Home ଜିଲ୍ଲା ପରିକ୍ରମା ମିଳିତ ଜନ ଶୁଣାଣି ଶିବିରରେ ୯୬ଟି ଅଭିଯୋଗ

ମିଳିତ ଜନ ଶୁଣାଣି ଶିବିରରେ ୯୬ଟି ଅଭିଯୋଗ

10

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମଇ ମାସର ପ୍ରଥମ ମିଳିତ ଜନ ଶୁଣାଣି ଶିବିର ୧ ତାରିଖ ସୋମବାର ଦିନ ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ସମୁଦାୟ ୯୬ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୮୪ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ଓ ୧୩ଟି ସାମୂହିକ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସହାୟତା ପ୍ରଦାନ ସମ୍ବନ୍ଧୀୟ ୪ଟି ଆବେଦନ ଥିଲା । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଭଦ୍ରକ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ । ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ, ସହାୟକ ଜିଲ୍ଲାପାଳ ଚିତ୍ତ ରଞ୍ଜନ ସେଠୀ ଅଭିଯୋଗ ଉପସ୍ଥାପନ କାର୍ଯ୍ୟ ତୁଲାଇଥିଲେ । ସାମାଜିକ ସୁରକ୍ଷା ଯୋଜନାରେ ଦିବ୍ୟାଙ୍ଗ ବିଧବା, ବାର୍ଦ୍ଧକ୍ୟ ଆଦି ଭତ୍ତା ସମ୍ବନ୍ଧୀୟ ସଂଖ୍ୟାଧିକ ଅଭିଯୋଗ ଆସିଥିଲା ବେଳେ, ଯୋଗାଣ ବିଭାଗର ରେସନ କାର୍ଡ଼, ରାଜସ୍ୱ ବିଭାଗର ଜମିଜମା, ବ୍ଲକ୍ ଅଧୀନରେ ଚାଲୁଥିବା ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ଆଦି ସହ ଶିକ୍ଷା, ଜିଲ୍ଲା ଜରୁରୀକାଳୀନ ବିଭାଗ ଆଦି ସମ୍ବନ୍ଧୀୟ ଅଭିଯୋଗ ଆଗତ ହୋଇଥିଲା । ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ପ୍ରକ୍ରିୟାରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ବିବିଧ ବିଭାଗର କର୍ମଚାରୀ ଅଭିନେତ୍ରୀ ମହାନ୍ତି ଓ ଲିସାରାଣୀ ରାଉତ ଅଭିଯୋଗ ପଞ୍ଜିକରଣରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.