Home କଳାହାଣ୍ଡି ମିଲର୍ସ ଯୋଗାଣ ବିଭାଗ ମଧୁଚନ୍ଦ୍ରିକା, ଷ୍ଟାଣ୍ଡାର୍ଡ ୱେଟ ନାମରେ ଚାଷୀଙ୍କୁ ଶୋଷଣ ଯୋଜନା

ମିଲର୍ସ ଯୋଗାଣ ବିଭାଗ ମଧୁଚନ୍ଦ୍ରିକା, ଷ୍ଟାଣ୍ଡାର୍ଡ ୱେଟ ନାମରେ ଚାଷୀଙ୍କୁ ଶୋଷଣ ଯୋଜନା

284

କଳାହାଣ୍ଡି – ତା.୩୦.୧୨.୨୦୧୯ (ଓଡିଆପୁଅ) ଚାଷୀଙ୍କ କଷ୍ଟୋପାର୍ଜିତ ଧାନର ଉଚିତ ମୂଳ୍ୟ ଯୋଗାଇ ଦେବାକୁ ସରକାର ନାନା ପ୍ରକାର ବ୍ୟବସ୍ଥା କରୁଥିବା ବେଳେ ଚାଷୀଙ୍କୁ ଶୋଷଣରୁ ରକ୍ଷା କରିପାରୁନଥିବା ଅଭିଯୋଗ ହେଉଛି । ବିଲମ୍ବିତ ମଣ୍ଡି, ସରକାରୀ ଅବ୍ୟବସ୍ଥା ସାଙ୍ଗକୁ ମଣ୍ଡିରେ ମିଲର୍ସ ରାଜ ଚାଷୀଙ୍କୁ ଶୋଷଣ କରିବାର ଖୋରାକ ଯୋଗାଇ ଦେଇଥାଏ । ମଣ୍ଡିରେ ଚାଷୀ ଶୀତ କାକରରେ ପଡିରହିବା ଅପେକ୍ଷା ଆଗାମୀ ରବି ଋତୁ ପାଇଁ ଚାଷ ବ୍ୟବସ୍ଥା କରିବା ଉଦେ୍ଦଶ୍ୟରେ ଶୀଘ୍ର କିପରି ଧାନ ବିକ୍ରୀ କରିଦେବ ସେହି ଚିନ୍ତା କରୁଥିବା ବେଳେ ମଣ୍ଡିରେ ମିଲର୍ସ ମାନେ ଏପରି ଟାଳଟୁଳ କରନ୍ତି ଯେ, ବିଚାରା ଚାଷୀ ବାଧ୍ୟ ହୋଇ କ୍ୱିଂଟାଲ ପଡିଛା ପାଂଚ ରୁ ଦଶ କେଜି ଅଧିକ ଧାନ ଦେଇଦେବାକୁ ବାଧ୍ୟ ହୋଇଯାଇଥାଏ । ଏହାବାଦ ଚାଷୀଙ୍କ ଅଜାଣତରେ ମଧ୍ୟ କୌଶଳ କରି ଅନେକ ଧାନ ନିଆଯାଇଥାଏ । ବିଶେଷ କରି ଧାନ ଓଜନ ସମୟରେ ବସ୍ତା ନାମରେ ପ୍ରତି ବସ୍ତା ପିଛା ୫ଶହ ରୁ ୭ଶହ ଗ୍ରାମ ଅଧିକ ଧାନ ନିଆଯାଉଥିବା ବେଳେ ଶହେ କ୍ୱିଂଟାଲ ଧାନ ବିକୁଥିବା ଚାଷୀ ଠାରୁ ୫୦ କେଜି ଧାନ ଅଧିକ ନିଆଯାଉଥିବା ଜଣାପଡିଛି । ଚଳିତ ବର୍ଷ ଷ୍ଟାଣ୍ଡାର୍ଡ ୱେଟ ନାମରେ ଚାଷୀ ଏହି କ୍ରମରେ ଆହୁରୀ ଅଧିକ କ୍ଷତି ସହିବାକୁ ବାଧ୍ୟ ହେବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଆଗରୁ ପ୍ରତି ବସ୍ତା ସହିତ ୪୬ କେଜି ୨୫୦ ଗ୍ରାମ ଧାନ ଓଜନ ନେଇ ୪୫ କେଜି ଧାନ ହିସାବ କରୁଥିବା ବେଳେ ୫୦ କ୍ୱିଂଟାଲ ଧାନ ପାଇଁ ୧୧୧ଟି ବସ୍ତା ବ୍ୟବହାର କରାଯାଉଥିଲା । ସେହି କ୍ରମରେ ଚାଷୀଙ୍କ ଠାରୁ ପ୍ରତି ବସ୍ତା ର ଓଜନ ୬୦୦ ଗ୍ରାମ ବାଦ ଦେଲେ ମୋଟ ୬୭ କେଜି ବାଦ ଦେଇ ବଳକା ୫୦ କ୍ୱିଂଟାଲ ୬୫ କେଜି ଧାନ ହେବା କଥା କିନ୍ତୁ ମଣ୍ଡିରେ ତାହା ୫୦ କ୍ୱିଂଟାଲ ଧାନ ହିଁ ହିସାବ କରାଯାଇଥାଏ । ଫଳତଃ ପ୍ରତି ୫୦ କ୍ୱିଂଟାଲ ଧାନରେ ଚାଷୀର ପ୍ରାୟ ୬୫ କେଜି ଧାନ ଚାଷୀର ଅଜାଣତରେ ବାଟ ମାରଣା ହୋଇଥାଏ । ଏଥି ସହିତ କଟନି କରାଯାଉଥିବା ଧାନ ର ହିସାବ ହିଁ ନାହିଁ ।

ଚଳିତ ବର୍ଷ ଚାଷୀଙ୍କୁ ଅଭିନବ ଉପାୟରେ ଶୋଷଣ କରାଯିବାର ବ୍ୟବସ୍ଥା କରାଯାଇଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ପ୍ରତି ବସ୍ତାରେ ପୂର୍ବର ୪୫ କେଜି ବଦଳରେ ଚଳିତ ବର୍ଷ ଠାରୁ ୪୦ କେଜି ଧାନ ହିଁ ଓଜନ କରାଯିବ । ସେହି କ୍ରମରେ ୪୦ କେଜି ଧାନ ପାଇଁ ପ୍ରତି ବସ୍ତାରେ ବସ୍ତାର ଓଜନ ସହିତ ୪୧ କେଜି ୨୫୦ ଗ୍ରାମ ଧାନ ଓଜନ କରାଯାଉଥିବା ଜଣାପଡିଛି । ସେହି କ୍ରମରେ ୫୦ କ୍ୱିଂଟାଲ ଧାନ ପାଇଁ ୧୨୫ ଟି ବସ୍ତା ବ୍ୟବହାର କରାଯାଉଛି । ଯାହାଫଳରେ ଚାଷୀଙ୍କ ଠାରୁ ୫୧ କ୍ୱିଂଟାଲ ୫୬ କେଜି ଧାନ ନିଆଯାଉଥିବା ବେଳେ ବସ୍ତାର ଓଜନ ୭୫ କେଜି ବାଦ ଦେଇ ବଳକା ୮୦ କେଜି ଧାନ ଚାଷୀର ଅଜାଣତରେ ନିଆଯାଉଥିବା ଦେଖାଯାଉଛି । ଏହିକ୍ରମରେ ପୂର୍ବରୁ ପ୍ରତି ୧୦୦ କ୍ୱିଂଟାଲ ପିଛାଚାଷୀ ୧କ୍ୱିଂଟାଲ ୩୦ କେଜି କ୍ଷତି ସହୁଥିବା ବେଳେ ଚଳିତ ଖରିଫ ଋତୁଠାରୁ ଷ୍ଟାଣ୍ଡାର୍ଡ ୱେଟ ନାମରେ ଅଧିକ ବସ୍ତା ବ୍ୟବହାର କରାଯାଇ ପ୍ରତି ୧୦୦ କ୍ୱିଂଟାଲ ଧାନ ବିକ୍ରି ସମରେ ଅଜାଣତରେ ୧ କ୍ୱିଂଟାଲ ୬୦ କେଜି ଧାନ କ୍ଷତି ସହିବାକୁ ବାଧ୍ୟ ହେଉଛି । ଏଥି ସହିତ ଅଧିକାଂଶ ସମୟରେ ଧାନ ଓଜନ କରିବା ସମୟରେ ମଧ୍ୟ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଥିବା ପ୍ରକାଶ । ଅନ୍ୟ ପକ୍ଷରେ ଜଣେ ଚାଷୀର ୧୦୦ କ୍ୱିଂଟାଲ ଧାନ ପାଇଁ ଅନୁ୍ୟନ ୫ କେଜି କଟନି ହିସାବ କରାଯାଇ ୯୫ କ୍ୱିଂଟାଲ ଧାନ ହେଉଥିବା କୁହାଯାଇଥାଏ । ଏହିକ୍ରମରେ ଓଜନରେ ଚାଷୀର ଅଜାଣତରେ ଯାଇଥିବା ୧କ୍ୱିଂଟାଲ ୬୦ କେଜି ସାଙ୍ଗକୁ ୫ କ୍ୱିଂଟାଲ ମିଶାଇ ୬କ୍ୱିଂଟାଲ ୬୦କେଜି ଧାନ କ୍ଷତି ସହିବାକୁ ପଡୁଛି । ଅଧିକାଂଶ ସ୍ଥଳେ ନୀରିହ ସରଲ ଚାଷିଙ୍କୁ କଟନି ହିସାବରେ ମଧ୍ୟ ଠକୁଥିବା ଅଭିଯୋଗ ହେଉଛି । ଜଣେ ଚାଷୀ ବସ୍ତା ଇତ୍ୟାଦି ଓଜନ ବାଦ ଦେଇ ୧୦୦ କ୍ୱିଂଟାଲ ଧାନ ଓଜନ କରିବା ପରେ ୫କେଜି କଟନି ହିସାବରେ ସିଧା ସଳଖ ୫କ୍ୱିଂଟାଲ କଟନି କରିଦେଇ ୯୫ କ୍ୱିଂଟାଲ ହିସାବ କରିଦିଆଯାଉଥିବା ଜଣାପଡିଛି ପ୍ର୍ରକୃତପକ୍ଷେ ଚାଷି ଦେଉଥିବା ୯୫ କ୍ୱିଂଟାଲ ଧାନର ୫କେଜି କଟନି ହିସାବ ହେଲେ ୪କ୍ୱିଂଟାଲ ୭୫ କେଜି କଟନି ହେବା କଥା କିନ୍ତୁ ଏହି ହିସାବ କରି ଅଧରକ ୨୫ କେଜି କଟନି ନିଆଯାଉଥିବା ଦେଖାଯାଇଥାଏ । ଏହି କ୍ରମରେ କଟନିରେ ମଧ୍ୟ ହେରାଫେରୀ କରାଯାଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

ଯୋଗାଣ ବିଭାଗ ପଦାଧିକାରୀ ମାନଙ୍କ କହିବା ଅନୁଯାୟୀ ଧାନ ଓଜନ କରିବା ସମୟରେ ଏକ ଷ୍ଟାଣ୍ଡାର୍ଡ ୱେଟ ବ୍ୟବହାର କରାଯାଇଥାଏ । ପ୍ରତି ବସ୍ତାରେ ୪୫ କେଜି ଧାନ ଓଜନ କରାଗଲେ ପ୍ରତି କ୍ୱିଂଟାଲ ପାଇଁ ୨ଟି ବସ୍ତା ବ୍ୟବହାର କରାଯାଉଥିବା ବେଳେ ମିଲର୍ସମାନେ ଆଉ ଗୋଟିଏ ବସ୍ତା ର ମୂଲ୍ୟ ପାଇବାରୁ ବଂଚିତ ହେଉଥିବା ହେତୁ ଏଣିକି ପ୍ରତି ବସ୍ତାରେ ୩୭କେଜି ୫୦୦ ଗ୍ରାମ ଧାନ ଓଜନ କରାଯାଇ ପ୍ରତି କ୍ୱିଂଟାଲ ପାଇଁ ୩ଟି ବସ୍ତା ବ୍ୟବହାର କରାଯିବା ବ୍ୟବସ୍ଥା କରାଯାଇଛି । ଏହି କ୍ଷତ୍ରରେ କେବଳ ମିଲର୍ସ ହିଁ ଲାଭବାନ ହେବେ ସିନା ଚାଷୀ କ୍ଷତି ସହିବାକୁ ବାଧ୍ୟ ହେବ । ଚାଷୀଙ୍କୁ ଠିକ ଭାବରେ ଧାନ ବିକିବା ବ୍ୟବସ୍ଥା କରିବାର ଯୋଜନା ହେଉଥିଲେହେଁ ଲାଭଖୋର ମିଲର୍ସମାନେ କୌଣସି ନା କୌଣସି ଉପାୟ ବାହାର କରି ଚାଷୀଙ୍କୁ ଶୋଷଣ କରୁଥିବା ଆଲୋଚନା ହେଉଛି । ବିଲମ୍ବିତ ମଣ୍ଡି ବ୍ୟବସ୍ଥା, ମଣ୍ଡିରେ ସ୍ଥାନୀୟ ମିଲର୍ସ ଟେଗିଂ , ଯୋଗାଣ ବିଭାଗର ନୀରବତା ହିଁ ଏଭଲି ଚାଷୀ ଶୋଷଣର ମୂଖ୍ୟ କାରଣ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଏସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଧର୍ମଗଡ ଏସିଏସଓ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ବସ୍ତା ସଂପର୍କରେ ଚାଷୀଙ୍କୁ ସଚେତନ କରାଯାଉଛି ଓ ପ୍ରତି ବସ୍ତାରେ ୩୭ କେଜି ୫୦୦ ଗ୍ରାମ ଧାନ ଓଜନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ତଥାପି ଅନେକ ମଣ୍ଡିରେ ଅଦ୍ୟାବଧି ୪୦ କେଜି ଓଜନ କରାଯିବା ବାହାନାରେ ଚାଷୀର ଅଜାଣତରେ ୪୨/୪୩ କେଜି ଧାନ ଓଜନ ହେଉଥିବାର ଦେଖାଯାଉଛି । ଯୋଗାଣ ବିଭାଗ ର ଭିଜିଲାନ୍ସ ସେଲ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.