୍ୟ ବାହାରକୁ ପଠାଇ କୋଟି କୋଟି ଟଙ୍କା ମୁନାଫା କରୁଥିବା ବାରମ୍ବାର ସୂଚନା ରହିଛି । ଏହି ମାଙ୍ଗାନିଜ ଜବତ ପରେ ସେଠାରେ ଟାଟା କମ୍ପାନୀଙ୍କ ୧୬ଜଣ ସୁରକ୍ଷା କର୍ମୀ, ୧୦ଜଣ ଜଙ୍ଗଲ ବିଭାଗର କର୍ମଚାରୀ, ୩ଜଣ ଖଣି ବିଭାଗ କର୍ମଚାରୀ ଜଗିରହିଛନ୍ତି । ଆସନ୍ତା ଗୁରୁବାର ଦିନ ଏ ସଂକ୍ରାନ୍ତରେ ବନବିଭାଗ ଏକ ମାମଲା ଋଜୁ କରି ଖଣି ବିଭାଗକୁ ଏହି ଖଣିଜ ସମ୍ପଦ ହସ୍ତାନ୍ତର କରିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସନ୍ତୋଷ ପହି ସୂଚନା ଦେଇଛନ୍ତି । ଏହି ଚୋରା କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ଖେସରା ଜଙ୍ଗଲ ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କେଇ ଶହ ମିଟର ଦୂରରେ ଅବସ୍ଥିତ ଥିବା ବେଳେ ଖଣି ବିଭାଗର ଖାମଖିଆଲ ନୀତି ଯୋଗୁଁ ଏହି ଚୋରା କାରବାର ଥମିବା ନା ଧରୁନାହିଁ । ଟାଟା କମ୍ପାନୀଙ୍କର ଏହି ବନ୍ଦ ଖଣିରେ କମ୍ପାନୀ ପକ୍ଷରୁ ସୁରକ୍ଷା କର୍ମି ନିୟୋଜିତ ଥିଲେ ମଧ୍ୟ ବନ ବିଭାଗ, ଖଣି ବିଭାଗ ଏବଂ କମ୍ପାନୀ ଏହି ଖଣି ଚୋରା କାରବାରକୁ ରୋକିବାରେ ବ୍ୟର୍ଥ ହୋଇଛନ୍ତି । ଏହାର ମାତ୍ର କେଇ ଦିନ ପୂର୍ବରୁ ଦେଢ ଶହ ବସ୍ତା ଉଚ୍ଚମାନର ମାଙ୍ଗାନିଜ ଏହାର ପାଶ୍ୱର୍ପର୍ତ୍ତି ଅଞ୍ଚଳରୁ ଜଙ୍ଗଲ ବିଭାଗ ଜବତ କରିଥିଲେ ମଧ୍ୟ ଖଣିଜ ସମ୍ପଦ ଚୋରିକୁ ରୋକାଯାଇପାରିନାହିଁ । ଏହି ଖଣିଜ ସମ୍ପଦ ଚୋରାକାରବାରରେ ତିନୋଟି ବିଭାଗର କର୍ମଚାରୀ ସମ୍ପୃକ୍ତ ଥିବା ନେଇ ଏବେ ସାଧାରଣରେ ସନ୍ଦେହ କରାଯାଉଛି । ବାରମ୍ବାର ଚୋରା ଖଣିଜ ସମ୍ପଦ ମାଙ୍ଗାନିଜ ହେଉଥିଲେ ମଧ୍ୟ କାଁ ଭାଁ ମାଫିଆମାନେ ଗିରଫ ହେଉଥିବା ନଜିର ରହିଛି, ଯାହା ବିଭାଗୀୟ କର୍ତ୍ତୁପକ୍ଷଙ୍କ ପାରିବାପଣିଆକୁ ପଦାରେ ପକାଇଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.