Home ଅନୁଗୁଳ ମୃତ୍ୟୁବରଣ କରୁଥିବା ଏମ୍‌.ସି.ଏଲ.ର ଠିକା ଶ୍ରମିକଙ୍କ ପରିବାରକୁ ମିଳୁନାହିଁ ଉଚିତ କ୍ଷତିପୂରଣ: ମହାନଦୀ କୋଇଲା ଠିକା...

ମୃତ୍ୟୁବରଣ କରୁଥିବା ଏମ୍‌.ସି.ଏଲ.ର ଠିକା ଶ୍ରମିକଙ୍କ ପରିବାରକୁ ମିଳୁନାହିଁ ଉଚିତ କ୍ଷତିପୂରଣ: ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ

74

ତାଳଚେର,୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ମହାନଦୀ କୋଇଲା କମ୍ପାନୀର ବିଭିନ୍ନ କୋଇଲାଖଣିରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ସହ ସେମାନଙ୍କ ପରିବାରର ଜଣକୁ ନିଯୁକ୍ତି ଦିଆଯିବାର ପ୍ରତିଶ୍ରୁତି ଧୂଆଁବାଣରେ ପରିଣତ ହୋଇଛି ବୋଲି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଏମ୍‌.ସି.ଏଲର କୋଇଲାଖଣିରେ ଠିକା ଶ୍ରମିକମାନେ ଅନେକ ସମୟରେ ବିପଦପୂର୍ଣ୍ଣ ସ୍ଥାନରେ କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ତେବେ ଖଣି କର୍ତୃପକ୍ଷ ସେମାନଙ୍କ ପରିବାରବର୍ଗକୁ ପ୍ରତିଶ୍ରୁତି ଅନୁସାରେ କ୍ଷତିପୂରଣ ରାଶି ଏବଂ ପରିବାର ଜଣକୁ ନିଯୁକ୍ତି ପ୍ରଦାନ କରିବାକୁ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି । ବିଗତ ଦିନରେ କେନ୍ଦ୍ର ଖଣି ମନ୍ତ୍ରୀ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ମୃତ ଶ୍ରମିକଙ୍କ ପରିବାରକୁ ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ପ୍ରକୃତ ପକ୍ଷେ ତାହା ପ୍ରଦାନ କରାଯାଇ ନାହିଁ । କୈାଣସି ଶ୍ରମିକଙ୍କ ମୃତ୍ୟୁ ଘଟିଲେ ଘଟଣାସ୍ଥଳରେ ବିଭିନ୍ନ ଦଳୀୟ ନେତା ପହଁଚି ଆମେ ସବୁ କରିଦେଲୁ ବୋଲି ବାହା ବା ନେବାକୁ ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆରେ ନିଜର ପ୍ରଚାର କରିବାକୁ ବ୍ୟସ୍ତ ରହୁଥିବା ବେଳେ, ତାହା ମୃତକଙ୍କ ପରିବାର ପ୍ରତି ପରିହାସ ସଦୃଶ ହୋଇଛି ବୋଲି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସର ସଭାପତି ରାଜକିଶୋର ସାହୁ ଅଭିଯୋଗ କରିଛନ୍ତି । ସୂଚନା ଅଧିକାର ଆଇନ ଦ୍ୱାରା ମିଳିଥିବା ତଥ୍ୟ ମୁତାବକ ଏମ୍‌.ସି.ଏଲ ପକ୍ଷରୁ ୨୦୧୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ତାଳଚେରର ବିଭିନ୍ନ କୋଇଲାଖଣି ଯଥା-ବଳରାମ, ଅନନ୍ତ, ଲିଙ୍ଗରାଜ, ଭୂବନେଶ୍ୱରୀ, ଭରତପୁର, କଣିହାଁ, ଜଗନ୍ନାଥ ଆଦି କୋଇଲାଖଣିରେ ୨୯ଜଣ ଠିକା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରତିଶ୍ରୁତି ମୁତାବକ ଅର୍ଥ ରାଶି ଅଦ୍ୟାବଧି ସେମାନଙ୍କ ପରିବାରକୁ ମିଳିନାହିଁ । ଏଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ କୋଇଲାଖଣି କର୍ତୃପକ୍ଷ ସେମାନଙ୍କର ପରିବାରକୁ ବକେୟା କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବୀ କରାଯିବା ଏଥିରେ ଖିଲାପ ହେଲେ ଆଗାମୀ ଦିନରେ ଖଣି ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସର ସଭାପତି ରାଜକିଶୋର ସାହୁ,ସାଧାରଣ ସମ୍ପାଦକ ପ୍ରଭାତ କୁମାର ରଥ,ଉପଦେଷ୍ଟା କେଶବ ଭୂତିଆ,ଏଲ୍‌. ମାଣିକ୍ୟ ପ୍ରଭା,ଜିନେସ ସାହୁ,ଡାକ୍ତର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ ସମ୍ପକରେ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.