Home ଅପରାଧ ଯୁବକଙ୍କୁ ହତ୍ୟାକରି ଫିଙ୍ଗିଲେ ଦଳଗାଡିଆରେ

ଯୁବକଙ୍କୁ ହତ୍ୟାକରି ଫିଙ୍ଗିଲେ ଦଳଗାଡିଆରେ

100

କେନ୍ଦ୍ରାପଡ଼ା ୧୬ ଜୁଲାଇ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ୫ନମ୍ବର(କ) ଜାତୀୟ ରାଜପଥର ମରଡପୁର ଗ୍ରାମ ନିକଟସ୍ଥ ରାସ୍ତାକଡର ଏକ ଦଳଗାଡିଆରେ ଜଣେ ଯୁବକଙ୍କୁ ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ପପୁ ମଳିକ(୩୨)। ପପୁଙ୍କ ଘର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱର ଗ୍ରାମରେ ହୋଇଥିବା ବେଳେ ସେ ୧୨ବର୍ଷ ହେବ ମରଡପୁର ଶଶୁର ଘରେ ରହୁଥିଲେ। ଟ୍ରକ ଚାଳକ ଭାବରେ କାମକରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ପପୁ। ତାଙ୍କର ୧୩ବର୍ଷର ଏକ ଝିଅ ଓ ପତ୍ନୀ ଅଛନ୍ତି। ଶୁକ୍ରବାର ଅପରାହ୍ନ ଗୋଟାଏ ୧୫ମିନିଟ ସମୟରେ ପପୁ ଶଶୁର ଘରେ ଖାଉଥିବା ବେଳେ ସେହି ଗ୍ରାମର ବଟିଆ ମଳିକ ନାମକ ଯୁବକ ସେଠାରେ ପହଞ୍ଚି ପପୁଙ୍କୁ ଗାଡି ଧୋଇବାକୁ ଡାକିନେଇଥିଲେ। ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ବଟିଆର ବାପା ପହଲି ମଳିକ ପପୁର ଶଶୁର ଘରେ ପହଞ୍ଚି ଖବର ଦେଲେ ଯେ ତୁମ ଜ୍ୱାଇଁ ପୋଖରୀରେ ବୁଡି ମରିଯାଇଛି। ଖବର ପାଇ ପପୁଙ୍କ ଶଶୁର ଘର ଲୋକ ଓ ଗ୍ରାମବାସୀମାନେ ଘଟଣା ସ୍ଥଳକୁ ଆସିଥିଲେ। ପପୁଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ହତ୍ୟାକାରୀଙ୍କୁ ଗିରଫ କରାଯିବା ଦାବିରେ ପପୁର ଶଶୁର ଘର ଲୋକ ଓ ଗ୍ରାମବାସୀମାନେ ମରଡପୁର ନିକଟସ୍ଥତ ୫ନମ୍ବର(କ) ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଖବରପାଇ ସଦର ଥାନା ଇନସପେକ୍ଟର ପବିତ୍ର ମହାରଣା, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ବରିଷ୍ଠ ପୋଲିସ ଅଧିକାରୀ, ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି। ଆନ୍ଦୋଳନକାରୀମାନେ ହତ୍ୟାକାରୀ ଗିରଫ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଦାବି କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ବଟିଆ ମଳିକ ବ୍ରାଉନସୁଗାର, ଗଞ୍ଜେଇ ଓ ମଦ ପ୍ରଭୃତି ଚୋରାରେ ବିକ୍ରୀ କରେ। ଏ ସମ୍ପର୍କରେ ପୂର୍ବରୁ ପପୁ ପୋଲିସକୁ ଖବର ଦେଇଥିଲା। ପୋଲିସ ମଧ୍ୟ ଚଢାଉକରିଥିଲା। ସେହି ରାଗରେ ପପୁକୁ ହତ୍ୟା କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଥିବା ସଦର ଥାନା ପୋଲିସ କହିଛି ରାତି ହୋଇଯାଇଥିବାରୁ ପପୁର ଶବକୁ ଉଦ୍ଧାର କରାଯାଇପାରିବ ନାହିଁ। ଆସନ୍ତା କାଲି ଶବ ଉଦ୍ଧାର କରାଯାଇ ବ୍ୟବଛେଦ କରାଯିବ। ବ୍ୟବଛେଦପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.