Home ଓଡ଼ିଶା ମୃତ୍ୟୁ ପରେ ବି ମିଳିଲାନି କରୋନା ଯୋଦ୍ଧାଙ୍କୁ ଉପଯୁକ୍ତ ସମ୍ମାନ, ମାନବିକତା ଦେଖାଇ ଶବ ଉଠାଇଲେ...

ମୃତ୍ୟୁ ପରେ ବି ମିଳିଲାନି କରୋନା ଯୋଦ୍ଧାଙ୍କୁ ଉପଯୁକ୍ତ ସମ୍ମାନ, ମାନବିକତା ଦେଖାଇ ଶବ ଉଠାଇଲେ ୨ ସାମ୍ବାଦିକ

223

କୋଦଳା ୨୫ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ମୃତ୍ୟୁ ପରେ ଅଛୁଆଁ ହୋଇଗଲା କରୋନା ଯୋଦ୍ଧାଙ୍କ ମୃତଦେହ। କରୋନା ପରି ମହାମାରୀ ସମୟରେ ଯିଏ ଆଗ ଧାଡ଼ିର ଯୋଦ୍ଧା ସାଜିଥିଲେ, ତାଙ୍କ ମୃତଦେହ ଉଠାଇବାକୁ କେହି ନଥିଲେ। ମେଡିକାଲ ବାହାରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ପଡ଼ି ରହିଥିଲା ମୃତଦେହ। କରୋନା ଡରରେ ପରିବାର ଲୋକେ ମଧ୍ୟ ଶବକୁ ଛୁଇଁଲେ ନାହିଁ। ଦୀର୍ଘ ସମୟ ଧରି ପ୍ରଶାସନିକ ଅଧିକାରୀଙ୍କର ମଧ୍ୟ ଦେଖା ମିଳୁନଥିଲା। ଶନିବାର ଗଞ୍ଜାମ ଜିଲ୍ଲା କୋଦଳାରେ ଏପରି ହୃଦୟ ବିଦାରକ ଘଟଣା ଚାରିଆଡ଼େ ପ୍ରଚାରିତ ହୋଇଥିଲା। ମୃତକ ପୁଲିସ୍‌ ଏଏସ୍ଆଇ ରବିନ୍ଦ୍ରନାଥ ବେହେରା ବୋଲି ଜଣାପଡିଛି। ଭଞ୍ଜନଗର କୋର୍ଟରେ କାର୍ଯ୍ୟ କରୁଥିଲେ ରବିନ୍ଦ୍ର। ଗତ କିଛି ବର୍ଷ ଧରି ସେ ବେଗୁନିଆପଡ଼ାରେ ରହୁଥିଲେ। ଗତ ୪ ଦିନ ଧରି ଜ୍ୱର, କାଶରେ ପୀଡ଼ିତ ଥିଲେ ରବିନ୍ଦ୍ର। ଶୁକ୍ରବାର ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ କୋଦଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ ପୋଲିସ ଏ ଏସ୍ ଆଇଙ୍କ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସ୍ବାବ୍ ରିପୋର୍ଟ ଆସି ନଥିବା ସୂଚନା ମିଳିଛି। ମୃତ ଶରୀରକୁ ହସ୍ପିଟାଲର କୌଣସି କୋଠରୀରେ ରଖାଯିବା ପରିବର୍ତ୍ତେ ମେଡିକାଲ୍ ବାହାରେ ପକାଇ ଦିଆଯାଇଥିଲା। ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଉଠାଇବାକୁ କେହି ବି ଆସି ନଥିଲେ। ଏପରିକି ତାଙ୍କ ପରିବାରଲୋକେ ବି ମୃତଦେହକୁ ଗ୍ରହଣ କରି ନାହାଁନ୍ତି। ହସ୍ପିଟାଲ୍ ଭିତରେ ମୃତଦେହକୁ ନରଖି ବାହାରକୁ ବାହାର କରି ଦିଆଯାଇଥିଲା ବେଳେ ଶେଷରେ କୋଦଳାର ୨ ସାମ୍ବାଦିକ ଭଗବାନ ପାଢ଼ୀ, ସନ୍ତୋଷ କୁମାର ସେଠୀ ମାନବିକତା ଦେଖାଇ ପିପିଇ କିଟ୍ ପିନ୍ଧି ଶବକୁ ଉଠାଇଥିବା ଦେଖିବାକୁ ମିଳିଛି। ଦୁଇ ସାମ୍ବାଦିକଙ୍କ ସହ ସାମିଲ ହୋଇଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଯାହାକଂ ନାମ ହେଉଛି ଗୁରା ଖାନ୍। ଶବକୁ କାଠ ବକ୍ସ ଭିତରେ ଭର୍ତ୍ତି କରି ଆମ୍ବୁଲାନ୍ସ ମାଧ୍ୟମରେ ବ୍ରହ୍ମପୁରକୁ ବ୍ଯବଛେଦ ପାଇଁ ନିଆ ଯାଇଥିଲା। ମୃତ ଏ ଏସ୍ ଆଇଙ୍କ ସ୍ତ୍ରୀ ଓ ପୁଅ ହସ୍ପିଟାଲକୁ ଆଣିଥିବା ବେଳେ କରୋନା ଭୟରେ ଶବକୁ ଛୁଇଁ ନଥିଲେ। ଘଟଣା ସ୍ଥଳରେ ପୋଲିସ୍ ଏସ୍ ପି ବ୍ରିଜେଶ କୁମାର ରାୟ, ଏସ୍ ଡି ପିଓ ସୀମା ସ୍ବାଇଁ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ପ୍ରମୁଖ ବହୁ ପଦାଧିକାରୀ ଥିବା ବେଳେ କରୋନା ଯୋଦ୍ଧାଙ୍କୁ ମୃତ୍ୟୁ ପରର ସମ୍ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ୨ ସାମ୍ବାଦିକ ଭଗବାନ ଓ ସନ୍ତୋଷଙ୍କ ଏଭଳି କାର୍ଯ୍ୟକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.