Home ଓଡ଼ିଶା ମୁଖ୍ୟମନ୍ତ୍ରୀ ଏକ ନମ୍ବର ହେଲେ ରାଜ୍ୟ ଏବେବି ଏକ ନମ୍ବର ପଛୁଆ: ରାଜ୍ୟରେ ଜଳସେଚନର ବାସ୍ତବ...

ମୁଖ୍ୟମନ୍ତ୍ରୀ ଏକ ନମ୍ବର ହେଲେ ରାଜ୍ୟ ଏବେବି ଏକ ନମ୍ବର ପଛୁଆ: ରାଜ୍ୟରେ ଜଳସେଚନର ବାସ୍ତବ ସ୍ଥିତି ନେଇ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ସରକାର- କଂଗ୍ରେସ

58

ଭୁବନେଶ୍ୱର – ୧୭.୧ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ, ଖୁବ୍ ଜାକଜମକରେ କଳାହାଣ୍ଡିରେ ହୋଇଥିବା ବିରାଟ ସଭା ଓ କଳାହାଣ୍ଡିର ଦୁର୍ଦ୍ଦିନ ହଟି ବିକାଶର ମଡେଲ ହେଲା ବୋଲି ଯେଉଁ ଡିଣ୍ଡିମ ପିଟାଗଲା ତାକୁ ମୁଖପାତ୍ର ମନୋଜ ମହାପାତ୍ର, ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥିଙ୍କ ଉପସ୍ଥିତିରେ କଟୁ ସମାଲୋଚନା କରିଥିଲେ। ସେ କହିଥିଲେ ନବୀନବାବୁଙ୍କ ଶାସନକାଳ ଆରମ୍ଭ ହେଲା ୨୦୦୦ ମସିହାରେ। ସେତେବେଳକୁ ଇନ୍ଦ୍ରାବତୀର ୮୦% କାର୍ଯ୍ୟ ସଂପାଦିତ ହୋଇ ସାରଥିଲା। ଗତ କୋଡିଏ ବର୍ଷ ମଧ୍ୟରେ ଇନ୍ଦ୍ରାବତୀର ମାତ୍ର ୨୦% ଜମିକୁ ଜଳସେଚନ କରାଯାଇ ସରକାର ଏତେ ବାହାଦୁରୀ ନେଉଛନ୍ତି କାହିଁକି? ବଡ଼ କଥାହେଉଛି ଦେଶର ନଂ-୧ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ରାଜ୍ୟ ଏବେବି ଦେଶର କୌଣସି ଗୋଟିଏ ଉତ୍ପାଦନରେ ପ୍ରଥମ ୪ଟି ରାଜ୍ୟ ଭିତରେ ସ୍ଥାନିତ ହୋଇପାରିଲା ନାହିଁ।

ଓଡ଼ିଶାରେ କୃଷି ଉପଯୋଗୀ ଜମିର ପରିମାଣ ୬୪ଲକ୍ଷ ହେକ୍ଟର ଜମି ଅର୍ଥାତ୍ ସେଥିରୁ ୨୦୧୩-୧୪ରେ ହିସାବ ଅନୁଯାୟୀ ୫୪.୨୪ଲକ୍ଷ ହେକ୍ଟର ଜମିର ଚାଷ ହୋଇଥିଲା। ସେଥିରେ ୪୩ଲକ୍ଷ ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ହୋଇଥାଏ। ଗୋଟିଏ ପରିବାର ପିଛା ହାରାହାରି ୧ହେକ୍ଟର ଜମି ରହିଛି। ସରକାରୀ ହିସାବରେ ଖରିଫ ରୁତୁରେ ୨୨.୫୪ ଲକ୍ଷ ହେକ୍ଟର ଜମିରେ ଅର୍ଥାତ ଭଲ ବର୍ଷାଥିଲେ ଏହିପରିମାଣରେ ଜଳସେଚନ ହୁଏ। ଅନାବୃଷ୍ଟି ସମୟରେ ଆବଶ୍ୟକ ଜଳ ଅଭାବରୁ ଫସଲ କମ୍ ହୁଏ ଏବଂ ଏହି ଜଳସେଚନ ପରିମାଣ ୩୦%ରୁ କମିଯାଏ। ରବି ଋତୁରେ ମାତ୍ର ୧୩ଲକ୍ଷ ହେକ୍ଟର ବା ୨୦% ଜମିରେ ଜଳସେଚନ ବ୍ୟବସ୍ଥା ହୁଏ। ଖରାଦିନରେ ମାତ୍ର ୩% ବା ଅତି ବେଶିହେଲେ ୧.୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ହୁଏ। ରାଜ୍ୟରେ ବର୍ଷକୁ ମୋଟ ବର୍ଷା ଅନୁପାତ ହାରାହାରି ୧୫୦୦ମି.ମି. ଓ ପ୍ରବାହିତ ଜଳରାଶି ୯୫ ବିଲିଅନ କ୍ୟୁବିକ୍ ମିଟର। ଏଥିରୁ ୭ଟି ମେଜର ଇରିଗେସନ ପ୍ରକଳ୍ପରେ ମାତ୍ର ୧୪ ବି.କ୍ୟୁ. ମିଟର, ୪୦ଟି ମଧ୍ୟମ ଯୋଜନାରେ ୧.୬୩ ବି.କ୍ୟୁ.ମି. ଓ ଅନ୍ୟାନ୍ୟରେ ମାତ ୦.୮୫ ବି.କ୍ୟୁମି. ଏପରି ମୋଟ ୧୭.୩୪ ବି.କ୍ୟୁମି ପାଣି ରୁହେ। ଅର୍ଥାତ ୧୮ରୁ ୨୦% ପାଣି ସଂଗୃହିତ ହୋଇ ରୁହେ ଏବଂ ସମସ୍ତ ଜଳାରଶିର ୭୨% ପାଣି ସମୁଦ୍ରକୁ ବୋହିଯାଏ। ଏ ତଥ୍ୟକୁ ସରକାର ନିଜେ ସ୍ୱୀକାର କରିଛନ୍ତି।

ନବୀନ ବାବୁ ସରକାରକୁ ଆସିବାପରେ ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ଯାହା କରିିଛନ୍ତି ତା’ର ଫଳସ୍ୱରୂପ ଜଳସେଚନ ପ୍ରକଳ୍ପ ମାତ୍ର ୪୯.୨୮% ବ୍ୟବହାର ହୋଇଛି, ଯାହାକି ସରକାର ଦାୟିତ୍ୱ ନେବାବେଳେ ୫୮.୯୫%ଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ:-ଗତ ୨୦ ବର୍ଷରେ ଇନ୍ଦ୍ରାବତୀ, ହୀରାକୁଦ, ରେଙ୍ଗାଲି, କୋଲାବ ଆଦିର ଜଳଧାରଣ କ୍ଷମତା ବଢ଼ିଛି ନା କମିଛି? ଜଳ ଧାରଣ କ୍ଷମତା କମିବା ଦ୍ୱାରା କେତେ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି? ରେଙ୍ଗାଲି ବାମ ଓ ଦକ୍ଷିଣ ପାର୍ଶ୍ୱ, କେନାଲ କାର୍ଯ୍ୟ ଶେଷ ହେବାକୁ ଆହୁରି କେତେବର୍ଷ ଲାଗିବ?ବୈତରଣୀ ନଦୀ ଉପରେ ଆରମ୍ଭ ହୋଇଥିବା କାନପୁର ପ୍ରକଳ୍ପ କେବେସୁଦ୍ଧା ଜଳସେଚନ କ୍ଷମତା ଲାଭ କରିବ? ବର୍ତମାନସୁଦ୍ଧା କେତେଜମିକୁ ଖରିଫ, ରବି ଓ ଖରାଦିନେ ଜଳସେଚନ ବ୍ୟବସ୍ଥା ହୋଇଛି? ଅର୍ଥାତ ଷ୍ଟେଟ ଜମିର କେତେ ପରିମାଣ ତିନି ଫସଲି ହୋଇଛି?

ଆପଣ ସରକାରର ଅବହେଳା ହେତୁ ପୂର୍ବ କଂଗ୍ରେସ ସରକାର ଅମଳରେ ର୍ନିମିତ ମଧ୍ୟମ ଜଳସେଚନ ପ୍ରକଳ୍ପ ଗୁଡ଼ିକର ଜଳଧାରଣ କ୍ଷମତା ଅତିବ ମାତ୍ରାରେ କମିଛି। ନୟାଗଡ଼ରେ ବହୁଚର୍ଚ୍ଚିତ ବୃତାଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ୭ଥର ପ୍ରତିଶ୍ରୁତି ଦେବାପରେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ହେଲା ନାହିଁ। ମହାନଦୀରେ ୭ଟି କ୍ଷୁଦ୍ର ଆନିକଟ ନିର୍ମାଣ କରି ଜଳ ରୋକିବା ବ୍ୟବସ୍ଥାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଗଲା କୁଆଡ଼େ। ତଳମୁଣ୍ଡରେ ନଦୀ ସଂଯୋଗିକରଣ ବ୍ୟବସ୍ଥାର ଆଜିର ସ୍ଥିତି କ’ଣ? ଏପର୍ଯ୍ୟନ୍ତ କଳାହାଣ୍ଡିରେ ୧୨ଗୋଟି ମେଗା ଇରିଗେସନର ମୋଟ ୨୦୯ ଗୋଟି ପ୍ରକଳ୍ପରୁ ମାତ୍ର ଗୋଟିଏ ବି ଜଳବଂଟନ ପ୍ରକ୍ରିୟାରେ ସାମିଲ ହୋଇ ପାରି ନାହିଁ। ୨୦୦୫ ରେ ଘୋଷଣା କରିଥିଲେ ଯେ ରାଜ୍ୟର ଅନ୍ତତଃ ୩୧୪ ବ୍ଲକକୁ ଖରିଫ ଋତୁରେ ୩୫% ପାଣି ଯୋଗାଇ ଦିଆଯିବ। ଏପର୍ଯ୍ୟନ୍ତ ୧୯୮ଟି ବ୍ଲକକୁ ୩୦% ପାଣି ବି ଯାଇ ନାହିଁ। ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଓ ମୟୁରଭଞ୍ଜ ଭଳି ଜିଲ୍ଲାରେ ବର୍ତମାନ ସୁଦ୍ଧା ୩୦% ଜମିକୁ ଜଳସେଚନର ବ୍ୟବସ୍ଥା ନାହିଁ। ନୂଆପଡ଼ାର ୫ଟି ବ୍ଲକ ଏବେବି ୧୦% ଜଳସେଚନ ସୁବିଧାରୁ ବଂଚିତ।

ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ନାମରେ ୨୦୧୦-୧୧ ରୁ ଆରମ୍ଭ ହୋଇଥିବା ଚେକ୍ ଡ୍ୟାମରେ ଏପର୍ଯ୍ୟନ୍ତ ୪ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ବର୍ଷାପରେ ରବି ଋତୁରେ ମାତ୍ର ୪୦୦ ହେକ୍ଟର ଜମିରେ ପାଣି ମାଡ଼େ ନାହିଁ। ଉପକୂଳ ଅଂଚଳରେ କ୍ରିକ୍ ଜଳସେଚନ ବ୍ୟବସ୍ଥା ଗଲା କୁଆଡ଼େ? ୧୮ ହଜାର ଲିପ୍ଟ ଇରିଗେସନ ପଏଣ୍ଟ ଅଚଳ ହେତୁ ରାଜ୍ୟରେ ଉଠା ଜଳ ସେଚନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୂଷୁଡ଼ି ପଡ଼ିଛି। ଏ ସମସ୍ତ ପ୍ରଶ୍ନର ଉତର ରଖିବା ପାଇଁ ଶ୍ରୀ କାନୁନଗୋ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି।

କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଓଡ଼ିଶାର ପଡ଼ୋଶି ରାଜ୍ୟ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ହୋଇଥିବା ଜଳସେଚନ ଜନିତ ବିକାଶ ସହିତ ରାଜ୍ୟର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ସେ କହିଥିଲେ ଯେ ପଡ଼ୋଶି ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାର ଜଳସେଚନର ସ୍ଥିତି ଅତ୍ୟନ୍ତ ନଗଣ୍ୟ ଓ ରାଜ୍ୟ ସରକାର ବିଗତ ୨୦ବର୍ଷ ଧରି ରାଜ୍ୟର ଜଳସେଚନ ବ୍ୟବସ୍ଥା ପ୍ରତି ଆଦୌ ଦୃଷ୍ଟି ଦେଇନାହାଁନ୍ତି। ନିଜର ସଫଳତାର ସାର୍ଟିଫିକେଟ ଜେନତେନ ଉପାୟରେ ସଂଗ୍ରହକରି କେବଳ ନିଜର ଆତ୍ମପ୍ରଚାର କରିବା ଛଡ଼ା ଆଉ କିଛି କରିନାହାଁନ୍ତି। ଆମ ରାଜ୍ୟ ଏବେବି ସର୍ବଭାରତୀୟ ସ୍ତରରେ ସବୁକ୍ଷେତ୍ରରେ ପଛୁଆ ଥିଲା ବେଳେ ସରକାର ନିଜର ଆତ୍ମଚିନ୍ତନ କରିବା ଆବଶ୍ୟକ। କଂଗ୍ରେସ ନେତା ଶ୍ରୀ ମନୋରଞ୍ଜନ ଦାଶ ରାଜ୍ୟ ସରକାରଙ୍କ ଜଳସେଚନ ପ୍ରତି ଥିବା ବୈମାତୃକ ମନୋଭାବକୁ କଠୋର ସମାଲୋଚନା କରିଥିଲେ ଓ କହିଥିଲେ ସଠିକ୍ ଜଳସେଚନ ବ୍ୟବସ୍ଥା ନହେବା ହେତୁ ଓଡ଼ିଶାର ଚାଷ ଓ ଚାଷୀକୂଳ ଉଭୟ ଗଭୀର ଭାବରେ ପ୍ରଭାବିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.