Home ଓଡ଼ିଶା ଯୋଜନା କାର୍ଯ୍ୟକାରୀରେ ଘୋର ଅନିୟମିତତା! ସଦର ବ୍ଲକ ଘେରିଲା ବିଜେପି

ଯୋଜନା କାର୍ଯ୍ୟକାରୀରେ ଘୋର ଅନିୟମିତତା! ସଦର ବ୍ଲକ ଘେରିଲା ବିଜେପି

24

ବାଲେଶ୍ୱର, ୨୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରିତାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ମଙ୍ଗଳବାର ସଦର ବ୍ଲକ ଘେରାଓ କରାଯାଇଥିଲା। ବିଜେପି ସଦର ମଣ୍ଡଳ ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି ଘେରାଓ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଶତାଧିକ ଦଳୀୟ କର୍ମୀ ଓ ସାଧାରଣ ଲୋକେ ସାମିଲ ହୋଇଥିଲେ। ବ୍ଲକ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ବିଜେପିର ବରିଷ୍ଠ ନେତା ତଥା ବୁଆଁଳ ପଞ୍ଚାୟତର ସମିତି ସଭ୍ୟ ରବିନାରାୟଣ ମହାପାତ୍ର ପୌରୋହିତ୍ୟ କରିବା ସହ ବିଭିନ୍ନ କାର୍ଯ୍ୟରେ ସରକାରୀ ସ୍ତରରେ ଚାଲିଥିବା ଅନିୟମିତତା ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀ ଦତ୍ତ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ନେତା ସତ୍ୟଜିତ ମିଶ୍ର, ସୁଜିତ କୁମାର ଦେବ, ପ୍ରବୀର ଶଙ୍କର ଦାଶ, ଗୌରାଙ୍ଗ ଦାସ, ରଶ୍ମିତା ମଣ୍ଡଳଙ୍କ ସମେତ ଅନ୍ତର୍ଯ୍ୟାମୀ ବେହେରା, ଭୋଳାନାଥ ପାତ୍ର, ସୁକାନ୍ତ ମହାପାତ୍ର, ସନିଆ ମୁର୍ମୁ, ଅମ୍ବିକା ବେହେରା, ଅଭିପ୍ସା ନାୟକ, ଅନ୍ନପୂର୍ଣ୍ଣା ମଣ୍ଡଳ, ବନୀତା ଭୂୟାଁ, ସତ୍ୟଭାମା ରାଉତ ପ୍ରମୁଖ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଏଥିରେ ଯୋଗଦେଇ ସଦର ବ୍ଲକ କର୍ତ୍ତୃପକ୍ଷଙ୍କ ଅନିୟମିତ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ। ବିଶେଷ କରି ବାର୍ଦ୍ଧକ୍ୟ ଭତ୍ତା, ରେସନକାର୍ଡ଼ ଓ ଆବାସ ଯୋଜନା ହିତାଧିକାରୀ ଚୟନରେ ଚାଲିଥିବା ଘୋଟାଲା ସମ୍ପର୍କରେ ବକ୍ତାମାନେ କହିଥିଲେ। ଶାସକ ଦଳର ନେତା ଓ କର୍ମୀଙ୍କ ପ୍ରରୋଚନାରେ ପଡ଼ି ବ୍ଲକର ଅଧିକାରୀମାନେ ପ୍ରକୃତ ହିତାଧିକାରୀଙ୍କୁ ଲୋକାଭିମୁଖୀ ଯୋଜନାରୁ ବଞ୍ଚିତ କରୁଛନ୍ତି ବୋଲି ସେମାନେ ଆରୋପ ଉଠାଇଥିଲେ। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ନଳକୂପ ଖନନରେ ପାତରଅନ୍ତର ନୀତି ସମ୍ପ୍ରତି ସାଧାରଣ ଲୋକଙ୍କ ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିଛି ବୋଲି ବିଜେପି ନେତାମାନେ କହିଥିଲେ। ତୁରନ୍ତ ବାଦ ପଡ଼ିଥିବା ହିତଧିକାରୀଙ୍କୁ ଆବାସ ଯୋଜନା, ରେସନକାର୍ଡ଼ ଓ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ଚାଲିକାଭୁକ୍ତ କରିବା, ଭୂମିହୀନଙ୍କୁ ଘରଡିହ ପଟ୍ଟା ଯୋଗାଇ ଦେବା, କୋଭିଡ ପରିଚାଳନାରେ ହୋଇଥିବା ଖର୍ଚ୍ଚକୁ ଜିପି ଆଇଟିରେ ସାମିଲ କରିବା ପରିବର୍ତ୍ତେ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା ପାଇଁ ଏହି ପ୍ରତିବାଦ ସଭାରେ ଦାବି ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ସଦର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲ। ଦାବି ପୂରଣ ନେଇ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବିଜେପି କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.