Home ଓଡ଼ିଶା ଯୋଡା : କରୋନା କାଳରେ ଭତ୍ତା ପାଇବାରୁ ବଞ୍ଚିତ ୧୯ଟି ପଞ୍ଚାୟତର ହିତାଧିକାରୀ

ଯୋଡା : କରୋନା କାଳରେ ଭତ୍ତା ପାଇବାରୁ ବଞ୍ଚିତ ୧୯ଟି ପଞ୍ଚାୟତର ହିତାଧିକାରୀ

103

ଯୋଡା, ୧୪ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): କରୋନା କଟକଣା ଯୋଗୁଁ ଲୋକେ ଜୀବନ ଜୀବିକା ହରାଇବସୁଥିବା ବେଳେ ଜିଲ୍ଲା ପ୍ରଶାସନର ଅପରିଣାମଦର୍ଶିତା କାରଣରୁ ଯୋଡା ବ୍ଲକ ଅଧିନରେ ଥିବା ୧୯ଟି ପଞ୍ଚାୟତର ୧୨ ହଜାର ୪୫ ଜଣ ହିତାଧିକାରୀ ଏହି କରୋନା କାଳରେ ମଧ୍ୟ ସରକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ପ୍ରତି ମାସର ୧୫ ତାରିଖ ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ମଧୁବାବୁ ପେନସନ ଯୋଜନା ଏବଂ ଇନ୍ଦରାଗାନ୍ଧୀ ପେନସନ ଯୋଜନା ଅଧିନରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅବିବାହିତା ଭତ୍ତା ଯୋଗ୍ୟ ହିତାଧିକାରୀମାନଙ୍କୁ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଥାଏ । ଶନିବାର ୧୫ତାରିଖ ହୋଇଥିବାରୁ ହିତାଧିକାରୀ ମାନଙ୍କ ନିମନ୍ତେ ପୂର୍ବ ସୂଚନା ନଥିବାରୁ ଅନେକ ବୃଦ୍ଧ, ବୃଦ୍ଧା ଏହି ପ୍ରଚଣ୍ଡ ଖରାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି । ପ୍ରତି ମାସ ୧୯ଟି ପଞ୍ଚାୟତର ୧୨ହଜାର ୪୫ ଜଣ ହିତାଧିକାରୀଙ୍କୁ ୫୦ଲକ୍ଷ ୩୯ ହଜାର ଟଙ୍କା ଭତ୍ତା ଆକାରରେ ପ୍ରଦାନ କରାଯାଇଥାଏ । କିନ୍ତୁ ନିକଟରେ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗେଶ୍ୱର ନାଏକଙ୍କ ଅନୈତିକ ଅର୍ଥକାରବାର ଖବର ପଦାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସେଠାରୁ ସ୍ଥାନାନ୍ତରିତ କରି ତାଙ୍କ ସ୍ଥାନରେ ଝୁମ୍ପୁରା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚୁନୁ ହାଂସଦାଙ୍କୁ ଅସ୍ଥାୟୀ ଭାବେ ଯୋଡା ଦାୟିତ୍ୱ ଦେଇଥିଲେ ମଧ୍ୟ ଅର୍ଥନୈତିକ କାରବାରର ଦାୟିତ୍ୱ ହସ୍ତାନ୍ତର କରାଯାଇନଥିବାରୁ ଏହି ସମସ୍ୟା ଦେଖାଦେଇଛି । ତେବେ ନୂତନ ଅଧିକାରୀ ନଆସିବା ପର୍ଯ୍ୟନ୍ତ ଏହି ସମସ୍ୟା ଜାରି ରହିବ ବୋଲି ଜଣାପଡିଥିବା ବେଳେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ପୂର୍ବତନ ବ୍ଲକ ଅଧିକାରୀ ସ୍ଥାନାନ୍ତରିତ ହେବାର ୧୦ଦିନରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ସମ୍ବେଦନଶୀଳ ତଥା ଆଦିବାସୀ ବହୁଳ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ଥାୟୀ ଅଧିକାରୀ ନିଯୁକ୍ତି କରାନଯିବା ଫଳରେ ବ୍ଲକର ସମସ୍ତ କାର୍ଯ୍ୟ ତ୍ୱାରାନ୍ୱିତ ହୋଇପାରୁନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟା ସମାଧାନ କରିବାକୁ ହିତାଧିକାରୀମାନେ ଅନୁରୋଧ କରିଛନ୍ତି । ଯୋଡା ବ୍ଲକର ଗୋଷ୍ଠୀ ସାମାଜିକ ସୁରକ୍ଷା ସମ୍ପ୍ରସାରଣ ଅଧିକାରୀଣୀ ସୁଶ୍ରୀ ସରିତା ବେହେରାଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଛନ୍ତି ଯେ, ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅର୍ଥନୈତିକ ଦାୟିତ୍ୱ ହସ୍ତାନ୍ତର କରାଯାଇନଥିବାରୁ ଏଭଳି ସମସ୍ୟା ଦେଖାଦେଇଛି, ତେବେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଗଲେ ତୁରନ୍ତ ହିତାଧିକାରୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.