Home ଜିଲ୍ଲା ପରିକ୍ରମା ଯୁଗ୍ମ ଜନ ଶୁଣାଣି ଶିବିରରେ ୧୩୦ ଟି ଅଭିଯୋଗର ଶୁଣାଣି

ଯୁଗ୍ମ ଜନ ଶୁଣାଣି ଶିବିରରେ ୧୩୦ ଟି ଅଭିଯୋଗର ଶୁଣାଣି

47

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଆୟୋଜନ ନେଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମତେ ଆଜି ଚଳିତ ମାସର ପ୍ରଥମ ସୋମବାରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏହି ଶିବିର ଆୟୋଜିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌.ପି. ଚରଣ ସିଂ ମୀନା ଏହି ଶିବିରରେ ଯୋଗନେଇ ସମୁଦାୟ ୧୩୦ ଟି ଅଭିଯୋଗର ଶୁଣାଣି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲାପରିଷଦ, ଭଦ୍ରକର ନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ଶୁଣାଣି କରାଯାଇଥିବା ସମୁଦାୟ ଅଭିଯୋଗ ମଧ୍ୟରେ ୧୦୬ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିଲାବେଳେ ୨୪ଟି ସାମୂହିକ ସମସ୍ୟା ସମ୍ବନ୍ଧୀୟ ଥିଲା। ଚିକିତ୍ସା ପାଇଁ ଦୁଇଜଣ ଆବେଦନ କାରୀଙ୍କୁ ରେଡ଼କ୍ରସ୍ ପାଣ୍ଠିରୁ ଜଣକୁ ୧୦ ହଜାର ଓ ଅନ୍ୟ ଜଣକୁ ୫ ହଜାର ସମୁଦାୟ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ଏହି ଶିବିରରେ ମଞ୍ଜୁରି ପ୍ରଦାନ କରିଥିଲେ। ଆଗତ ଅଭିଯୋଗ ଗୁଡ଼ିକ ମଧ୍ୟରେ ସଂଖ୍ୟାଧିକ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ସମ୍ବନ୍ଧୀୟ ଥିଲା। ଜିଲ୍ଲାର ସ୍ୱାସ୍ଥ୍ୟ, ରାଜସ୍ୱ, ଅବକାରୀ, କୃଷି, ପୋଲିସ୍‌, ସମାଜ ମଙ୍ଗଳ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ସଂସ୍କୃତି, ଆଦି ବିଭାଗ ସମ୍ବନ୍ଧରେ ମଧ୍ୟ ୨/୩ଟି ଲେଖାଏଁ ଅଭିଯୋଗ ଆଗତ ହୋଇଥିଲା। ଜମିଜମା, ଜବରଦଖଲ, ରାସ୍ତା, ଭତ୍ତା, ଦିବ୍ୟାଙ୍ଗ ପ୍ରମାଣ ପତ୍ର, ରେସନକାର୍ଡ଼ ଥାଇ ଖାଉଟି ସାମଗ୍ରୀ ନମିଳିବା, ରେସନ୍‌କାର୍ଡ଼ କଟିଯିବା, ଶିକ୍ଷକ ନିଯୁକ୍ତି, ବସୁଧା ଯୋଜନାରେ ପାଣିଟାଙ୍କି ନିର୍ମାଣରେ ଅନିୟମିତତା, ଗୁହାଳଘର ଯୋଜନାରେ ଘର ନିର୍ମାଣ ପରେ ବି ଟଙ୍କା ନମିଳିବା, ଫଳକ ଲଗାଇ ବିନା ଡ୍ରେନ୍‌କାମରେ ବିଲ ପାଶ୍ ହେବା, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା, ମାନସିକ ଦୁର୍ବଳତା ପିଲାଙ୍କ ଆବାସିକ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ସୁଯୋଗ, ଭତ୍ତାବୃଦ୍ଧି, ବିଧବାଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁରି ଆଦି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ସବୁଥିଲା। ଚାନ୍ଦବାଲି ବ୍ଲକ୍ ଚଡ଼ଦିଆର ଶାରିରୀକ ଭିନ୍ନକ୍ଷମ ଲକ୍ଷ୍ମୀକାନ୍ତ ମହାଳିକ ଜଣେ ସ୍ୱାଭାବିକ ବା ସଂପୂର୍ଣ୍ଣ କ୍ଷମ ମହିଳାଙ୍କୁ ବିବାହ କରିଥିବାରୁ ସେଥିପାଇଁ ଉଦ୍ଦିଷ୍ଟ ପ୍ରୋତ୍ସାହନ ରାଶି ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ଏହି ଶିବିରରେ ଉକ୍ତ ଦମ୍ପତିଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ, ଏସ୍‌.ପି., ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗ ମାନଙ୍କୁ ୩୬ଟି ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା। ତିନିଚକିଆ ସାଇକେଲ, ହ୍ୱିଲ ଚେୟାର, ଶ୍ରବଣ ଯନ୍ତ୍ର, ସ୍ମାର୍ଟଫୋନ୍‌, ୱାକର, କ୍ରଚେସ୍‌, ସର୍ଜିକାଲ ଜୋତା, ଆଣ୍ଠୁ ଉପର ଓ ଆଣ୍ଠୁତଳ ପ୍ରୋସ୍ଥେସିସ୍‌, ଓ ର୍ଥୋସିସ୍ ଆଦି ପ୍ରଦାନ କରାଯାଇଥିଲା। ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଅଭିଯୋଗ ଉପସ୍ଥାପନାରେ ସହଯୋଗ କରିଥିଲେ। ଜିଲ୍ଲା ସ୍ତରୀୟ ବିଭାଗୀୟ ମୁଖ୍ୟମାନେ ଏହି ଶିବିରରେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟରେ ଆବଶ୍ୟକ ମତେ ଉତ୍ତର ରଖିଥିଲେ। ୨ଟି ଅଭିଯୋଗର ତତ୍‌କାଳ ସମାଧାନ କରାଯାଇଥିଲା। ପରବର୍ତ୍ତି ଜନ ଶୁଣାଣି ଶିବିର ୧୨ ତାରିଖ ସୋମବାର ଦିନ ବାସୁଦେବପୁର ବ୍ଲକରେ, ୧୯ ତାରିଖ ସୋମବାର ପୂର୍ବ ପ୍ରକାଶିତ ଖବର ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୁହେଁ ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ, ୨୬ ତାରିଖ ସୋମବାର ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.