Home ଓଡ଼ିଶା ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବୈତରଣୀ ଓ କାଣୀରେ ପୁଣି ଆସୁଛି ବନ୍ୟା

ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବୈତରଣୀ ଓ କାଣୀରେ ପୁଣି ଆସୁଛି ବନ୍ୟା

34

ଯାଜପୁର ୨୧।୮ (ଓଡ଼ିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ଆନନ୍ଦପୁର ଓ ରେଙ୍ଗାଲି ଡ୍ରାଇଭରକୁ ପାଣି ଛଡାଯିବାରୁ ବୈତରଣୀ ନଦୀରେ ଦ୍ବିତୀୟ ଥର ପାଇଁ ବନ୍ୟା ସୃଷ୍ଟି ହେବା ଦେଖିବାକୁ ମିଳିଛି। କେନ୍ଦୁଝରର ଆନନ୍ଦପୁରଠାରେ ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି। ଆଜି ସନ୍ଧ୍ୟା ୯ଟାରେ ଜଳସ୍ତର ୩୮.୪୦ ରହିଛି ଓ ବିପଦ ସଙ୍କେତ ଅତିକ୍ରମ କରିଛି। ଏଠାରେ ବିପଦ ସଙ୍କେତ ୩୮.୩୬ ରହିଛି। ସେହିପରି ଆଖୁଆପଦାରେ ବୈତରଣୀ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ସନ୍ଧ୍ୟା ୯ଟାରେ ଜଳସ୍ତର ୧୭.୩୭ ମିଟରରେ ପହଞ୍ଚିଥିଲା।

ବୈତରଣୀ ବଢ଼ୁଥିବାରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକବାସୀଙ୍କ ଚିନ୍ତା ବଢ଼ିଯାଇଛି। ୬ ଦିନ ତଳେ କଷପା ପଞ୍ଚାୟତ ବ୍ରହ୍ମଚାରୀ ପାଟଣାରେ ବୈତରଣୀ ଶାଖା କାଣୀ ନଦୀରେ ୧୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ୧୫ ରୁ ଅଧିକ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥିଲେ। ଏବେ ପୁଣି ଏକ ସମ୍ଭାବ୍ୟ ବନ୍ୟାକୁ ନେଇ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସୂଚନା ଅନୁଯାୟୀ ବୈତରଣୀ ନଦୀ ଅର୍ଦ୍ଦାଉଳିଆଠାରେ ୨ଟି ଘଳିଆ ପଡ଼ିଥିବାରୁ ଅସ୍ଥାୟୀ ଭାବେ ପାଣିକୁ ରୋକାଯାଇଥିଲା। ତାହା ମରାମତି ହୋଇନାହିଁ। ସେହିଭଳି ବୈତରଣୀର କାଣୀ ନଦୀ ଉତ୍ପତ୍ତିସ୍ଥଳ ବ୍ରହ୍ମଚାରୀପାଟଣାଠାରେ ଆର୍‌ଡି ପୋଲର ଗାର୍ଡ ୱାଲ ଧସିଯାଇଥିବାରୁ ସେଠାରେ ନଦୀବନ୍ଧ ଦୁର୍ବଳ ରହିଛି। କୟାଁ ପଞ୍ଚାୟତ ବଳରାମପୁରଠାରେ ମଧ୍ୟ ବନ୍ଧପଠା ଧସିଯାଇଛି। କାଣୀ ନଦୀର ବ୍ରହ୍ମଚାରୀପାଟଣା, ମଲ୍ଲିକାପୁର, କଣ୍ଟପଡ଼ା, ନୂଆଶାସନ, ମଲ୍ଲିକାପୁର ଆଦି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି। ଅନେକ ସ୍ଥାନରେ ନଦୀବନ୍ଧରେ ଘଳିଆ ପଡ଼ିବା, ଲଗାଣ ବର୍ଷାରେ ଧୋଇ ହୋଇଯିବା, ନୂତନ ବନ୍ଧ ଫାଟିଯିବା ଭଳି ସମସ୍ୟା ରହିଛି। ଏହାଛଡ଼ା ଚୋରାବାଲି ଚାଲାଣ ସମୟରେ ବନ୍ଧକୁ ହଣାଯାଇ ବାଟ ଖୋଲାଯାଇଛି। ଟ୍ରାକ୍ଟର ଓ ଟ୍ରକ ଯିବାଆସିବା କରିବା ଦ୍ବାରା ନଦୀବନ୍ଧରେ ବଡ଼ବଡ଼ ଗାଢ଼ ହୋଇଛି। ବୈତରଣୀର ବନ୍ୟା ସ୍ଥିତି ସଂଗୀନ ଥିବା ଦେଖିବାକୁ ମିଳିଛି।

ବୈତରଣୀ ନଦୀରେ ଦ୍ବିତୀୟଥର ପାଇଁ ବନ୍ୟା ଜଳ ଆସି ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳକୁ ବୁଡାଇ ଦେଇଛି। ଅନେକ ଗାଁରେ ପଶିଛି ବନ୍ୟାଜଳ। ନଦୀବନ୍ଧର ଏସକେପ୍ ଦେଇ ବନ୍ୟା ଜଳ ଗାଁ ମୁହାଁ ହୋଇଥିବାରୁ ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ୧୭.୮୩ ଥିବା ବେଳେ ଏଠାରେ ନଦୀର ଜଳସ୍ତର ବିପଦ ସଙ୍କେତର ୧୮.୯୫ ଉପରେ ପ୍ରବାହିତ ହେଉଛି। ଉଛୁଳା ନଦୀର ଭୟଙ୍କର ଦୃଶ୍ୟ ନଦୀକୂଳିଆଲୋକଙ୍କ ଭୟଭୀତ କରିଦେଇଛି।

ଦ୍ବିତୀୟ ବନ୍ୟା ପାଇ ଭଣ୍ଡାରିପୋଖରୀ ବ୍ଲକର ୭ଟି ପଞ୍ଚାୟତରୁ ହଜାର ହଜାର ଏକର ଜମିର ଧାନ ଚାଷ ନଷ୍ଟ କରି ଦେଇଥିବା ବେଳେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଯାଜପୁର–ଭଣ୍ଡାରିପୋଖରୀ ରାସ୍ତା ଉପରେ ଚାଲିଛି ବନ୍ୟା ଜଳ। ଫଳରେ ଏଇ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଉପରେ ବନ୍ୟା ପାଣିର ସୂଅ ଛୁଟୁଥିବା ବେଳେ ଗାଁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି।

ସେହିପରି ଧାମନଗର ବ୍ଲକର ମଲ୍ଲିମାହାରା ଏକସକେପ, ଗୌରାଙ୍ଗପୁର ଏସକେପ ଓ କଣ୍ଟି ଏସକେପ୍ ଦେଇ ବନ୍ୟା ଜଳ ଧାମନଗର ବ୍ଲକର ପ୍ରାୟ ୨୦ଟି ପଞ୍ଚାୟତର ଚାଷ ଜମିରେ ପ୍ରବଶେ କରିବା ସହ ଅନେକ ଗାଁ ରାସ୍ତା ବୁଡି ରହିଛି। ଫଳରେ ଗାଁ ଲୋକମାନେ ଯାତାୟାତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର ଆଦି ପଞ୍ଚାୟତର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିବା ଦ୍ବାରା ଚାଷୀ ଚିନ୍ତାରେ ପଡି ଯାଇଛି। ନଦୀରେ ଅଧିକ ବନ୍ୟା ଜଳ ଆସିଲେ ଗାଁଗୁଡିକ ବୁଡି ଯିବାର ଆଶଙ୍କା ଥିବାରୁ ଏଇ ସବୁ ନଦୀକୂଳିଆ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଉଠି ଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ସୃଷ୍ଟି ହୋଇଥିବା ଦ୍ବିତୀୟ ବନ୍ୟାରେ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ପନି ପରିବା ଚାଷ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.