Home କେନ୍ଦୁଝର ଯାଜପୁର ଆକ୍ରାନ୍ତଙ୍କ ହାଟଡିହି ଲିଙ୍କକୁ ନେଇ ପ୍ରଶାସନ ସଜାଗ, ସନ୍ଦିଗ୍ଧଙ୍କ ସ୍ୱାବ ସଂଗ୍ରହ, ହାବଳେଶ୍ୱର ଓ...

ଯାଜପୁର ଆକ୍ରାନ୍ତଙ୍କ ହାଟଡିହି ଲିଙ୍କକୁ ନେଇ ପ୍ରଶାସନ ସଜାଗ, ସନ୍ଦିଗ୍ଧଙ୍କ ସ୍ୱାବ ସଂଗ୍ରହ, ହାବଳେଶ୍ୱର ଓ ରତକଣା ଗ୍ରାମ ସିଲ

165

ହାଟଡ଼ିହି, ୧୫ । ୪ : ରାଜ୍ୟର ୫୬ନଂ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ବିସ୍ତୃତ ତଥ୍ୟ ଦେବାପରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କିଛି ଲୋକଙ୍କ ସଂଷ୍ପର୍ଶ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ସଜାଗ ହୋଇ ଉଠିଛି । ଯାଜପୁର ଜିଲ୍ଲାର ଏହି ଦ୍ୱିତୀୟ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ୩୫ ଜଣ ବ୍ୟକ୍ତିଙ୍କୁ ଗତକାଲି ଠାରୁ କ୍ୱାରେଣ୍ଟାଇନରେ ରଖାଯିବା ସହିତ ଆଜି ସେମାନଙ୍କ ନମୁନା ପରୀକ୍ଷାପାଇଁ କେନ୍ଦୁଝର ପଠାଯାଇଛି । ଆଇତିପୁର ପଞ୍ଚାୟତର ରତକଣା ଓ ହାବଳେଶ୍ୱର ପଞ୍ଚାୟତର ହାବଳେଶ୍ୱର ଗ୍ରାମକୁ ଚତୁର୍ପାଶ୍ୱରୁ ସିଲ କରାଯାଇଛି । ଗାଁ ଭିତରକୁ କାହାକୁ ଛଡା ଯାଉ ନଥିବାବେଳେ ଭିତରକୁ ମଧ୍ୟ କାହାରିକୁ ପ୍ରବେଶ କରାଇ ଦିଆଯାଉ ନାହିଁ ।
ଖବରରୁ ଜଣାଯାଇଛି ଯେ ଯାଜପୁର ସାନ ତ୍ରିଲୋଚନପୁର ଗ୍ରାମର ଏହି କରୋନା ଆକ୍ରାନ୍ତ ଜଣକ କଲିକତାରୁ ଏକ ମାଛଗାଡିରେ ଆସିବାବେଳେ ସେହି ଗାଡିରେ ରତକଣା ଗ୍ରାମର ଜଣେ ବ୍ୟକ୍ତି ଆସିଥିଲେ । ମାତ୍ର ସେ ଆସିବା ଦିନଠାରୁ ଘରେ କ୍ୱାରେଣ୍ଟାଇନରେ ରହିଥିବାବେଳେ ଗତକାଲି ପ୍ରଶାସନକୁ ଏ ସମ୍ପର୍କରେ ସୁଚନା ମିଳିବାପରେ ତାଙ୍କୁ ଓ ତାଙ୍କ ସଂଷ୍ପର୍ଶରେ ଆସିଥିବା ଲୋକଙ୍କୁ ପଞ୍ଚାୟତ ପକ୍ଷରୁ ଖୋଲାଯାଇଥିବା ଅସ୍ଥାୟୀ ଚିକିତ୍ସାକେନ୍ଦ୍ରରେ ଆଣି ରଖାଯାଇଥିଲା । ସେହିପରି ହାବଳେଶ୍ୱର ଗ୍ରାମର ଜଣେ ମହିଳା ଓ ତାଙ୍କ ପୁଅ ଯାଜପୁର କରୋନା ସଂକ୍ରମିତଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଗତକାଲି ଯାଜପୁରର ଏହି ବ୍ୟକ୍ତି ଜଣକ ସଂକ୍ରମିତ ବୋଲି ଜଣାପଡିବାପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିଲା । ପଞ୍ଚାୟତରସରପଞ୍ଚ ଏସମ୍ପର୍କରେ ବିଡିଓ, ତହସିଲଦାରଙ୍କ ସହିତ ଆଲୋଚନା କରିବାପରେ ବ୍ଲକର ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉକ୍ତ ମହିଳା ଓ ତାଙ୍କ ସଂଷ୍ପର୍ଶରେ ଆସିଥିବା ୨୨ଜଣଙ୍କୁ ପଚରା ଉଚରା କରି ସେମାନଙ୍କୁ ଆଣି ପଞ୍ଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ଚିକିତ୍ସାକେନ୍ଦ୍ରରେ ରଖିଥିଲେ । ଆଜି ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାର, ଅତିରିକ୍ତ ତହସିଲଦାର, ଶାଳଣିଆଁ ମେଡିକାଲ ଅଫିସର ପ୍ରମୁଖ ହାବଳେଶ୍ୱର ଏବଂ ରତକଣାରେ ପହଞ୍ଚି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବା ୩୫ଜଣଙ୍କ ନମୁନା ପରୀକ୍ଷା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ କେନ୍ଦୁଝରକୁ ପଠାଇଥିଲେ । ଯାଜପୁର ଅଞ୍ଚଳର ଲୋକମାନେ ନିୟମିତ ମଥୁରାପୁର ପୋଲ ଦେଇ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବାରୁ ଗତକାଲି ରାତିଠାରୁ ନନ୍ଦିପଦା ପୁଲିସ ଉକ୍ତ ପୋଲ ରାସ୍ତାକୁ ସିଲ କରିଛି । ସେହିପରି ପ୍ରଶାସନର ନିର୍ଦ୍ଦେଶକ୍ରମେ ହାବଳେଶ୍ୱର ଓ ରତକଣା ଗାଁ ଦୁଇଟିକୁ ମଧ୍ୟ ସିଲ କରାଯାଇଛି । ଭୟରେ ଉକ୍ତ ଅଞ୍ଚଳର ଲୋକମାନେ ମଧ୍ୟ ଘରୁ ବାହାରକୁ ବାହାରୁ ନାହାନ୍ତି । ନମୁନା ପରୀକ୍ଷା ରିପୋର୍ଟ ଆସିବାପରେ ଲୋକମାନେ ଯାଇ ଆସ୍ୱସ୍ଥ ହେବେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଆଜି ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ପ୍ରମୁଖ ହାବଳେଶ୍ୱର ଗାଁରେ ଘରଘର ବୁଲି ଲୋକମାନଙ୍କୁ ଘରେ ରୁହ ସୁସ୍ଥ ରୁହ ବୋଲି ପୁନର୍ବାର ସଚେତନ କରାଇବା ସହିତ ସାମାଜିକ ଦୁରତା ବଜାୟ ରଖିବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.