Home ଅପରାଧ ମିଶ୍ରଣ ନାମରେ ଅପମିଶ୍ରଣ: ଧର୍ମେନ୍ଦ୍ରଙ୍କୁ ବାଜିଲା ଦାମବାଣ; ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା ଉଜ୍ଜ୍ୱଳା!

ମିଶ୍ରଣ ନାମରେ ଅପମିଶ୍ରଣ: ଧର୍ମେନ୍ଦ୍ରଙ୍କୁ ବାଜିଲା ଦାମବାଣ; ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା ଉଜ୍ଜ୍ୱଳା!

1068

ଭୁବନେଶ୍ୱର: ୨୦୧୯ ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ ନାମରେ ବିଜେପି ଗୁଡ଼ାଏ ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ମିଶାଇଲା।ନିଜ ଦଳର ନେତାଙ୍କ ଉପରେ ଭରଷା ନକରି ଦଳଡିଆଁ ମାନଙ୍କୁ ଟିକେଟ ଦେଲା।ବିଜେପିର ମୂଳ ବିଚାରଧାରାର ବିରୋଧୀ ମାନଙ୍କୁ ମଧ୍ୟ ଦଳରେ ସାମିଲ କରାଗଲା।ମୋଦିଙ୍କ ବାବଦରେ କଟୁ ମନ୍ତବ୍ୟ ଦେଇଥିବା, ମୋଦିଙ୍କ ପୋଷ୍ଟରକୁ ଜୋତାରେ ପିଟିଥିବା ଏବଂ ଆରଏସଏସକୁ ଶକୁନୀ ମାମା କହୁଥିବା ଲୋକଙ୍କୁ ମଧ୍ୟ ଦଳରେ ସାମିଲ କରାଗଲା।କିନ୍ତୁ କିଛି ଫଳ ମିଳିଲାନି।ମିଶନ- ୧୨୦ କ’ଣ, ତା’ ଆଖ ପାଖରେ ମଧ୍ୟ ପହଞ୍ଚି ପାରିଲା ନାହିଁ ଓଡ଼ିଶା ବିଜେପି।ନାଁ ଦଳରେ ବିଚାରଧାରା ରହିଲା ନାଁ ଦଳକୁ ସଫଳତା ମିଳିଲା।କାରଣ ମିଶ୍ରଣ ନାମରେ ବିଜେପି ଗୁଡ଼ାଏ ଅପମିଶ୍ରଣ କରାଇଥିଲା।ଏହି ଅପମିଶ୍ରଣର ନେତୃତ୍ୱ ନେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଏହି ଅପମିଶ୍ରଣର ଏବେ ଆଉ ଏକ ପରିଣାମ ଦେଖିବାକୁ ମିଳିଛି।ବିଜେଡିର ତୁଣ୍ଡ କୁହାଯାଉଥିବା ଦାମ ରାଉତ ବିଜେଡିରୁ ଏକ ପ୍ରକାର ଫିଙ୍ଗି ଦିଆଯିବା ପରେ ତାଙ୍କୁ ଗୋଟେଇ ଆଣିଲେ ଧର୍ମେନ୍ଦ୍ର ପ୍ରଧାନ।ଯେଉଁ ଦାମ ବାବୁଙ୍କୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଶ୍ରୀଖଣ୍ଡି କହିଥିଲେ, ତାଙ୍କ ସହିତ ବୁଲି ନିର୍ବାଚନ ପ୍ରଚାର କଲେ।ସତେ ଯେପରି ପଦ୍ମ ପୋଖରୀରେ ବୁଡ଼ ପକାଇ ଶ୍ରୀଖଣ୍ଡି ପୁରୁଷତ୍ୱ ପ୍ରାପ୍ତ କଲେ!ଦାମ ବାବୁଙ୍କ “ସ୍ୱାମୀ ଛାଡ଼ି..” ମନ୍ତବ୍ୟକୁ ମହିଳା ବିରୋଧୀ ବୋଲି ଚିତ୍କାର କରି ବିଜେପି ମହିଳା ମୋର୍ଚ୍ଚା ହୁଲସ୍ତୁଲ୍ କରିଦେଲା।ଆଉ ଶେଷରେ ସେହି ମହିଳା ବିରୋଧୀ ଶ୍ରୀଖଣ୍ଡି ହେଲେ ୨୦୧୯ ନିର୍ବାଚନ ପାଇଁ ଓଡ଼ିଶା ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ!ଯେଉଁ ଧର୍ମେନ୍ଦ୍ର ପ୍ରଧାନ ଦାମ ବାବୁଙ୍କୁ ନେଇ ପ୍ରଚାର କମିଟି ଅଧ୍ୟକ୍ଷ କରାଇଥିଲେ, ସେହି ଦାମ ବାବୁ ଏବେ ଧର୍ମେନ୍ଦ୍ର ବାବୁଙ୍କ ଅପପ୍ରଚାର ଆରମ୍ଭ କରିଛନ୍ତି?ତାହା ପୁଣି ନୁଆ ବର୍ଷ ୨୦୨୦ ଆରମ୍ଭର ପ୍ରଥମ ଦିନରେ।ଅପମିଶ୍ରଣର ପରିଣାମ ସ୍ଵରୂପ ନୂଆ ବର୍ଷ ଭେଟି ପାଇଛନ୍ତି ଧର୍ମେନ୍ଦ୍ର।ଦାମ ରାଉତଙ୍କ ଦ୍ୱାରା ସମ୍ପାଦିତ ତାଙ୍କ ନିଜ ଖବରକାଗଜର ୦୧, ୦୧, ୨୦୨୦ର ପ୍ରଥମ ପୃଷ୍ଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ବାଣ ମାରିଛନ୍ତି ଦାମ।

ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?

ଧର୍ମେନ୍ଦ୍ରଙ୍କୁ ଦାମ ମାଗିଲେ ଜବାବ; ପେଟ୍ରୋଲିୟମ ମନ୍ତ୍ରୀ ଦେଶବାସୀଙ୍କ ପାଇଁ ଏକ ସ୍ପଷ୍ଟୀକରଣ ରଖନ୍ତୁ –

ନୂଆବର୍ଷ ଆରମ୍ଭର ପ୍ରଥମ ଦିନରେ ନିଜ ଖବରକାଗଜର ପ୍ରଥମ ପୃଷ୍ଠାରେ ଉଜ୍ୱଳା ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଆକ୍ରମଣ କରି ଡା. ଦାମଦର ରାଉତ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ୨୦୧୯ ବର୍ଷରେ ସର୍ବାଧିକ ପ୍ରଚାରିତ ହୋଇଛି।ପ୍ରଧାନମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ବିବୃତି ତଥା ବିଜ୍ଞାପନ ବାବଦରେ ରାଜକୋଷରୁ ସର୍ବାଧିକ ଅର୍ଥବ୍ୟୟ କରାଯାଇଛି।ମାତ୍ର ଏବେ ଭାରତ ସରକାରଙ୍କ ଏକ ବୈଧାନିକ ସଂସ୍ଥା, କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (ସିଏଜି) ଯେଉଁ ଅଡିଟ ରିପୋର୍ଟ ପ୍ରକାଶ କରିଛନ୍ତି ଏବଂ ସେଥିରେ ଯେଉଁ ତ୍ରୁଟି ବିଚ୍ୟୁତି ଦର୍ଶାଇଛନ୍ତି ସେ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ଦେଶବାସୀଙ୍କ ପାଇଁ ଏକ ସ୍ପଷ୍ଟୀକରଣ ରଖନ୍ତୁ।ସିଏଜି ତାଙ୍କର ୨୦୧୯ ଆର୍ଥିକ ବର୍ଷର ପରଫରମାନ୍ସ ରିପୋର୍ଟକୁ ସତ୍ୟ ଏବଂ ସାଧାରଣ ସ୍ୱାର୍ଥ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ଏହାକୁ କେହି ଉଦ୍ଦେଶ୍ୟମୂଳକ ବା ରାଜନୈତିକ ଅଭିସନ୍ଧିମୂଳକ ବୋଲି କହିପାରିବ ନାହିଁ।ସିଏଜି ଉଲ୍ଲେଖ କରିଥିବା ଅନେକ ତଥ୍ୟ ଭିତରୁ ମାତ୍ର ୪ ରୁ ୫ଟି ଉଦାହରଣ ଉଜ୍ୱଳା ଯୋଜନାର ଘୋଟାଲ ପରିମାଣ କେତେ ତାହା ଅନୁମାନ କରିହେବ।ଏହିବର୍ଷ ପ୍ରାୟ ୪ ଲକ୍ଷ ୩୫ ହଜାର ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।କିନ୍ତୁ ବର୍ଷକ ଭିତରେ ଗ୍ୟାସ ସିଲିଣ୍ଡର ପାଇନାହାଁନ୍ତି।୧୪ ଲକ୍ଷରୁ ଅଧିକ ହିତାଧିକାରୀ ଗୋଟିଏ ମାସରେ ୨୦ ରୁ ୪୧ଟି ସିଲିଣ୍ଡର ନେଇଛନ୍ତି।ସେହିଭଳି ୩ ଲକ୍ଷ ୪୪ ହଜାର ହିତାଧିକାରୀ ୨ ରୁ ୨୦ଟି ସିଲିଣ୍ଡର ଗୋଟିଏ ଦିନରେ ହିଁ ନେଇଛନ୍ତି।୧ଲକ୍ଷ ୯୮ ହଜାର ହିତାଧିକାରୀ ଗ୍ୟାସ ସିଲିଣ୍ଡର ନେଇଛନ୍ତି।କିନ୍ତୁ ସେମାନେ ତାହାକୁ ଘରୋଇ ବ୍ୟବହାର ନ କରି ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି।ସେହିଭଳି ଅଜଣା ହିତାଧିକାରୀଙ୍କ ଭିତରୁ ଶତକଡ଼ା ୧୮ ଭାଗ ହିତାଧିକାରୀଙ୍କୁ କେୱାଇସି ଦିଆଯାଇ ଥିବାବେଳେ ଶତକଡ଼ା ୮୨ ଭାଗ ହିତାଧିକାରୀ କେୱାଇସି ପାଇନାହାଁନ୍ତି।ସବୁଠାରୁ କୌତୁହଳର ବିଷୟ ଯେ, ୮ ଲକ୍ଷ ୫୯ ହଜାର ହିତାଧିକାରୀ ହେଉଛନ୍ତି ୧୮ ବର୍ଷରୁ କମ ବାଳକ ବାଳିକା।ଏମାନଙ୍କୁ ହିତାଧିକାରୀ କରିବାର କୌଣସି ନିୟମ ନାହିଁ।ବୋଧହୁଏ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଏମାନଙ୍କୁ ଗ୍ୟାସ ସିଲିଣ୍ଡର ଦିଆଯାଇଛି।ସିଏଜିଙ୍କର ଏ’ ତଥ୍ୟକୁ ରାଜନୈତିକ ଅଭିସନ୍ଧିମୂଳକ ବୋଲି କେନ୍ଦ୍ରମନ୍ତ୍ରୀ କେବେ କହିପାରିବେ ନାହିଁ।ପ୍ରାୟ ୮୪ ପୃଷ୍ଠା ବିଶିଷ୍ଟ ସିଏଜି ରିପୋର୍ଟରେ ଯେଉଁ ସବୁ ତଥ୍ୟ ଦିଆଯାଇଛି ସେଥିରୁ ଯେ କେହି ବ୍ୟକ୍ତି ଏହା ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନାରେ ଘଟିଥିବା ଅନିୟମିତତା ଏବଂ ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା ବୋଲି ଅନୁଭବ କରିବେ।ଉଜ୍ଜ୍ୱଳା ଯୋଜନାର ସଫଳତା ଦର୍ଶାଇବାକୁ ଯାଇ ଦୂରଦର୍ଶନ ଏବଂ ବିଜ୍ଞାପନରେ ପ୍ରସାରିତ ହେଲା। ସେଥିରେ ଓଡ଼ିଶାର ଜଣେ ଅତି ଗରିବ ମହିଳା ତାହା ଝୁମ୍ପୁଡ଼ି ଘର ବାରଣ୍ଡାରେ ଚୁଲି ଫୁଙ୍କୁଥିବା ଦୃଶ୍ୟ ଦେଖାଇଲା ବେଳେ ଅନ୍ୟ ଗୋଟିଏ ସ୍ୱଚ୍ଛଳ ପରିବାର ୧୫ କିଗ୍ରାର ଗ୍ୟାସ ସିିଲିଣ୍ଡର ହସି ହସି ଗ୍ରହଣ କରୁଥିବାର ଦେଖାଗଲା।ଏହା ବୋଧହୁଏ ଦାରିଦ୍ର‌୍ୟକୁ ଉପହାସ ସଦୃଶ୍ୟ।ସେ ଗରିବ ମହିଳାଙ୍କର ଗ୍ୟାସ ସିଲିଣ୍ଡର ବା ଗ୍ୟାସଚୁଲା କିଣିବାକୁ ପଇସା ନାହିଁ।ଏହାକୁ ବ୍ୟବହାର କରିବାକୁ ଘର ମଧ୍ୟ ନାହିଁ।ରାଜ୍ୟରେ ଜନ ସଂଖ୍ୟାର ଶତକଡ଼ା ୨୫ ଭାଗ ହେଉଛନ୍ତି ଆଦିବାସୀ।ସେମାନେ ପ୍ରାୟତଃ ଚାଳ ଛପର ଝୁମ୍ପୁଡ଼ି ଘରେ ବାସ କରନ୍ତି।ଓଡ଼ିଶାର ଗାଁ’ ଗଣ୍ଡାରେ ଅନୁସୂଚିତ ଜାତି ପରିବାର ଭିତରୁ ଅଧିକାଂଶଙ୍କର ନିରାପଦ ରୋଷେଇ ଘର ନାହିଁ।ତେବେ ଉଜ୍ଜ୍ୱଳା ଯୋଜନା ବାସ୍ତବରେ କେଉଁ ସ୍ଥିତିରେ ଅଛି ଏବଂ ନାମୀଦାମୀ ଭାଷଣ ଏବଂ ରଙ୍ଗୀନ ବିଜ୍ଞାପନ ଲୋକମତକୁ କିପରି ବିଭ୍ରାନ୍ତ କରୁଛି ତାହା ସହଜରେ ଅନୁମେୟ।ଏ’ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କ ସିଏ ଜି ରିପୋର୍ଟ ଭିତ୍ତିରେ ଏକ ସ୍ପଷ୍ଟି କରଣ ଦିଅନ୍ତୁ କିମ୍ବା ତଦନ୍ତ ପାଇଁ ନିଷ୍ପତି ନିଅନ୍ତୁ।/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.