Home ଜିଲ୍ଲା ପରିକ୍ରମା ‘ମୋନା’ ପକ୍ଷରୁ ନିଶା ବିରୋଧୀଙ୍କୁ ସୁରକ୍ଷା ଦାବି

‘ମୋନା’ ପକ୍ଷରୁ ନିଶା ବିରୋଧୀଙ୍କୁ ସୁରକ୍ଷା ଦାବି

15

ବାଲେଶ୍ୱର, ୧୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ଗତ ସପ୍ତାହରେ ଖଇରା ଅଞ୍ଚଳର ଶାରୀଶୁଆ ପାହାଡ଼ ନିକଟରେ ବେଆଇନ୍ ମଦବିକ୍ରିକୁ ବିରୋଧ କରିବାରୁ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ଜିଲ୍ଲା କମିଟି ଘୋର ଉଦ୍‌ବେଗ ପ୍ରକାଶ କରିଛି। ଗୁରୁତର ଆହତ ଶିକ୍ଷକ ଗୋପାଳଚନ୍ଦ୍ର ଜେନାଙ୍କୁ ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇଦେବାକୁ ଓ ଚିକିତ୍ସାଧୀନ ସମୟରେ ସ୍ୱତନ୍ତ୍ର ଛୁଟି ମଂଜୁର କରିବାକୁ ‘ମୋନା’ ଦୃଢ଼ ଦାବି କରିଛି। ଚୋରା ମଦବେପାରୀ ଓ ତାଙ୍କ ସହଯୋଗୀମାନଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରି ସୁସ୍ଥସମାଜରେ ବିଭୀଷିକା ସୃଷ୍ଟି କରୁଥିବା ନିଶା ବେପାର ବିରୁଦ୍ଧରେ ସ୍ୱରଉତ୍ତୋଳନ କରୁଥିବା ମହିଳାଗୋଷ୍ଠୀ, ସାମାଜିକ କର୍ମୀ ଓ ବ୍ୟକ୍ତିବିଶେଷଙ୍କୁ ପୋଲିସ୍ ସୁରକ୍ଷା ପ୍ରଦାନ ପାଇଁ ‘ମୋନା’ ଦାବି କରିଛି। ସେହିପରି ସରକାର ଡାକ୍ତରଖାନାରେ ଆହତଙ୍କର ଚିକିତ୍ସାପାଇଁ ସମସ୍ତ ଖର୍ଚ୍ଚ ବହନ କରିବା ସହିତ ଆହତଙ୍କୁ ଉଦ୍ଧାରକରି ହସପିଟାଲରେ ପହଞ୍ଚାଇବା ବ୍ୟକ୍ତିଙ୍କୁ ଜିଲ୍ଲାପ୍ରଶାସନ ପ୍ରଶଂସିତ କରିବା ଉଚିତ ବୋଲି ‘ମୋନା’ ତରଫରୁ କୁହାଯାଇଛି। ଲିଖିତ ପ୍ରତିକ୍ରିୟାରେ ‘ମୋନା’ର ଜିଲ୍ଲା ସଭାପତି ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁ, ସାଧାରଣ ସଂପାଦିକା ମମତା ମହାପାତ୍ର, ଉପଦେଷ୍ଟା ସୁବ୍ରତ କର, କୋଷାଧ୍ୟକ୍ଷ ଡ. କ୍ଷିତିଶ୍ୱର ଦାଶ, ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ଦାସ, କମଳାକାନ୍ତ ଦାଶ, ସୁଶ୍ରୀ ଗୀତାଞ୍ଜଳି ସିଂହ ପ୍ରମୁଖ ଉକ୍ତ ଘଟଣାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.