Home ଓଡ଼ିଶା ଯାନବାହନ ପରିବହନ ଏବଂ ଟ୍ରାଫିକ ନିୟମ ଆଳରେ ମାତ୍ରାଧିକ ଫାଇନ ଆଦାୟ କରିବା ପ୍ରସଙ୍ଗ ...

ଯାନବାହନ ପରିବହନ ଏବଂ ଟ୍ରାଫିକ ନିୟମ ଆଳରେ ମାତ୍ରାଧିକ ଫାଇନ ଆଦାୟ କରିବା ପ୍ରସଙ୍ଗ : ରାଜ୍ୟ ସରକାର ନିଜର ବ୍ୟବସ୍ଥାକୁ ଆଗ ସଜାଡନ୍ତୁ :ବିଜେପି

540

ଭୁବନେଶ୍ୱର, ୦୭/୦୯: ସରକାର ଏବେ ଆଣିଥିବା ନୁଆ ଯାନବାହନ ପରିବହନ ଏବଂ ଟ୍ରାଫିକ ନିୟମ ବ୍ୟବସ୍ଥାକୁ ଭାରତୀୟ ଜନତା ପାର୍ଟି ସମର୍ଥନ କରୁଛି। କିନ୍ତୁ ନୂତନ ଆଇନ ପ୍ରଣୟନ ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥାକୁ ସଜାଡିବା ଓ ଲୋକମାନଙ୍କୁ ବ୍ୟାପକ ଭାବେ ସଚେତନା କରାଇବା ଆବଶ୍ୟକ ଥିଲା। କିନ୍ତୁ ତାହା ନକରି ରାଜ୍ୟସରକାର ଓ ପୋଲିସ ପ୍ରଶାସନ ତରବରିଆ ଭାବେ ଯେପରି ଆଇନକୁ ଲାଗୁ କରାଇ ରାଜସ୍ୱ ବୃଦ୍ଧି ନାଁରେ ଲକ୍ଷ ଲକ୍ଷ ଟଙ୍କାର ଜରିମନା ଆଦାୟ କରିଚାଲିଛନ୍ତି ତାହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ବିନା କୌଣସି ପ୍ରସ୍ତୁତିରେ ନିରୀହ ଲୋକଙ୍କ ଠାରୁ ଜରିମନା ଆଦାୟ କରିଚାଲିଛନ୍ତି। ପୋଲିସର ମାତ୍ରାଧିକ ଫାଇନ ଆଦାୟ ଲୋକଙ୍କ ମନରେ ଆକ୍ରୋଶ ତିଆରି କରିଛି। ଆଜି ତାହାର ଆକ୍ରୋଶ ରାଜମହଲ ଛକରେ ଦେଖିବାକୁ ମିଳିଛି। ଏହା ପରେ ପୋଲିସ ଓ ପ୍ରଶାସନ ଯେଉଁଭଳି ଭାବରେ ସାଧାରଣ ଲୋକଙ୍କ ଉପରେ ଲାଠି ଚାର୍ଜ କରି ଭୟର ବାତାବରଣ ତିଆରି କରୁଛି ତାହା ଗ୍ରହଣୀୟ ନୁହେଁ। ଜନସାଧାରଣଙ୍କୁ ସାଙ୍ଗରେ ନେଇକି ପୋଲିସ ଓ ପରିବହନ ବିଭାଗ ଆଇନକୁ ଲାଗୁ କରନ୍ତୁ। ପୋଲିସର ଗଣମାଧ୍ୟମରେ ବୟାନ ଏବଂ ତାଙ୍କ କାର୍ଯ୍ୟକାରିତା ଭିତରେ ତାଳମେଳ ରହୁନାହିଁ। ସେହିପରି ପ୍ରଦୁଷଣ ଚେକିଙ୍ଗ କରିବା ପାଇଁ ବ୍ୟବସ୍ଥା ରାଜ୍ୟ ସରକାର କାହିଁକି ଆଗୁଆ ନକରି ଜରିମାନା ଆଦାୟ କରୁଥିଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଯେଉଁ ଆଇନ ସାଧାରଣ ଲୋକଙ୍କ ପାଇଁ ଲାଗୁ ହୋଇଛି ତାହା ସରକାରୀ ଗାଡି ପାଇଁ ମଧ୍ୟ ଲାଗୁ ହେବା ଦରକାର। ମାତ୍ର ରାଜ୍ୟ ପୋଲିସ ଓ ପରିବହନ ବିଭାଗ ସାଧାରଣ ଲୋକଙ୍କ ଉପରେ ଜରିମାନା ଆଦାୟରେ ମାତିଥିବା ବେଳେ ନିଜେ ସେହି ନିୟମକୁ ନମାନିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ନିଜ ବ୍ୟବସ୍ଥାକୁ ନିଜେ ସଠିକ ଭାବରେ ଲାଗୁ କରନ୍ତୁ। ପୋଲିସ ଗାଡି, ସରକାରୀ ଗାଡି, ବିଏମସି ଗାଡି ଗୁଡିକର ପ୍ରଦୁଷଣ ପ୍ରମାଣ ପତ୍ର, ବୀମା ପଂଜୀକରଣ, ଫିଟନେସ ସାର୍ଟିଫିକେଟର ବୈଧତା ଅଛିକି ନାହିଁ ତାକୁ ଯାଂଚ କରନ୍ତୁ। ସଡକ ଉପରେ ବୁଲା ଗାଇ, ଗୋରୁ, ଷଣ୍ଡ ଏବଂ କୁକୁରମାନଙ୍କ ଅବାଧ ଚଳପ୍ରଚଳ ଓ ଦୈାରାତ୍ମ କାରଣରୁ ପ୍ରତିଦିନ ଦୁର୍ଘଟଣା ଘଟିଚାଲିଛି। ସେହିପରି ସ୍ମାର୍ଟ ସିଟି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଣ ଓସାରିଆ ଓ ଖାଲ ଢିପ ରାସ୍ତା, ମରାମତି ଆଳରେ ଦୀର୍ଘ ଦିନ ଧରି ପଡି ରହିଥିବା ଅଧପନ୍ତରିଆ ରାସ୍ତା, ରାସ୍ତା ଉପରେ ଖୋଲା ଡ୍ରେନ ଏବଂ ଅବ୍ୟବସ୍ଥିତ ପାର୍କିଂ ସମସ୍ୟା କାରଣରୁ ବ୍ୟାପକ ଦୁର୍ଘଟଣା ଘଟୁଛି। ରାଜ୍ୟ ସରକାର ଏବଂ ପ୍ରଶାସନ ଏ ସମସ୍ତ ସମସ୍ୟାର ସମାଧାନ କରି ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଆବଶ୍ୟକ। ପୋଲିସ ପ୍ରଶାସନ ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଇବା ସହ ଜନତାଙ୍କ ସେବକ ହୋଇ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.