Home ଓଡ଼ିଶା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଭବାନୀ ଚରଣ ଦାସମହାପାତ୍ର ଛାତ ଉପରେ ବଗିଚା କରି ସମସ୍ତଙ୍କୁ କରିଛନ୍ତି...

ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଭବାନୀ ଚରଣ ଦାସମହାପାତ୍ର ଛାତ ଉପରେ ବଗିଚା କରି ସମସ୍ତଙ୍କୁ କରିଛନ୍ତି ଚକିତ

189

ବାଲେଶ୍ୱର, ୧୭ା୭(ଓଡ଼ିଆ ପୁଅ/ଅଭୟ ଦାସ): ଉଦ୍ୟାନକୃଷି କ୍ଷେତ୍ରରେ ଅଶେଷ ସଫଳତା ସହ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହୋଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଭବାନୀ ଚରଣ ଦାସମହାପାତ୍ର। ବିଶ୍ୱର କୋଣ ଅନୁକୋଣରେ ଫଳୁଥିବା ବିଭିନ୍ନ ପ୍ରକାରର ଫଳକୁ ସହରର ଆଳୁପୁରସ୍ଥିତ ନିଜ ଘରଛାତରେ ବଗିଚା ସୃଷ୍ଟି ସହ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ମାଟିର ଉର୍ବରତା ଓ ବିଶୋଧିତ ମଞ୍ଜିର ସମିଶ୍ରଣରେ ସେ କୁଣ୍ଡରେ ବିଭିନ୍ନ ପ୍ରକାରର ଫଳ ଚାଷ କରି ସମସ୍ତଙ୍କ ଆଖି ଖୋଲି ଦେଇଛନ୍ତି। ସେଣ୍ଟ୍ରାଲ ସ୍କୁଲର ଶିକ୍ଷକତାରୁ ୨୦୧୫ ମସିହାରେ ଅବସର ନେବା ପରେ ବାକିତକ ଜୀବନ କେମିତି କାଟିବେ ତାହାକୁ ନେଇ ଚିନ୍ତିତ ଥିବା ବେଳେ ଗବେଷଣାତ୍ମକ ଉଦ୍ୟାନ କୃଷି ପାଇଁ ତାଙ୍କର ମନ ବଳିଥିଲା। ଏନେଇ ପରିବାର ଲୋକଙ୍କ ସହଯୋଗ କ୍ରମେ ୨୦୧୮ ମସିହାରୁ ଶ୍ରୀ ଦାସମହାପାତ୍ର ନିଜ ଘର ଛାତ ଉପରେ ବଡ଼ ବଡ଼ କୁଣ୍ଡରେ ବିଭିନ୍ନ ଗଛ ଚାରା ଲଗାଇବା ଆରମ୍ଭ କରିଥିଲେ। ତାଙ୍କର ଏହି ବଗିଚାରେ ଏବେ ଉନ୍ନତମାନର ସେଓ, ଅଙ୍ଗୁର, ଡ୍ରାଗନ ଫ୍ରୁଟ୍ସ, ଷ୍ଟ୍ରବେରି ଗୁଆଭା, ବେଦନା, ପିଜୁଳି ପ୍ରଭୃତି ଫଳୁଥିବା ବେଳେ ଲବଙ୍ଗ, ଡାଲଚିନି ତଥା ବିଭିନ୍ନ ପ୍ରକାର ଔଷଧୀୟ ଗଛ ମଧ୍ୟ ସେ ଲଗାଇଛନ୍ତି। ବାଲେଶ୍ୱରର ଜଳବାୟୁକୁ ଦୃଷ୍ଟିରେ ରଖି ସେ ବିଭିନ୍ନ ରାଜ୍ୟରୁ ଗଛ ଚାରା ଓ ମଞ୍ଜି ମଗାଇ ବଗିଚାରେ ଲଗାଇଥିବା ଶ୍ରୀ ଦାସମହାପାତ୍ର କହିଛନ୍ତି। ହିମାଞ୍ଚଳ ପ୍ରଦେଶରୁ ଆପେଲ, ଖଡ଼ଗପୁରରୁ ଡ୍ରାଗନ ଫ୍ରୁଟ୍ସ, ପୁନେରୁ କମଳା ଓ ପିଜୁଳି, କେରଳରୁ ଅଙ୍ଗୁର ଓ ଷ୍ଟ୍ରବେରୀ ଗୁଆଭା ପ୍ରଭୃତିର ଚାରା ଆଣି ଅତିଅଳ୍ପ ରାସାୟନିକ ସାର ପ୍ରୟୋଗ ସାଙ୍ଗକୁ ଜୈବିକ ପ୍ରଣାଳୀରେ ସେ ଏହି ବଗିଚା ସୃଷ୍ଟି କରିଛନ୍ତି। ଗଛର ଉଚିତ ଯତ୍ନ ନେବା ସାଙ୍ଗକୁ ମାନସିକ ଶାନ୍ତି ଓ ନିଜକୁ ସକ୍ରିୟ ରଖିବା ପାଇଁ ସେ ଏହି ଚାଷ କରୁଥିବା ବେଳେ ଅଧିକ ଜମିରେ ଏହି ପ୍ରଣାଳୀରେ ଚାଷ କଲେ ଯେ କୌଣସି ଚାଷୀ ଆଶାତୀତ ଭାବେ ଲାଭବନ ହୋଇପାରିବ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.