Home କେନ୍ଦୁଝର ମିଳୁନି ଜଂଗଲ ଜମି ପଟ୍ଟା ଆବାସ ଯୋଜନାରୁ ବଞ୍ଚିତ ହାଟଡିହି ବ୍ଲକର ଦୁଇଟି ଗ୍ରାମ

ମିଳୁନି ଜଂଗଲ ଜମି ପଟ୍ଟା ଆବାସ ଯୋଜନାରୁ ବଞ୍ଚିତ ହାଟଡିହି ବ୍ଲକର ଦୁଇଟି ଗ୍ରାମ

102

ହାଟଡ଼ିହି, ୨୨ । ୯ : (ଓଡିଆପୁଅ/ ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ମଲ୍ଲି ପସି ଓ ସରମୁଣ୍ଡି ଗ୍ରାମର ଗ୍ରାମବାସୀ ମାନେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏହି ଗ୍ରାମ ଦୁଇଟିରେ ୩୩୦ପରିବାର ବାସ କରୁଥିବାବେଳେ ଏମାନେ ହଦଗଡ ସାଳନ୍ଦୀ ନଦୀବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ଆଜକୁ ୫୦ବର୍ଷ ହେଲା ରହି ଆସୁଛନ୍ତି । ବିସ୍ଥାପନ ସମୟରେ ଏହି ଲୋକମାନଙ୍କୁ ରାଜ୍ୟ ସରକାର ଅନ୍ୟତ୍ର ଯୋଗାଇ ଦେଇଥିଲେବି ସେଠାରେ ସେମାନଙ୍କ ରହିବାପାଇଁ ସୁବିଧା ସୁଯୋଗ ନଥିବାରୁ ସେମାନେ ମଲ୍ଲିପସି ଓ ସରମୁଣ୍ଡି ଗ୍ରାମ ଦୁଇଟିରେ ୫୦ବର୍ଷ ହେଲା ବସବାସ କରି ଆସୁଛନ୍ତି । ଏହି ଗାଁ ଦୁଇଟି କେ ବାଲିପାଳ ପଞ୍ଚାୟତ ଅଧିନରେ ଥିବାବେଳେ ଏହାର ଦୁରତା ବ୍ଲକ ଠାରୁ ୯୦କିଲୋମିଟରରୁ ଅଧିକ । ଯାହାଦ୍ୱାରା ଏମାନେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏହି ଗ୍ରାମର ଲୋକମାନେ ଆଜି ପର‌୍ୟ୍ୟନ୍ତ ଭଙ୍ଗା ଚାଳଘରେ ବସବାସ କରି ଆସୁଛନ୍ତି । ସରକାର ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ଖଣିକ୍ଷତିଗ୍ରସ୍ଥ ବିଜୁପକ୍କାଘର ଯୋଜନାରେ ହାଟଡିହି ବ୍ଲକକୁ ୧୦ହଜାରରୁ ଉର୍ଦ୍ଧ ଘର ଯୋଗାଇ ଦେଇଥିଲେବି ଏହି ଗ୍ରାମର ଗୋଟିଏବି ପରିବାର ଏହି ଯୋଜନାରୁ ଘର ଖଣ୍ଡିଏବି ପାଇପାରି ନାହାନ୍ତି । ପଞ୍ଚାୟତର ଅନ୍ୟ ସମସ୍ତ ଗ୍ରାମର ଲୋକମାନେ ଘର ପାଉଥିବାବେଳେ ଏମାନଙ୍କର ଜମିପଟ୍ଟା ନଥିବାରୁ ଏମାନେ ଘର ପାଇପାରୁ ନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସରକାର କିଛିବର୍ଷ ହେଲା ଜଂଗଲରେ ବସବାସ କରୁଥିବା ଆଦିବାସୀ ଲୋକମାନଙ୍କ ପାଇଁ ଜଂଗଲ ଜମି ପଟ୍ଟା ଯୋଗାଇ ଦେଇଥିବାବେଳେ ହଦଗଡ ସେଞ୍ଚୁରୀ ଏରିଆ କହି ଏମାନଙ୍କୁ ଜଂଗଲ ଜମି ପଟ୍ଟା ଯୋଗାଇ ଦିଆଯାଇ ନଥିବା ଗ୍ରାମର ବିରଞ୍ଚି ବିନିସିଆ, ସୀତାମଣି ବିନିସିଆ, କନକ ସେଠୀ, ମକରା ସଲଙ୍ଗୀ ପ୍ରମୁଖ ଅଭିଯୋଗ କରିଛନ୍ତି । ହଦଗଡ ପଞ୍ଚାୟତର ଦଲକି, ପିତାନାଉ ପ୍ରଭୃତି ଗ୍ରାମର ଲୋକମାନେ ହଦଗଡ ସେଞ୍ଚୁରୀ ଏରିଆ ଭିତରେ ବସବାସ କରୁଥିବାବେଳେ ସେମାନଙ୍କୁ ଜଂଗଲଜମି ପଟ୍ଟା ଦିଆଯାଇ ଥିବାବେଳେ ଆମ ଗାଁ ଲୋକଙ୍କୁ କାହିଁକି ବାରଣ କରାଯାଉଛି ବୋଲି ସଦାଶିବ ନାଏକ, ବିରଞ୍ଚ ବିନିସିଆ, ନରେନ୍ଦ୍ର ବିନିସିଆ, ରମେଶ ବିନିସିଆ, କୁନାଲ କସିମାଳ, ମଙ୍ଗଳ ସୋରେନ, ବାବୁଲି ନାଏକ, ରାଘବ କସିମାଳ, ସୁରେନ୍ଦ୍ର ବିନିସିଆ ପ୍ରମୁଖ ଅଭିଯୋଗ କରିଛନ୍ତି । ସରକାରଙ୍କ ଏହି ଯୋଜନା ଏଠାରେ କାର‌୍ୟ୍ୟକାରୀ ହେଉ ନଥିବାରୁ ଦୁଇଟି ଯାକ ଗ୍ରାମର ଗ୍ରାମବାସୀମାନେ ପକ୍କାଘର କରି ନପାରି ଭଙ୍ଗା ଦଦରା ଚଳାଛପର ଘରେ ବସବାସ କରୁଥିବା କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.