Home ଓଡ଼ିଶା ଯୋଡା ଟ୍ରକ ମାଲିକ କାମ ନପାଇ ପ୍ରଶାସନର ଦ୍ୱାରସ୍ତ

ଯୋଡା ଟ୍ରକ ମାଲିକ କାମ ନପାଇ ପ୍ରଶାସନର ଦ୍ୱାରସ୍ତ

53

ଯୋଡା, ୧୨/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି ମଣ୍ଡଳ ଅଧିନରେ ଥିବା ଖଣି ଗୁଡିକରେ ବାହାର ରାଜ୍ୟର ବଡ ବଡ ଟ୍ରକ ଓ ଟ୍ରଲର ଦ୍ୱାରା ଖଣିଜ ପରିବହନ ଯୋଗୁଁ ୧୦ ଦିନ ହେଲା ଯୋଡା ଟ୍ରକ ମାଲିକ ସଂଘ (ଜାଟୋଆ)ରେ ପଞ୍ଜିକୃତ ଟ୍ରକ ଗୁଡିକ ଛିଡା ହୋଇରହିଛି । ଶ୍ରୀ ଆଣ୍ଡଲ ଲଜିଷ୍ଟିକ ନାମକ ଏକ ଟ୍ରାନ୍ସପୋର୍ଟ ସଂସ୍ଥା ବାହାର ରାଜ୍ୟର ଅଣଓଡିଆ ଟ୍ରକ ମାଲିକମାନଙ୍କୁ ଅଗ୍ରାଧିକାର ଦେଇ ଏହି ମନମୁଖି ପରିବହନ କାର୍ଯ୍ୟ ଚଳାଇଆସିଥିବା ବେଳେ ଏ ନେଇ ଗୁରୁବାର ଦିନ ଟ୍ରକ ମାଲିକମାନେ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ଝାରଖଣ୍ଡ, ତାମିଲନାଡୁ, ଆନ୍ଦ୍ରପ୍ରଦେଶ, ପଞ୍ଜାବ, ହରିଆଣା, କେରଳ ପ୍ରଭୁତି ବାହାର ରାଜ୍ୟର ଅଣଓଡିଆଙ୍କ ଟ୍ରକ ଗୁଡିକୁ ଏହି ଆଣ୍ଡଲ ଲଜିଷ୍ଟିକ୍ ସଂସ୍ଥା ପରିବହନରେ ନିୟୋଜିତ କରୁଅଛି । ରାଜ୍ୟ ସରକାରଙ୍କ ନିୟମ ମୁତାବକ ପ୍ରତି ଟ୍ରକରେ ଜିପିଏସ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ଟ୍ରକ ଗୁଡିକରେ ଜିପିଏସ୍ ନଲାଗିଲେ ଆଇ-୩ଏମ୍‌ଏସ ମାଧ୍ୟମରେ ସେମାନଙ୍କୁ ଟ୍ରକ ବୋଝେଇର ଅନୁମତି ମିଳିନଥାଏ । ତେବେ ଏହି ବାହାର ରାଜ୍ୟର ଟ୍ରକ ଗୁଡିରେ ଜିପିଏସ୍ ସିଷ୍ଟମ ନଥାଇ କିପରି ପରିବହନରେ ଅଗ୍ରାଧିକାର ଦିଆଯାଉଛି ତାହା ଖଣିଜ ଚୋରା କାରବାରର ଏକ ମୁଖ୍ୟ ସୂତ୍ର ବୋଲି ଯୋଡା ଟ୍ରକ ମାଲିକମାନେ ଅଭିଯୋଗ କରିଛନ୍ତି । ଏ ନେଇ ଗତ ୧୦ ତାରିଖରେ ଟ୍ରକ ମାଲିକମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ଅଭିଯୋଗ ମୁତାବକ ଯୋଡା ଖଣି କ୍ଷେତ୍ରରୁ ପାରାଦୀପ ପରିବହନକୁ ୧୯୨୫ ଟଙ୍କା ଟନ୍ ପ୍ରତି ଦର ଧାର୍ଯ୍ୟ କରାଯାଇଥିବା ବେଳେ ଏହି ବାହାର ରାଜ୍ୟର ପରିବହନ ସଂସ୍ଥା ଶ୍ରୀ ଆଣ୍ଡଲ ଲଜିଷ୍ଟିକ୍ ଟନ୍ ପ୍ରତି ୧୬୨୫ ଟଙ୍କା ଦରରେ ପରିବହନ ଚଳାଇଆସିଛି । ଏହା ପରେ ପ୍ରତି ଟନ୍ ପିଛା ୬୦ ଟଙ୍କା ଏହି ପରିବହନ ସଂସ୍ଥା ଦାଦା ବଟି ନେଉଥିବା ବେଳେ ଏହି ଅବୈଧ ଅସୁଲି ମାଧ୍ୟମରେ କୋଟି କୋଟି ଟଙ୍କା ଗାଡି ମାଲିକଙ୍କଠୁ ଠକିନିଆଯାଉଥିବା ଜଣାପଡିଛି । ଏହି ପରିବହନ ସଂସ୍ଥାର ନିଜସ୍ୱ ଗୋଟିଏ ହେଲେ ଟ୍ରକ ନଥିବା ବେଳେ ବିଭିନ୍ନ ଖଣିରେ ତାର ଆଧିପତ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ସଂସ୍ଥା ମାଧ୍ୟମରେ ଟ୍ରକ ଲଗାଇବାକୁ ଖଣି କର୍ତ୍ତୁପକ୍ଷ ଏବଂ ଲୁହାପଥର ରପ୍ତାନୀକାରି ସଂସ୍ଥା ମଧ୍ୟ ବାଧ୍ୟ କରୁଥିବା ବେଳେ କେବଳ ଏହି ପରିବହନ ସଂସ୍ଥା ମାଧ୍ୟମରେ ଟ୍ରକ ଗୁଡିକ ଆଇ-୩ଏମ୍‌ଏସ୍ ଦ୍ୱାରା ଟ୍ୟାଗ ହୋଇଥାଏ । ଏବଂ ଅନ୍ୟ ପରିବହନ ଠିକାଦାର ତାଙ୍କ ଅଧିନରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । ବାହାର ରାଜ୍ୟର ଟ୍ରକ ପରିବହନ ଯୋଗୁଁ ଯୋଡା ଟ୍ରକ ମାଲିକମାନେ କାମଧନ୍ଦା ହରାଇ ହତାସ ହୋଇପଡିଛନ୍ତି । ଦିନକୁ ଦିନ ତୈଳ ଦର ବୃଦ୍ଧି ସାଙ୍ଗକୁ ଟ୍ରକ ଯନ୍ତ୍ରାଂଶର ଅହେତୁକ ଦର ବୃ୍‌ଦ୍ଧି ଏବଂ ପୂର୍ବ ନିର୍ଦ୍ଧାରିତ ଦର ଠାରୁ କମ୍ ଦରରେ ପରିବହନ ଟ୍ରକ ମାଲିକମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଏହି ବାହାର ରାଜ୍ୟର ଠିକାଦାରକୁ ଜିଲ୍ଲା ପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଫଳରେ ଯୋଡା ଟ୍ରକ ମାଲିକମାନେ ଏବେ ଦେବାଳିଆ ଅବସ୍ଥାରେ ପହଞ୍ଚିଛନ୍ତି । ଏ ନେଇ ଗୁରୁବାର ଟ୍ରକ ମାଲିକ ମାନଙ୍କମାନଙ୍କ ପକ୍ଷରୁ ଶ୍ରୀ ଆଣ୍ଡଲ ଲଜିଷ୍ଟିକ୍ ନାମରେ ଯୋଡା ଥାନାରେ ଏକ ଏତଲା ଦିଆଯାଇଛି । ଯୋଡା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ କମ୍ପାନୀ ସହିତ ଆଲୋଚନା କରି ଏହାର ସମାଧାନର ବାଟ ବାହାର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ତେବେ ଟ୍ରକ ମାଲିକମାନେ ଏହାର କୌଣସି ସମାଧାନ ନହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଅର୍ଥନୈତିକ ଅବରୋଧ କରିବେ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ଟ୍ରକମାଲିକମାନଙ୍କ ସହିତ ସଂଘର କୋଷାଧ୍ୟକ୍ଷ ଗୋପିନାଥ ଗୋପଙ୍କ ବ୍ୟତୀତ ଅନ୍ୟ କୌଣସି କର୍ମକର୍ତ୍ତାଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା । ସଂଘର କର୍ମକର୍ତ୍ତାମାନଙ୍କ ସହିତ ସମ୍ପୃକ୍ତ ଠିକା ସଂସ୍ଥାର ଭିତିରି ସମ୍ପର୍କ ଥିବା ଟ୍ରକମାଲିକ ମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.