Home ଜିଲ୍ଲା ପରିକ୍ରମା ଯୋଗାଣ ନିଗମ ଉପରେ ୭ କୋଟି ୬୨ ଲକ୍ଷ ଟଙ୍କାର ଧାନ ଟିକସ ବାକି

ଯୋଗାଣ ନିଗମ ଉପରେ ୭ କୋଟି ୬୨ ଲକ୍ଷ ଟଙ୍କାର ଧାନ ଟିକସ ବାକି

43

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଯୋଗାଣ ନିଗମ ଉପରେ ଦୁଇଗୋଟି ଆରଏମସିଙ୍କର ୭ କୋଟି ୬୨ ଲକ୍ଷ ଟଙ୍କାର ଧାନ ଟିକସ ବାକି ପଡିଛି । ଏଥିରେ କେବଳ ଭଦ୍ରକ ଆରଏମସିଙ୍କର ୬ କୋଟି ୬୩ ଲକ୍ଷ ୯୨ ହଜାର ଟଙ୍କା ବାକି ପଡିଥିବା ବେଳେ ଚାନ୍ଦବାଲି ଆରଏମସିଙ୍କର ୯୯ ଲକ୍ଷ ଟଙ୍କା ବାକି ପଡିଛି । ଗତ ୨୦୧୯-୨୦ କୃଷିବର୍ଷ ଧାନ କିଣାରେ ଏହି ଅର୍ଥ ବାକି ପଡିଛି । ଗତବର୍ଷ ଉଭୟ ଆରଏମସିଙ୍କ ଜରିଆରେ ଯୋଗାଣ ନିଗମ ମୋଟ ୨୧ ଲକ୍ଷ ୨୬ ହଜାର ୯୯୩ କ୍ୱଂଟାଲ ଧାନ ସଂଗ୍ରହ କରିଥିବା ବେଳେ ସେଥିରୁ କେବଳ ଭଦ୍ରକ ଆରଏମସି ଜରିଆରେ ୧୮ ଲକ୍ଷ ୨୮ ହଜାର ୯୯୩ କ୍ୱିଂଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ଚାନ୍ଦବାଲି ଆରଏମସିଙ୍କ ଜରିଆରେ ୨ ଲକ୍ଷ ୯୮ ହଜାର କ୍ୱିଂଟାଲ ଧାନ ସଂଗ୍ରହ କରାଯାଇଛି । ସରକାରୀ ନିୟମ ଅନୁଯାଇ କ୍ରେତାଙ୍କୁ ଏଥିସକାସେ ୨ ପ୍ରତିଶତ ମାର୍କେଟ ଫି ଆରଏମସିଙ୍କୁ ଭରଣା କରିବାକୁ ପଡିଥାଏ । ଯାହାକି ଯୋଗାଣ ନିଗମ ଧାନ ସଂଗ୍ରହ ପରେ ଆରଏମସିଙ୍କୁ ଦେଇଥାଏ । ତେବେ ଗତବର୍ଷର ଧାନ ସଂଗ୍ରହ ସରି ଚଳିତ ବର୍ଷର ଧାନ ସଂଗ୍ରହ ଆରମ୍ଭ ହେବାକୁ ବସିଥିଲେ ମଧ୍ୟ ଯୋଗାଣ ନିଗମ ଏଯାଏ ପୂର୍ବ ବର୍ଷ ଧାନ କିଣା ଟିକସ ଅର୍ଥ ପୈଠ ନକରିବା ଘଟଣା ଏବେ ଆରଏମସି ଗୁଡିକ ପାଇଁ ଚିନ୍ତାର କାରଣ ହୋଇଛି । କାରଣ କୋଭିଡ ଯୋଗୁ ଗତ ପ୍ରାୟ ୮ ମାସ ଧରି ଆରଏମସି ଗୁଡିକର ଟିକସ ଆଦାୟ ଗୁରୁତର ଭାବେ ପ୍ରଭାବିତ ହେବା ଯୋଗୁ ସେମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏପରିସ୍ତଳେ ଚଳିତ ବର୍ଷ ଧାନ କିଣା ପୂର୍ବରୁ ମଣ୍ଡିଗୁଡିକର ଉନ୍ନତିକରଣ ଏବଂ ସେମାନଙ୍କୁ ଆବଶ୍ୟକ ଧାନକିଣା ସରଞାମ ଯୋଗାଇ ଦେବାକୁ ବିପୁଳ ଅର୍ଥର ଆବଶ୍ୟକତା ରହିଥିବା ବେଳେ ଯୋଗାଣ ନିଗମ ଉପରେ ଆରଏମସି ଗୁଡିକର କୋଟି କୋଟି ଟଙ୍କା ଧାନ ଟିକସ ବାକି ପରିସ୍ଥିତିକୁ ଜଟିଳ କରିଥିବା ଜଣାପଡିଛି । ଏହି ଟଙ୍କା ରିଲିଜ କରିବା ସକାସେ ଆରଏମସଗୁଡିକ ପକ୍ଷରୁ ରାଜ୍ୟ ଯୋଗାଣନିଗମଙ୍କୁ ବାରମ୍ଭାର ଚିଠି ଲେଖା ଯାଉଥିଲେ ମଧ୍ୟ ଅଦ୍ୟାବଧି ଏହି ଅର୍ଥ ରିଲିଜ କରାଯାଇନଥିବା କଥା ଉଭୟ ଆରଏମସିର ସଂପାଦକ କହିଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.