Home ଜିଲ୍ଲା ପରିକ୍ରମା ଡ୍ରେନ୍ ଭିତରେ ଅଳିଆ, ଉପରେ ଦୋକାନ : ବଢି ଚାଲିଛି ଜବରଦଖଲ

ଡ୍ରେନ୍ ଭିତରେ ଅଳିଆ, ଉପରେ ଦୋକାନ : ବଢି ଚାଲିଛି ଜବରଦଖଲ

28

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜବରଦଖଲକୁ ନେଇ ଚିନ୍ତାରେ ଜିଲା ପ୍ରଶାସନ । ଭଦ୍ରକ ସହରର ଅଧିକାଂଶ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି । ଜବରଦଖଲକାରୀମାନେ ବର୍ଷ ବର୍ଷ ଧରି ସରକାରୀ ଜମିକୁ ହାତେଇ ନେଇଛନ୍ତି । ସରକାରୀ ଜମିରେ କୋଠାବାଡି କରି ରହୁଛନ୍ତି । କିନ୍ତୁ ରାସ୍ତାଘାଟ ହେବା ବେଳକୁ ଇଂଚେ ବି ଜାଗା ଛାଡୁନାହାଁନ୍ତି । ଫଳରେ ରାସ୍ତାଘାଟ ଓ ଡ୍ରେନ୍ ନିର୍ମାଣ କିମ୍ବା ସଂପ୍ରସାରଣ ହୋଇପାରୁନାହିଁ । ଏହି କାରଣରୁ ସହରରେ ଟ୍ରାଫିକ୍ ବ୍ୟବସ୍ଥା ଠାରୁ ଆରମ୍ଭ କରି ସହରର ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି । ପାର୍କିଂ ଜୋନ୍ ନଥିବାରୁ ରାସ୍ତା ଉପରେ ଗାଡିମୋଟର ରଖାଯାଉଛି । ଭଦ୍ରକ ସହର ଦିନକୁ ଦିନ ସଂକୁଚିତ ହୋଇଯାଉଛି । ରାସ୍ତାଘାଟ, ଦୋକାନ ବଜାର ସବୁଠି ଜବରଦଖଲ । ଦୋକାନ ପରେ ଦୋକାନ, ଗାଡି ମୋଟର ଓ ଲୋକଙ୍କ ଗହଳି ଏତେ ହୋଇଛି ଯେ, ସହରର ପରିବେଶ ଓ ସୌନ୍ଦର୍ଯ୍ୟକୁ ବିପର୍ଯ୍ୟସ୍ତ କରିଦେଇଛି । ଧୂଳି ଓ ଅଳିଆ ଭର୍ତ୍ତି ସହର ଲୋକଙ୍କୁ ଅଣନିଶ୍ୱାସୀ କରିଛି । ପ୍ରଶାସନ ଚାହିଁଲେ ମଧ୍ୟ କିଛି କାରିପାରୁନାହିଁ । କିଛମାସ ପୂର୍ବରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଏହି ଉଚ୍ଛେଦ ଅଭିଯାନ ଅଟକି ଯାଇଛି । ଏବେ ପୁଣି ଉଚ୍ଛେଦ କରାଯିବାରେ ବିଳମ୍ବ ହେଉଛି । ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି । ଅଳିଆ ସହରରୁ ସ୍ମାର୍ଟ ସହରର ସ୍ୱପ୍ନ ଦେଖୁଥିବା ବିଧାୟକ ସଂଜୀବ ମଲ୍ଲିକଙ୍କର ଏଇ କଥାକୁ ସବୁ ବର୍ଗରେ ସ୍ୱାଗତ କରାଯାଇଛି ।

ବିଧାୟକଙ୍କ ପ୍ରତିଶ୍ରୁତି ଅନୁଯାୟୀ କାମ ଆରମ୍ଭ ହୋଇଥିଲା । ଜବରଦଖଲ ଉଚ୍ଛେଦ ଅଭିଯାନକୁ ସାରା ଜିଲାବାସୀ ଓ ସହରର ୯୫ ପ୍ରତିଶତ ଲୋକ ସମର୍ଥନ ଦେଉଥିଲେ । ମାତ୍ର ସବୁ କାମ ଏବେ ଅଟକି ଯାଇଛି । କେବଳ ସ୍ମାର୍ଟ ସିଟିର କାମ କଥା ନୁହେଁ । ଜିଲାରେ ସବୁକିଛି ବିକାଶ ଅଟକି ଯାଇଛି । ସ୍ମାର୍ଟ ସିଟିର ପରିକଳ୍ପନା ଯଦି ବାସ୍ତବ ରୂପ ନନିଏ, ତେବେ ଭଦ୍ରକ ସହରବାସୀ ମଧ୍ୟ ଆଗାମୀ ପୌର ନିର୍ବାଚନ ପୂର୍ବରୁ ଭଦ୍ରକ ସହରର ରୂପ ନବଦଳିଲେ ଲୋକଙ୍କ ଭିତରେ ଅସନ୍ତୋଷ ତେଜୁଛି । ରାସ୍ତା ଉପରେ ହାଟ, ରାସ୍ତା ଉପରେ ଅଳିଆ, ରାସ୍ତା ଉପରେ ଗୋରୁଗାଈ ବୁଲୁଛନ୍ତି । ଡ୍ରେନ୍ ଭିତରେ ଅଳିଆ, ଡ୍ରେନ୍ ଉପରେ ଦୋକାନ ଘର । ଏଥିପାଇଁ ଲୋକେ ଅଣନିସ୍ୱାସୀ ହୋଇପଡିଛନ୍ତି । ଏବେ ପୌର ଅଧ୍ୟକ୍ଷ କି କାଉନ୍‌ସିଲର କେହି ନଥିବା ବେଳେ ଅଫିସରଙ୍କ ମର୍ଜିରେ କାମ ଚାଲିଛି । ସହରରେ ଡ୍ରେନେଜ୍ ସିଷ୍ଟମ ନାହିଁ । ରାସ୍ତା ଉପରେ ଦୋକାନୀ ଉଠା ଦୋକାନୀଙ୍କୁ ସ୍ଥାୟୀ ଭାବେ ଥଇଥାନ କରାଯାଉନାହିଁ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭେଣ୍ଡିଂ ଜୋନ୍ କରାଯାଉ । ତାହା ନହେଲେ ସହର ଦିନକୁ ଦିନ ସଂକୁଚିତ ହୋଇଯାଉଛି । ପୌରପାଳିକା ପକ୍ଷରୁ ଉପଯୁକ୍ତ ଭେଣ୍ଡିଂ ଜୋନ୍ ବ୍ୟବସ୍ଥା କରାଯାଉ ନଥିବାରୁ ଲୋକମାନେ ଯାତାୟତ ଓ ଗାଡି ପାର୍କିଂରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ପୁଲିସ୍‌ର ନାଲି ଆଖିରେ ସାଧାରଣ ଲୋକ ଅତିଷ୍ଠ ହୋଇପଡିଲେଣି । ଜବରଦଖଲ ନହଟିବା ପର୍ଯ୍ୟନ୍ତ ଟ୍ରାଫିକ୍ ନିୟନ୍ତ୍ରଣ ହୋଇପାରିବ ନାହିଁ । ସହରର ମୁଖ୍ୟ ରାସ୍ତା ଜବରଦଖଲରେ ରହୁଥିବାରୁ ଓସାରିଆ ରାସ୍ତା ସହର ଭିତରେ ହୋଇପାରୁନାହିଁ । ରାସ୍ତା ନଥିବାରୁ ଡ୍ରେନ୍ ମଧ୍ୟ ନିର୍ମାଣ ହେଉନାହିଁ । ୧୯୯୩ ମସିହାରୁ ଭଦ୍ରକ ଜିଲାର ମାନ୍ୟତା ପାଇଥିବାବେଳେ ଜିଲା ମହକୁମା ଏବେ ମଧ୍ୟ ସଂକୀର୍ଣ୍ଣ ହୋଇରହିଛି । ସହରରେ ମଧ୍ୟ ଅନେକ ସରକାରୀ ଅଫିସ୍ ଠିକ୍ ଭାବେ ଖୋଲାଯାଇପାରୁନାହିଁ । ଭଦ୍ରକ ସହରକୁ ସରସ ସୁନ୍ଦର କରିବାକୁ ହେଲେ ଜବରଦଖଲ ହଟାଇବାକୁ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.