Home Top News ଯୁବପିଢ଼ିଙ୍କ ବୌଦ୍ଧିକ କ୍ଷମତା ଓ ସୃଜନଶୀଳତାକୁ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

ଯୁବପିଢ଼ିଙ୍କ ବୌଦ୍ଧିକ କ୍ଷମତା ଓ ସୃଜନଶୀଳତାକୁ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

49

ଉତରପ୍ରଦେଶର ବାରଣାସୀ ଠାରେ ‘ଯୁବ ସମ୍ବାଦ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

– ଏକବିଂଶ ଶତାବ୍ଦୀରେ ଛାତ୍ରଛାତ୍ରୀ ଦେଶର ଭାଗ୍ୟ ନିର୍ଦ୍ଦାରଣ କରିବେ
– ଭାରତ ସରକାରଙ୍କ ଜିଜିଟାଲ୍ ୟୁନିଭରସିଟି କଳ୍ପନା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ
– ପ୍ରଗତି ପାଇଁ ଏକ ନିର୍ଣ୍ଣାୟକ ନେତୃତ୍ୱର ଆବଶ୍ୟକତା ଅଛି

ବାରଣାସୀ, ମାର୍ଚ୍ଚ ୦୩ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ମାଧ୍ୟମରେ ଭାରତର ଯୁବପିଢ଼ିଙ୍କ ପାଖରେ ଥିବା ଜ୍ଞାନ, ବୌଦ୍ଧିକ କ୍ଷମତା, ସୃଜନଶୀଳତା ଓ ଅଭିନବ ଆଇଡ଼ିଆକୁ ଏକ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ ରହିଛି ବୋଲି ଗୁରୁବାର ଉତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ‘ଯୁବ ସମ୍ବାଦ’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୁବପିଢ଼ିଙ୍କୁ ଦେଶ ପାଇଁ କିଛି କରି ଦେଖାଇବାର ପ୍ରୋତ୍ସାହିତ କରିବା ଉପରେ କହିଛନ୍ତି ଯେ ଭାରତର ପୁଞ୍ଜି ହେଉଛି ଶିକ୍ଷା, ଜ୍ଞାନ, ସମ୍ବେଦନଶୀଳତା, କୌଶଳ, ସୃଜନଶୀଳତା। ଛାତ୍ରଛାତ୍ରୀମାନେ ହିଁ ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତି। ସେମାନେ ନିଜର ଆତ୍ମବିଶ୍ୱାସକୁ ବଢ଼ାଇବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ଓ ସୃଜନଶୀଳତାକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରାଯାଇଛି। ଆମର ଶିକ୍ଷା ପଦ୍ଧତି ଆମର ଦୈନନ୍ଦିନ ଜୀବନଶୈଳି ସହ ଜଡ଼ିତ। ଦୀର୍ଘ ୩୪ ବର୍ଷ ପରେ ଭାରତର ପ୍ରାଚୀନ ସଭ୍ୟତା, ଶିକ୍ଷା ବ୍ୟବସ୍ଥା, ଚିକିତ୍ସା ବିଜ୍ଞାନକୁ ଆଧୁନିକତାର ରୂପ ଦେବା ପାଇଁ ଏହି ନୀତି ଅଣାଯାଇଛି। ମାତୃଭାଷା ସହ ମୌଳିକ ଶିକ୍ଷା ଏବଂ ରୋଜଗାର ଆଧାରିତ ଶିକ୍ଷା ନୀତିରେ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏହି ଶିକ୍ଷା ବ୍ୟବସ୍ଥା ଦ୍ୱାରା ସମାଜର ଉନ୍ନତି ହେବା ସହ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆସିବ।

ବର୍ତମାନ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ କରୁଛି। ଏହି ସମୟରେ ଶିକ୍ଷା ଆମ ପାଇଁ ନୂଆ ଚ୍ୟାଲେଞ୍ଜ୍ ହୋଇଛି। ଏକବିଂଶ ଶତାବ୍ଦୀର ସମ୍ଭାବନାକୁ ଧ୍ୟାନରେ ରଖି ଶିକ୍ଷା କ୍ଷେତ୍ରରେ ଥିବା ଚ୍ୟାଲେଞ୍ଜ ଗୁଡ଼ିକୁ ସାମ୍ନା କରିବା ପାଇଁ ଯୁବକଙ୍କୁ ସୁଯୋଗ ଦିଆଯାଉଛି। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ସାଧାରଣ ବଜେଟରେ ଶିକ୍ଷାକୁ ଅଧିକ ଗୁଣାତ୍ମକ କରିବା ପାଇଁ ପ୍ରଥମ ଥର ପାଇଁ ୧ ଲକ୍ଷ ୪ ହଜାର ୨୭୮ କୋଟି ଟଙ୍କାର ବ୍ୟୟବରାଦ୍ ହୋଇଛି। ଭାରତ ସରକାର ଜିଜିଟାଲ ୟୁନିଭରସିଟି ଦିଗରେ କାମ କରିବାର କଳ୍ପନା କରିଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ।

ଆଜି ୟୁକ୍ରେନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତର କୋଣ ଅନୁକୋଣରୁ ଅନେକ ବିଦ୍ୟାର୍ଥୀ ସେଠାରେ ଫସି ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ‘ଅପରେସନ ଗଙ୍ଗା’ ମାଧ୍ୟମରେ ଆମ ଦେଶର ବିଦ୍ୟାର୍ଥୀଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରୀ ରହିଛି। କୌଣସି ବି ଭଲ କାମ କରିବା ପାଇଁ ନିର୍ଣ୍ଣାୟକ ନିଷ୍ପତି ନେବା ଦରକାର। ୨୦୧୪, ୨୦୧୭ ଏବଂ ୨୦୧୯ରେ ୟୁପି ବିଜେପିକୁ ସମର୍ଥନ କରିଆସିଛି। ପ୍ରଗତି ପାଇଁ ଏକ ନିର୍ଣ୍ଣାୟକ ନେତୃତ୍ୱର ଆବଶ୍ୟକତା ଅଛି। ଦୂରଦୃଷ୍ଟିସମ୍ପନ୍ନ, ନିର୍ଭୀକ, ଭ୍ରଷ୍ଟାଚାର ବିରୋଧୀ ସରକାର ଲୋକଙ୍କୁ ଦରକାର ଏବଂ ଏପରି ଏକ ନିର୍ଣ୍ଣାୟକ ସରକାର ଲୋକଙ୍କୁ ଦେବାରେ ବିଜେପି ସକ୍ଷମ ହୋଇଛି। ଚଳିତ ୟୁପି ନିର୍ବାଚନ ଯୁବପିଢ଼ିମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.