ାା ଯୋଡା, ୦୪/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବସ୍ ଭଡା ମାଗିବାରୁ ଜଣେ ବସ୍ କଣ୍ଡକ୍ଟରକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଘଟଣା ଯୋଡା ବସ୍ ଷ୍ଟାଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି । ଚମ୍ପୁଆରୁ ବଡବିଲ ଯା-ଆସ କରୁଥିବା ଚକାନୟନ ବସ୍ର କଣ୍ଡକ୍ଟର ସନତ କୁମାର ସାହୁଙ୍କୁ ବୁଧବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଛି । ତିନି ଜଣ ଯାତ୍ରୀ ଚମ୍ପୁଆ ରୁ ଯୋଡା ଆସିଥିଲେ । ସେମାନଙ୍କ ପାଖରେ ବସ୍ ଭଡା ନଥିବାରୁ ସେମାନେ ଯୋଡା ବସ୍ ଷ୍ଟଣ୍ଡରେ ପହଞ୍ଚି ଦେବେ ବୋଲି କଣ୍ଡକ୍ଟରକୁ କହିଥିଲେ । ତେବେ ବସ୍ ଷ୍ଟାଣ୍ଡରେ ପହଞ୍ଚିବା ପରେ କଣ୍ଡକ୍ଟର ଭଡା ମାଗିବାରୁ ତିନି ଜଣ ଯାକ ଯାତ୍ରୀ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଆଦାୟ ହୋଇଥିବା ବସ୍ ଭଡା ତକ କଣ୍ଡକ୍ଟର ପାଖରୁ ଛଡାଇନେଇଥିଲେ । ଏହି ଘଟଣାରେ କଣ୍ଡକ୍ଟର ସନତଙ୍କର ବାମ ହାତଟି କହୁଣି ପାଖରୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଏ ନେଇ ସେ ଯୋଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ବସ୍ ଷ୍ଟାଣ୍ଡରେ ଅଧିକାଂଶ ସମୟରେ କୌଣସି ପୁଲିସ କର୍ମଚାରି ରହୁନଥିବାରୁ ବିଭିନ୍ନ ଅସାମାଜିକଙ୍କ ଆଡ୍ଡା ସ୍ଥଳି ପାଲଟିଯାଇଛି ବସ୍ ଷ୍ଟାଣ୍ଡ ଅଞ୍ଚଳଟି । ଏଥିପାଇଁ ବସ୍ ଷ୍ଟାଣ୍ଡରେ ପୁଲିସ ମୁତୟନ ନିମନ୍ତେ ସାଧାରଣରେ ଦାବି କରାଯାଇଛି ।