Home ଓଡ଼ିଶା ଯୋଡା ଖଣି ଅଞ୍ଚଳରେ ଦାରିଦ୍ରତାର ଆଉ ଏକ ନଗ୍ନ ଉଦାହରଣ

ଯୋଡା ଖଣି ଅଞ୍ଚଳରେ ଦାରିଦ୍ରତାର ଆଉ ଏକ ନଗ୍ନ ଉଦାହରଣ

157

ଯୋଡା, ୨୭ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)  ଯୋଡା ବ୍ଲକ ଅନ୍ତର୍ଗତ କାଳିମାଟି ପଞ୍ଚାୟତର କାଳିମାଟି ଛକ ନିକଟରେ ପହଞ୍ଚିଲେ ସ୍ୱତଃ ନଜର ଚାଲିଯାଏ ଏକ ଜରାଜିର୍ଣ୍ଣ ଝାଟିମାଟି ଘର ଉପରକୁ । ଏଇଠି ରୁହନ୍ତି ଏକାକି ସୁନାଇଁ ଜୁଙ୍କୁ । ବୟସ ତାଙ୍କର ୫୦ ସରିିକି । ଦାରିଦ୍ରତାର କଷାଘାତରେ ସେ ସମ୍ପୂର୍ଣ୍ଣ ଅକର୍ମନ୍ୟ । ଫଳରେ ପ୍ରକୃତ ବୟସ ଠାରୁ ସେ ଢେର ଅଧିକ ଜଣାପଡନ୍ତି । ସ୍ୱାମୀ ଶିବ ଶଙ୍କର କେଉଁ କାଳୁ ଆରପାରିକୁ ଚାଲିଗଲେଣି । ଗୋଟିଏ ଝିଅ ବିବାହିତା । ପୁଅ ଟିଏ ତାଙ୍କ ଭାଗ୍ୟରେ ନାହିଁ । ସ୍ୱାମୀ ଚାଲିଗଲାପରେ ପୁରା ପରିବାର କହିଲେ ସେ ଏକା । ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଯାହା ଚାଉଳ ପାଆନ୍ତି ସେହିଥିରେ ଓଳିଏ ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡେ । ମୁଣ୍ଡ ଗୁଞ୍ଜିବାକୁ ସ୍ୱାମୀ ଛାଡିଥିବା ଝାଟିମାଟି ଘରଟିରେ ଏବେ ଚନ୍ଦ୍ର ସୂର‌୍ୟ୍ୟଙ୍କ ଯାତାୟତ । ଉପରେ ପଲିଥିନ ଖଣ୍ଡିଏ ପକାଇବାକୁ ମଧ୍ୟ ହାତରେ ପଇସାଟିଏ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କି ବିଜୁ ପକ୍କାଘରଟିଏ ପାଇବା ପାଇଁ ସେ ବହୁ ଚେଷ୍ଟା କରିଛନ୍ତି । ସରପଞ୍ଚଙ୍କ ପାଖରେ ବହୁତ ନେହୁରା ହୋଇ ଶେଷରେ ବିଫଳ ହୋଇଛନ୍ତି । ଏବେ ସେହି ଜରାଜିର୍ଣ୍ଣ କୁଡିଆରେ ହିଁ ମୃତ୍ୟୁ ପାଇଁ ଦିନ ଗଣୁଛନ୍ତି ବୋଲି ସେ କାନ୍ଦିକାନ୍ଦି କହିଥିଲେ । ତେବେ ଏଇଠି ଯେକୌଣସି ସଚେତନ ବ୍ୟକ୍ତି ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେ ସରକାରଙ୍କର ଏତେ ସବୁ ଯୋଜନା ତେବେ କାହା ପାଇଁ ?

ଖଣିଜ ସମ୍ପଦରେ ଭରପୁର ପ୍ରାଚୁର‌୍ୟ୍ୟ ଭରା ଏହି ଖଣି ଅଞ୍ଚଳରେ ଏହା ଦାରିଦ୍ରତାର ଏକ ନଗ୍ନ ଉଦାହରଣ ନୁହେଁକି ? ଆଦିବାସୀ ଙ୍କ ବହୁବିଦ୍ଧ ଉନ୍ନୟନ ନିମନ୍ତେ ସରକାର ସ୍ୱତନ୍ତ୍ର ପାଣ୍ଠି ଗଠନ କରିଛନ୍ତି । ତେବେ ଏହି ପାଣ୍ଠି କାହା ହିତରେ ବ୍ୟବହାର କରାଯାଉଛି । ସରକାର ଗରିବ ଲୋକଙ୍କ ନିମନ୍ତେ ଜନ୍ମଠାରୁ ମୃତ୍ୟୁ ପର‌୍ୟ୍ୟନ୍ତ ବହୁ ଯୋଜନାମାନ ପ୍ରଣୟନ କରିଛନ୍ତି । ଜମିହୀନମାନଙ୍କୁ ବସୁନ୍ଧରା ଯୋଜନାରେ ୪ ଡିସମିଲ ସରକାରୀ ଜମିରେ ଘର ଡିହ ଯୋଗାଇଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ବାସଗୃହ ଯୋଗାଇଦିଆଯାଇଥାଏ । ତେବେ ଏହି ଯୋଜନା ଯେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନାହିଁ ତାହାର ଉଦାହରଣ ସୁନାଇଁ ଜୁଙ୍କୁ ନୁହନ୍ତି କି ? ଏ ସଂକ୍ରାନ୍ତରେ କାଳିମାଟି ସରପଞ୍ଚ ଓ ଯୋଡା ବ୍ଲକ ପି.ଓ. ଙ୍କୁ ଯୋଗାଯୋଗ କରିବାରୁ ସେ ସୁନାଇଁଙ୍କ ପଟ୍ଟା ଜମି ନଥିବାରୁ ତାଙ୍କୁ ବାସଗୃହ ଯୋଗାଇଦେବା ସମ୍ଭବ ହୋଇନାହିଁ ବୋଲି କହିଥିଲେ । ତେବେ ଏହି ବସୁନ୍ଧରା ଯୋଜନା କଣ କେବଳ ବଡବଡିଆଙ୍କ ପାଇଁ ବୋଲି ଏବେ ପ୍ରଶ୍ନ ଉଠିଛି । ଯୋଡା ବ୍ଲକ ଉନ୍ନୟନ ଅଧିକାରୀ ତୁରନ୍ତ ମହିଳା ଜଣଙ୍କୁ ଆବଶ୍ୟକ ସହାୟତା ଯୋଗାଇଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.