Home ଓଡ଼ିଶା ଯୋଡା : ଖଣି ନିୟମ ଉଲଂଘନ କରି ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ଦୁର୍ଘଟଣା

ଯୋଡା : ଖଣି ନିୟମ ଉଲଂଘନ କରି ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ଦୁର୍ଘଟଣା

181

ଯୋଡା, ୩୧ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦୀର୍ଘ ଦିନରୁ ମହାପର୍ବତ ସ୍ଥିତ ଇନ୍ଦ୍ରାଣୀ ପଟ୍ଟନାୟକ ଲୌହ ଖଣିରେ ବିଭିନ୍ନ ଖଣି ନିୟମ ଉଲଂଘନ କରି ଖଣି କାର୍ଯ୍ୟ ଚାଲିଆସୁଥିବା ବେଳେ ମଙ୍ଗଳବାର ରାତିରେ ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଥିବା ଜଣାପଡିଛି । ଏକ ହିଟାଚୀ ପୋକଲେନ୍ ବିଳମ୍ବିତ ରାତ୍ରିରେ ଖଣି କାର୍ଯ୍ୟ କରୁଥିବା ସମୟରେ ମାଟି ଅତଡା ଧସି ଯିବାରୁ ପ୍ରାୟ ୫୦ ମିଟର ଖାଇ ତଳକୁ ଖସି ପଡିଛି । ଫଳରେ ଏଥିରେ କାର୍ଯ୍ୟରତ ହିଟାଚି ଚାଳକ ପ୍ରବୀଣ ମୁଦୁଲି ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ବେଳେ ଘଟଣା ସ୍ଥଳରେ ଅନ୍ୟ କେହି ମୃତାହତ ହୋଇଥିବା ସନ୍ଦେହ କରାଯାଉଛି । ଖବର ଲେଖାଯିବା ପର୍ଯ୍ୟନ୍ତ ହିଟାଚି ଟିକୁ ଉଠାଯାଇନଥିବା ବେଳେ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ତାଙ୍କ ଠାରୁ କୌଣସି ସଠିକ୍ ଉତ୍ତର ମିଳିପାରୁନଥିବାରୁ ସାଧାରଣରେ ସନ୍ଦେହ ଘନିଭୁତ ହେବାରେ ଲାଗିଛି । ଏଠାରେ ସୂଚନା ଯୋଗ୍ୟ, ଉକ୍ତ ଖଣିଟିରେ ରାତ୍ରି କାଳିନ ଖଣି ଖନନ ନିମନ୍ତେ ଆବଶ୍ୟକୀୟ ଅନୁମତି ରହିଛି କି ନାହିଁ ତାହା ତଦନ୍ତ ସାପେକ୍ଷ ଥିବା ବେଳେ ଉକ୍ତ ଖଣିରେ ଆବଶ୍ୟକ ମୁତାବକ ଆଲୋକିକରଣ ହୋଇନଥିବା ଜଣାପଡିଛି । ଖଣି ନିୟମ ଅନୁଯାୟୀ ପ୍ରତି ବେଞ୍ଚର ଉଚ୍ଚତା ୧୦ ମିଟରରୁ ଉର୍ଦ୍ଧ ନହେବାର ପ୍ରାବଧାନ ଥିଲେ ମଧ୍ୟ ଏହି ଖଣିରେ ଏହାକୁ ଉଲଂଘନ କରାଯାଇ ସ୍ଥଳ ବିଶେଷରେ ୩୦ ରୁ ୪୦ ମିଟର ରୁ ଉର୍ଦ୍ଧରେ ରଖାଯାଇଥିବା ଜଣାପଡିଛି । ଖଣିଟିରେ ନିୟମ ମୁତାବକ ବ୍ୟବହୃତ ଭାରିଯାନ ପ୍ରସ୍ତର ତିନି ଗୁଣ ଅଧିକ ୫ମିଟର ଚଉଡା ରଖିବାର ବିଦ୍ଧି ରହିଥିଲେ ମଧ୍ୟ ଖଣିଟିରେ ମାତ୍ର ଗୋଟିଏ ଗାଡି ଯା ଆସ କରିବାର ରାସ୍ତା ରଖାଯାଇଛି । ସୂଚନା ଯୋଗ୍ୟ ଯେ, ଏହି ଖଣିର ମାଲିକ ଖଣି କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ ଥିବା ବେଳେ ଜଣେ ଠିକାଦାର ମାଧ୍ୟମରେ ଖଣି କାର୍ଯ୍ୟ ତୁଲାଇଆସୁଅଛନ୍ତି । ଏପରିକି ସମ୍ପୃକ୍ତ ଖଣି ମାଲିକ ମାଇନିଙ୍ଗ ମେଟ, ଫୋର ମ୍ୟାନ, ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର, ସର୍ଭେଅର, ଜିଓଲୋଜିଷ୍ଟ ଭଳି ବୈଧାନିକ ପଦବୀ ଗୁଡିକୁ ମଧ୍ୟ ପୁରୁଣ କରିନଥିବା ଜଣାପଡିଛି । ଠିକା ସଂସ୍ଥାର ସମସ୍ତ କର୍ମଚାରୀ ଏହାକୁ ନିଜ ମୁତାବକ ପରିଚାଳନା କରିଆସୁଥିବା ବେଳେ ଖଣି ମାଲିକ କେବଳ ଲାଭାଂସରେ ଭାଗିଦାର ହୋଇଥାନ୍ତି । ଫଳରେ ଏହି ଠିକା ସଂସ୍ଥା ସମସ୍ତ ଖଣି ନିୟମକୁ ଖୋଲା ଖୋଲି ଉଲଂଘନ କରି ତାର ଖଣି କାର୍ଯ୍ୟ ଚଳାଇଆସୁଥିବା ଅଭିଯୋଗ ହେଉଅଛି । ଏଥିପାଇଁ ବାରମ୍ବାର ଏହି ଖଣିରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ନଥିବା ଶ୍ରମିକ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ଚାଇବାସା ସ୍ଥିତ ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ ସେଫ୍ଟି (ଡିଡିଏମ୍‌ଏସ୍‌) ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.