Home ଓଡ଼ିଶା ଯୋଡା : ଇନ୍ଦ୍ରାଣୀ ଖଣିରେ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ଥାନାରେ ମାମଲା

ଯୋଡା : ଇନ୍ଦ୍ରାଣୀ ଖଣିରେ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ଥାନାରେ ମାମଲା

70

ଯୋଡା – ୨୪/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ମହାପର୍ବତ ଖଣିରେ ଗୋଷ୍ଠୀ ବିବାଦ ଥମିବାର ନା ଧରୁନାହିଁ । ଖଣିଟିରେ ମା’ କୁଆଁରି ଟ୍ରାନ୍ସପୋର୍ଟ ଏବଂ ବାବା ଧବଳେଶ୍ୱର କମିଟି ଦୁଇଟି ପରିବହନ ସଂସ୍ଥା ପରିବହନ କାର୍ଯ୍ୟ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ରବିବାର ଦିନ ଗୋଷ୍ଠୀ ବିବାଦ ଘଟି ଉଭୟ ପକ୍ଷରୁ ୨ଟି ପୃଥକ ମାମଲା ଦାୟର କରାଯାଇଥିବା ଜଣାପଡିଛି । ତେବେ ପୁଲିସ କାହାରିକୁ ଗିରଫ କରିନଥିବା ବେଳେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ପରିବହନ କାର୍ଯ୍ୟ ବନ୍ଦ ରହିଥିବାରୁ ପରିବହନ ନିମନ୍ତେ ଯାଇଥିବା ଟ୍ରକ ଗୁଡିକ ଖାଲି ଫେରିଆସିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମହାପର୍ବତ ଖଣିର ପାଦ ଦେଶରେ ଉଚ୍ଚବାଲି ଗ୍ରାମ ଅବସ୍ଥିତ । ଏହି ଗ୍ରାମର ଲୋକେ ସାଧାରଣତଃ ଚାଷ ବାସ ଓ ଗୋ ମହିସାଦି ପାଳନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ଏଥିରେ କଷ୍ଟେମଷ୍ଟେ ନିଜର ଗୁଜୁରାଣ ମେଣ୍ଟାଇ ଅତ୍ୟନ୍ତ ଦୟନୀତ ଜୀବନ ଯାପନ କରିଆସୁଥିଲେ । ୨୦୦୮ ମସିହାରେ ମହାପର୍ବତ ଠାରେ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ନୂତନ ଖଣିର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଖଣିରେ କାମଧନ୍ଦା ପାଇବା ନେଇ ସେମାନଙ୍କ ମନରେ ଉନ୍ନତ ଜୀବନ ଯାପନ କରିବାର ଆଶା ସଞ୍ଚାର ହୋଇଥିଲା । ଗ୍ରାମବାସୀମାନଙ୍କୁ ଉନ୍ନତ ଜୀବନ ଯାପନ କରିବାର ସ୍ୱପ୍ନ ଦେଖାଇ ଜଣେ ରାଜନେତା ମା’ କୁଆଁରି ଟ୍ରାନ୍ସପୋର୍ଟ ନାମକ ଏକ ସଂସ୍ଥା ଗଠନ କରି ୨୦୦୮ ମସିହା ଠାରୁ ଉକ୍ତ ଖଣିରେ ଏକଚାଟିଆ ପରିବହନ କାର୍ଯ୍ୟ କରିଆସୁଥିଲେ । ଏହି ସଂସ୍ଥାରେ ୨୨ ଜଣ ସଦସ୍ୟ ଥିବା ବେଳେ ୧୧ ବର୍ଷ ହେବ ଏହି ସଦସ୍ୟମାନେ କୋଟି କୋଟି ଟଙ୍କା ଲାଭାଂସ ପାଇ ଉନ୍ନତ ଜୀବନ ଯାପନ କରିଆସୁଛନ୍ତି । ତେବେ ଗ୍ରାମବାସୀମାନଙ୍କୁ ଏହି ସଂସ୍ଥା ନିଜ ହାତ ଟେକାରେ ରଖି ପର୍ବ ପର୍ବାଣୀରେ ମାତ୍ର କେଇ ହଜାର ଟଙ୍କା ନେଇ ସବୁତକ ଅର୍ଥ ଆତ୍ମସାତ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଆସୁଥିଲେ । ଏହାକୁ ବିରୋଧ କରି ୨୦୧୯ରେ ଉଚ୍ଚବାଲି ଗ୍ରାମର କିଛି ଯୁବକ ବାବା ଧବଳେଶ୍ୱର କମିଟି ଗଠନ କରି ଉଚ୍ଚବାଲି ଗ୍ରାମବାସୀମାନଙ୍କ ମଧ୍ୟରେ ଲାଭାଂଶକୁ ବଣ୍ଟନ କରିଆସୁଥିଲେ । ବାବା ଧବଳେଶ୍ୱର କମିଟି ଏବଂ ମା’ କୁଆଁରି ଟ୍ରାନ୍ସପୋର୍ଟ ମଧ୍ୟରେ ଦିନକୁ ଦିନ ବବିଦା ଘନେଇବାରୁ ଖଣିତ୍ତଲିଜ୍ ଧାରିଙ୍କ ହସ୍ତକ୍ଷେପ ପରେ ମା’ କୁଆଁରି ଟ୍ରାନ୍ସପୋର୍ଟ ୩୫ ପ୍ରତିଶତ ଏବଂ ବାବା ଧବଳେଶ୍ୱର କମିଟି ୬୫ ପ୍ରତିଶତ କାର୍ଯ୍ୟ କରିବାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେବେଠାରୁ ପରିବହନ କାର୍ଯ୍ୟ ସୁରୁଖୁରୁରେ ଚାଲିଆସୁଥିବା ବେଳେ ଏବେ ନୟାଗଡ, ବଡକାଳିମାଟି, ପଳଶା, ବଳଦା ପଞ୍ଚାୟତର କିଛି ଲୋକ ଉକ୍ତ ମା’ କୁଆଁରି ସପକ୍ଷରେ ଆସି ଖଣିରେ ପରିବହନ କାର୍ଯ୍ୟରେ ଅଂଶିଦାର ହେବା ପାଇଁ ଖଣି ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ମା ‘ କୁଆରି ଟ୍ରାନ୍ସପୋର୍ଟର ମହେଶ୍ୱର ବାରିକ୍‌, ପୁର୍ଣ୍ଣଚନ୍ଦ୍ର ବାରିକ୍ ଏବଂ ଅନାମାନଙ୍କ ନାମରେ ଏକ ମାମଲା ଧବଳେଶ୍ୱର କମିଟି ଦେଇଥିବା ବେଳେ ମା’ କୁଆରି ପକ୍ଷରୁ ଅନୁରୁପ ଏକ ଏତଲା ଭିମସେନ ବାରିକ୍‌, ସତ୍ୟବ୍ରତ ପ୍ରଧାନ, ସଞ୍ଜୟ ବାରିକ୍ ଏବଂ ବାବା ଧବଳେଶ୍ୱର କମିଟିର ଶତାଧିକ ସଦସ୍ୟଙ୍କ ନାମରେ ଦିଆଯାଇଥିବା ଜଣାପଡିଛି । ଖଣି ନିଲାମ ପ୍ରକ୍ରିୟା ଚାଲୁଥିବା ବେଳେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣିଟିକୁ ବାଦ ଦେଲେ ଏହି ପଞ୍ଚାୟତ ଅନ୍ତର୍ଗତ ବଳଦା ଲୌହ ଖଣି, ଜଜାଙ୍ଗ ଲୌହ ଖଣି, ଜରିବାହାଲ ଲୌହ ଖଣି, ଜୁରୁଡି ଲୌହ ଖଣି, ଜଲହରି ଲୌହ ଖଣି, ଜିଲିଙ୍ଗ ଲଙ୍ଗାଲୋଟା ଲୌହ ଖଣି ପୁରୁଣା ଖଣି ଲିଜ୍ ଧାରି ରୁଙ୍ଗଟା, ପିଏମ୍‌ପି, କେଏମ୍‌ସି, ଏସେଲ ମାଇନିଙ୍ଗ କମ୍ପାନୀ ହାତରୁ ନୁଆ ମାଲିକଙ୍କ ହାତକୁ ଚାଲିଯାଇଛି । ତେଣୁ ସମସ୍ତଙ୍କ ନଜର ଏବେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଉପରେ ପଡିଛି । ଏହି ୪ଟି ପଞ୍ଚାୟତ ମଧ୍ୟରେ ଅନ୍ତର୍ଗତ ଖଣି ଗୁଡିକ ପୁନଃ କାର୍ଯ୍ୟକ୍ଷମ ହେଲେ ସେଥିରେ ମଧ୍ୟ ଏହି ବିବାଦ ମୁଣ୍ଡ ଟେକିବ ବୋଲି ଜଣାପଡିଛି । ଘରେ ବସି ଭାଗ ପାଇବାର ଏହି ପ୍ରକ୍ରିୟା ଖଣି ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି କରିଛି । ଏହାକୁ ପ୍ରଶାସନିକ ସ୍ଥରରେ ସମାଧାନ କରାଯାଇନପାରିଲେ ଏଗାମୀ ଦିନରେ ଏହା ବଡ ଧରଣର ଦଙ୍ଗାର ରୂପ ନେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.