Home ଓଡ଼ିଶା ମ୍ୟାଟ୍ରିକ୍ ପରୀକ୍ଷା ଫଳ: ୮୩.୯୭ ପ୍ରତିଶତ ଉତ୍ତୀର୍ଣ୍ଣ ସହ ସପ୍ତମ ସ୍ଥାନରେ ବାଲେଶ୍ୱର

ମ୍ୟାଟ୍ରିକ୍ ପରୀକ୍ଷା ଫଳ: ୮୩.୯୭ ପ୍ରତିଶତ ଉତ୍ତୀର୍ଣ୍ଣ ସହ ସପ୍ତମ ସ୍ଥାନରେ ବାଲେଶ୍ୱର

132

ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟ ଶିକ୍ଷା ବିଭାଗର ପୂର୍ବ ଘୋଷଣା ଅନୁସାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଫଳ ବୁଧବାରଦିନ ପ୍ରକାଶ ପାଇଛି। ସକାଳ ୧୧ଟା ବେଳେ କଟକ ବୋର୍ଡ଼ ଅଫିସରେ ଭିଡିଓ କନଫେରେସିଂ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସାଢ଼େ ୧୧ଟା ସମୟରେ ଏହା ଇଣ୍ଟରନେଟ୍ ମାଧ୍ୟମରେ ଉପଲବ୍ଧ ହୋଇଥିଲା। ମାତ୍ର ୱେବ୍ସାଇଟ ବନ୍ଦ ରହିବା କାରଣରୁ ପରୀକ୍ଷାର୍ଥୀମାନେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଫଳାଫଳ ଜାଣିପାରି ନଥିଲେ। ତେବେ ଚଳିତ ବର୍ଷ ରାଜ୍ୟରେ ୭୯.୭୧ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଲେଶ୍ୱରେ ପାସ୍ ହାର ୮୩.୯୭ ପ୍ରତିଶତ ରହିଛି। ଏ ବର୍ଷ ବାଲେଶ୍ୱର ଜିଲ୍ଲାର ୫୧୪ଟି ସ୍କୁଲରୁ ୨୯, ୭୪୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୪ ହଜାର ୯୭୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ବୋର୍ଡ଼ର ବର୍ଗୀକରଣ ଅନୁଯାୟୀ ଜିଲ୍ଲାରେ ଏ-୧ଗ୍ରେଡ୍ରେ ୯୯ ଜଣ, ଏ-୨ରେ ୬୬୯, ବି-୧ରେ ୧୪୭୬ଜଣ, ବି-୨ରେ ୩୨୯୮ଜଣ, ସି ରେ ୩୪୯୭ଜଣ, ଡି ବର୍ଗରେ ୫୪୨୮ ଜଣ, ଇ ଗ୍ରେଡ୍ରେ ୧୧୪୧୦ଏବଂ ଏଫ ଗ୍ରେଡ୍ରେ ୪୭୪୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଉତ୍ତୀର୍ଣ୍ଣଙ୍କ ମଧ୍ୟରୁ ୧୨୧୮୫ ଜଣ ଛାତ୍ର ରହିଥିବା ବେଳେ ୧୨୭୯୨ ଜଣ ଛାତ୍ରୀ ଅଛନ୍ତି। ଅନ୍ୟପକ୍ଷରେ ପରୀକ୍ଷାରେ କପି କରି ଧରାପଡ଼ିଥିବା ୧୯ ଜଣଙ୍କ ଫଳ ଅପ୍ରକାଶିତ ରହିଛି। ତେବେ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ପାଇଁ ମୋଟ ୩୦ ହଜାର ୨୯୦ ଜଣ ଫର୍ମ ଭରିଥିବା ବେଳେ ୫୪୫ ଜଣ ଦେଇ ନଥିଲେ। ତେବେ କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୋଇଛି। କଟକଣା ଯୋଗୁଁ ଖାତା ମୂଲ୍ୟାୟନରେ ବିଳମ୍ବ ହେବା ଫଳରେ ମେ ମାସ ପରିବର୍ତ୍ତେ ଚଳିତ ବର୍ଷ ଜୁଲାମାସ ଶେଷରେ ଫଳ ପ୍ରକାଶିତ ହେଲା। ତେବେ ଏ ବର୍ଷର ମ୍ୟାଟ୍ରିକ୍ ଫଳ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକଙ୍କୁ ନିରାଶ କରିଥିବା ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ଖାତା ମୂଲ୍ୟାଙ୍କନ କରାଯିବା ଫଳରେ ଛାତ୍ରଛାତ୍ରୀଙ୍କୁ ଆଶାନୁରୂପକ ମାର୍କ ମିଳିନଥିବା ସେମାନେ କହିଛନ୍ତି। ତେବେ ଚଳିତ ବର୍ଷର ବାଲେଶ୍ୱର ଜିଲ୍ଲାର ଉତ୍ତୀର୍ଣ୍ଣହାର ହ୍ରାସକୁ ନେଇ ଶିକ୍ଷାବିତ୍ଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ୨୦୧୮ ମସିହାରେ ୮୮.୧୫ ପ୍ରତିଶତ ସହ ରାଜ୍ୟରେ ପ୍ରଥମ ସ୍ଥାନ ଏବଂ ୨୦୧୯ରେ ୮୫.୨୧ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଥିବା ବାଲେଶ୍ୱର ଜିଲ୍ଲା ଚଳିତ ବର୍ଷ ୮୩.୮୭ ପ୍ରତିଶତ ଉତ୍ତୀର୍ଣ୍ଣ ହାରା ସହ ୭ମ ସ୍ଥାନରେ ରହିବାକୁ ନେଇ ସବୁ ମହଲରୁ ଭ୍ରୁକୁଞ୍ଚନ ଲକ୍ଷ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.