Home ଜିଲ୍ଲା ପରିକ୍ରମା ମୋ ସ୍କୁଲ ଅଭିଯାନର ରାଜ୍ୟ ଅଧ୍ୟକ୍ଷାଙ୍କ ସମୀକ୍ଷା ବୈଠକ ଓ ଆଲୁମିନି ବୈଠକ

ମୋ ସ୍କୁଲ ଅଭିଯାନର ରାଜ୍ୟ ଅଧ୍ୟକ୍ଷାଙ୍କ ସମୀକ୍ଷା ବୈଠକ ଓ ଆଲୁମିନି ବୈଠକ

35

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ ର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ବାଗ୍‌ଚି ଆଜି ଭଦ୍ରକ ଜିଲ୍ଲା ଗସ୍ତ କରି କେତୋଟି ସ୍କୁଲ ପରିଦର୍ଶନ କରିବା ସହ ଅପରାହ୍‌ଣରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଲଗାତର ଅନୁଷ୍ଠିତ ହୋଇଥିବା ଦୁଇଟି ବୈଠକରେ ଯୋଗ ଦେଇ ଭୁବନେଶ୍ୱର ଫେରି ଯାଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ପ୍ରଥମେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୋ ସ୍କୁଲ ଅଭିଯାନରେ ଭଦ୍ରକ ଜିଲ୍ଲାର ବ୍ଲକ ଅନୁଯାୟୀ ସ୍ଥିତି, ପ୍ରଗତି, ସମସ୍ୟା, ଧାର୍ଯ୍ୟ ଲକ୍ଷ୍ୟ ଆଦି ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା। ଶ୍ରୀମତୀ ବାଗ୍‌ଚିଙ୍କ ସହ ମୋ ସ୍କୁଲ ଅଭିଯାନର ମୁଖ୍ୟ ସହଯୋଗୀ ଅଧିକାରୀ ଅମର ଜିତ୍ ଜେନା ମଧ୍ୟ ଏହି ବୈଠକରେ ଯୋଗଦେଇ ପ୍ରତି ବ୍ଲକର କାର୍ଯ୍ୟଧାରା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ପରାମର୍ଶ ଦେଇଥିଲେ। ବୈଠକରେ ପ୍ରଦତ୍ତ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ସମୁଦାୟ ୧, ୩୩୮ ଟି ପ୍ରାଥମିକ ଓ ୩୧୨ ଟି ହାଇସ୍କୁଲ ମଧ୍ୟରୁ ୧, ୦୨୨ ଟି ପ୍ରାଥମିକ ଓ ୨୯୪ଟି ହାଇସ୍କୁଲ ଅର୍ଥାତ୍ ୭୬% ମୋ ସ୍କୁଲ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇ ସାରିଛି। ୩୧୬ ଟି ପ୍ରାଥମିକ ଓ ୧୮ ଟି ହାଇସ୍କୁଲ ଅର୍ଥାତ୍ ୨୪ % ବାକିଅଛି। ଯାହାକୁ ଆଗାମୀ ମଇ ଶେଷ ସୁଦ୍ଧା ପରିସର ଭୁକ୍ତ କରାଯିବାକୁ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ବାଗ୍‌ଚି ସମୟ ଧାର୍ଯ୍ୟ କରିଥିଲେ। ଏଥିରେ ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକ ୧୦୦% ହାସଲ କରିସାରିଥିଲାବେଳେ ତିହିଡ଼ି ସର୍ବନିମ୍ନ ୨୪% ମାତ୍ର ପୂରଣ କରିପାରିଛି।

ମୋ ସ୍କୁଲ ଅଭିଯାନରେ ପ୍ରାଥମିକ ସ୍କୁଲ ବାସୁଦେବପୁରର ୨୩୪ ରୁ ୨୩୪ ଭଦ୍ରକରୁ ୨୩୧ ରୁ ୧୭୪, ଭଣ୍ଡାରିପୋଖରୀ ୧୧୮ ରୁ ୧୧୮, ବନ୍ତର ୧୪୭ ରୁ ୧୩୯, ଚାନ୍ଦବାଲି ୨୨୭ ରୁ ୧୨୯, ଧାମନଗର ୧୮୮ ରୁ ୧୮୧ ତିହିଡ଼ିର ୧୯୩ ରୁ ୪୭ଟି ଏବଂ ହାଇସ୍କୁଲ କ୍ଷେତ୍ରରେ ବାସୁଦେବପୁର ୫୧ ରୁ ୫୦, ଭଦ୍ରକର ୫୪ ରୁ ୫୨, ଭଣ୍ଡାରିପୋଖରୀର ୩୪ ରୁ ୩୪, ବ ନ୍ତର ୪୩ ରୁ ୪୨, ଚାନ୍ଦବାଲିର ୪୦ ରୁ ୩୭, ଧାମନଗର ୫୪ ରୁ ୫୨, ତିହିଡ଼ି ୩୬ ରୁ ୨୭ ଟି ଅନ୍ତର୍ଭୁକ୍ତ ହୋଇଛି। ସମସ୍ତ ବି.ଇ.ଓ., ମୋ ସ୍କୁଲ ଦଳର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଅନ୍ୟ ସଂପୃକ୍ତ କର୍ମଚାରୀ ଏହି ବୈଠକରେ ଉପସ୍ଥିତ ଥିଲେ। ଏ.ଡ଼ି.ଇ.ଓ. ଦୀପକ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ମୋ ସ୍କୁଲ ଅଭିଯାନରେ ସ୍କୁଲ ପାଇଁ ଅବଦାନ ରଖିଥିବା କେତେ ଜଣ ଆଲୁମିନି ମାନଙ୍କୁ ନେଇ ବୈଠକ ଆରମ୍ଭ କରାଯାଇଥିଲା। ଜିଲ୍ଲାପାଳ ତ୍ରିଲୋଚନ ମାଝୀ ମଧ୍ୟ ଏହି ବୈଠକରେ ଆସି ଯୋଗ ଦେଇଥିଲେ। ମୋ ସ୍କୁଲ ଅଭିଯାନରେ ବିଭିନ୍ନ ସ୍କୁଲପ୍ରତି ପୁରାତନ ବିଦ୍ୟାର୍ଥୀ ମାନଙ୍କର ଅବଦାନ, ନିର୍ମାଣ କାର୍ଯ୍ୟ, ଜାଗା ସମସ୍ୟା, ନୂଆ ପ୍ରକଳ୍ପ ଆଦି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ବିଶେଷ କରି ଓକରା ହାଇସ୍କୁଲ ଖେଳ ପଡ଼ିଆ, ବାର୍‌ହାପୁର ହାଇସ୍କୁଲର ଖୋଲା ଅଡ଼ିଟୋରିଅମ୍ ନିର୍ମାଣ, ଜିଲ୍ଲା ସ୍କୁଲର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ନହେବା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। କେବଳ ଆର୍ଥିକ ସାହାଯ୍ୟ ନୁହେଁ, ଶିକ୍ଷାଦାନ, ଶ୍ରମଦାନ ଭଳି ଯାହା ପାଖରେ ଯେଉଁ ସମ୍ବଳ ଅଛି ଆଲୁମିନି ମାନେ ସ୍କୁଲକୁ ଦାନ କରିପାରିବେ ବୋଲି ଶ୍ରୀମତୀ ବାଗ୍‌ଚି ପ୍ରକାଶ କରିଥିଲେ। ଏପରିକି ସ୍କୁଲର ଆବଶ୍ୟକ ମତେ ଜିନିଷ ମଧ୍ୟ ଦାନ କରାଯାଇ ପାରିବ। ପ୍ରକାଶ ଯୋଗ୍ୟକି ସ୍କୁଲର ଉନ୍ନତି ପାଇଁ ଆନୁମିନି ମାନେ ପ୍ରଦାନ କରିଥିବା ଅର୍ଥର ଦୁଇ ଗୁଣା ସରକାରଙ୍କ ପାଖରୁ ମିଳିଥାଏ। ସର୍ବନିମ୍ନ ୫ ହଜାର ଟଙ୍କା ପୁରାତନ ବିଦ୍ୟାର୍ଥୀଙ୍କ ପାଖରୁ ମିଳିଲେ ସେ ସ୍କୁଲ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇପାରିବ ଏବଂ ୧୫ ହଜାର ଟଙ୍କାର ଜିନିଷ କିଣାଯାଇପାରିବ। ଏପରିକି ଜ୍ଞାନ ଆହରଣ ପାଇଁ ସ୍କୁଲପିଲାଙ୍କ ପରିଭ୍ରମଣ ପାଇଁ ଏକ ତୃତୀୟାଂଶ ଅର୍ଥ ଯୋଗାଡ଼ କଲେ ସରକାରଙ୍କ ଠାରୁ ଦୁଇ ତୃତାୟାଂଶ ମିଳିବ ବୋଲି ମଧ୍ୟ ସେ କହିଥିଲେ। ମୋ ସ୍କୁଲ ଅଭିଯାନରେ ଅନ୍ତର୍ଭୁକ୍ତ ସ୍କୁଲର କାର୍ଯ୍ୟ, ସଫଳ କାହାଣୀ, ଫଟୋ ଆଦି ରାଜ୍ୟସ୍ତରକୁ ଆନୁମିନି ମାନେ ୯୪୩୯୪୮୯୬୩୨ ନମ୍ବର ରେ ହ୍ୱାଟ୍‌ସଅପ୍‌ରେ ପ୍ରେରଣ କରିପାରିବେ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.