Home Top News ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ; ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ; ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

52

ତାଳଚେର, ୧୫/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାତ୍ସୋବ ଓ ୧୮ତମ ଲୋକ ମହୋତ୍ସବ ଗୋପାଳ ପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଆଜିଠାରୁ ଆରମ୍ଭ ହୋଇଛି। ନବଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇ ମା ଅଗ୍ନିରୂପାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ମା’ଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ଭକ୍ତମାନଙ୍କ ଉପସ୍ଥିତିରେ ମା’ ଅଗ୍ନିରୂପାଙ୍କ ଆରାଧନା କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା। ତେଣୁ ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଉଭାସ୍ଥଳୀକୁ ଆଜି ପ୍ରତ୍ୟୁଷରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ଏହି ଅବସରରେ ଆଜି ସକାଳ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମା’ଙ୍କ ଉଭାସ୍ଥଳୀ ଓ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମା’ କରଡେଇ ପୀଠ ଏବଂ ଗୋପାଳ ପ୍ରସାଦ ସିଙ୍ଗଡା ଜୋର ପାଖରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମୁଣ୍ଡନ ବ୍ୟବସ୍ଥା କରାଯାଇଥଲା। ମାତ୍ର ଶାଳବଣିଆ ଛକଠାରୁ ଗୋପାଳ ପ୍ରସାଦ ସିଙ୍ଗଡା ବ୍ରିଜ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଛୋଟ ଶିଶୁମାନଙ୍କର କେଶ ମୁଣ୍ଡନ କରାଯାଉଥିବାର ଦେଖାଯାଇଥିଲା। ଆଜି ପ୍ରତ୍ୟୁଷରୁ ପାରମ୍ଫରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୀଠରେ ମଙ୍ଗଳ ଆଳତୀ, ବାଳ ଭୋଗ ଆଦି ନୀତି ସଂପନ୍ନ କରାଯାଇଥିଲା। ଅପରାହ୍ନରେ ମା’ଙ୍କ ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ ଦିଅଁ ଘରୁ ବଡ ମଣ୍ଡପକୁ ଅଣାଯାଇଥିଲା। ସେଠାରେ ମା ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ମୁଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଦେହୁରୀ ଓ ଟଙ୍କଧର ଦେହୁରୀ ପ୍ରମୁଖ ଶାବରୀ ମତରେ ପୂଜା କରିଥିଲେ। ଆଜି ପ୍ରଚଣ୍ଡ ରୌଦ୍ର ତାପ ସତ୍ୱେ ମା’ଙ୍କ ଦର୍ଶନ ପାଇଁ ଉଭୟ ଉଭାସ୍ଥଳୀରେ ଏବଂ ପୀଠରେ ଭକ୍ତଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ପ୍ରଚଣ୍ଡ ଗ୍ରୀଷ୍ମରୁ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ଉଭାସ୍ଥଳୀ ଓ ମନ୍ଦିର ଚତୁଃପାର୍ଶ୍ୱକୁ କପଡା ଦ୍ୱାରା ସିଲିଂ କରାଯାଇଥିଲା। ଭକ୍ତମାନେ ମା’ଙ୍କ ପୀଠରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଉଭାସ୍ଥଳୀରେ ସ୍ୱତନ୍ତ୍ର ବ୍ୟାରିକେଡ଼ରେ ପୁରୁଷ ଓ ମହିଳାମାନେ ମା’ଙ୍କୁ ଦର୍ଶନ କରିବା ସହ ଅଗ୍ନିରୂପୀଙ୍କୁ ନଡ଼ିଆ, କଦଳୀ, ଗୁଡ଼, ଘିଅ, ଝୋଟ, ସିନ୍ଦୁର, ଚୁଡ଼ି, ଛିଟ, ପୁଷ୍ପ ଆଦି ଭୋଗ ଅର୍ପଣ କରିଥିଲେ। ପୋଲିସ ବିଭାଗ ପକ୍ଷରୁ ଭିଡ଼କୁ ନିୟନ୍ତ୍ରଣ ତଥା ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ, ୧୦ ଜଣ ଡିଏସପି ଓ ବରିଷ୍ଠ ପୋଲିସ ଅଧିକାରୀ, ୪୦ଜଣ ଏସଆଇ ଓ ଏଏସଆଇ ସମେତ ହୋମଗାର୍ଡ଼, କନେଷ୍ଟବଳ, ଟ୍ରାଫିକ ପୋଲିସ, ୩ଟି ମୋବାଇଲ ପାଟ୍ରୋଲିଂ ଓ ୨ଟି ବାଇକ୍ ପାଟ୍ରୋଲିଂ ଗାଡ଼ି ମୁତୟନ କରାଯାଇଥିଲା। ଶ୍ରଦ୍ଧାଳୁମାନଙ୍କ ଭିଡ କମାଇବା ପାଇଁ ବିଭିନ୍ନ ଛକ ରାସ୍ତାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଦୁର୍ଘଟଣା ଏଡାଇବା ପାଇଁ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲା। ସେହିପରି ତାଳଚେର ଆଡୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ମା କରଡେଇ ପୀଠ ନିକଟସ୍ଥ ପଡିଆରେ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ଅପରପକ୍ଷରେ ତାଳଚେର ଓ କଣିହାଁ ବ୍ଲକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ, ଆଂଚଳିକ ଠିକା ମଜଦୁର ସଂଘ, ତାଳଚେର, ମହାନଦୀ କୋଲଫିଲ୍ଡସ୍ ଠିକାଦାର ସଂଘ, ମା ହିଙ୍ଗୁଳା ଅନ୍ନ ବସ୍ତ୍ର କମିଟି ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଅନ୍ନପ୍ରସାଦ ବିତରଣ କରାଯାଇଥିଲା। ତାହା ସହିତ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ, ଦହି, ସରବତ, ତରଭୁଜ ଆଦି ବଂଟନ କରାଯାଇଥିଲା। ଅଂଶୁଘାତର ମୁକାବିଲା କରିବା ପାଇଁ ଉଭାସ୍ଥଳୀରେ ଜଳ ଛିଂଚନ, ଅଂଶୁଘାତ ଚିକିତ୍ସା କେନ୍ଦ୍ର, ଆଶୁ ଚିକିତ୍ସା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ବିଶ୍ରାମ ଗୃହ ଆଦି ଖୋଲା ଯାଇଥିଲା। ମା’ଙ୍କ ଉଭାସ୍ଥଳୀରେ ହିଙ୍ଗୁଳା ସାଂସ୍କୃତିକ ମଂଚର ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ଭଜନ ପରିବେଷଣ କରାଯାଇଥିଲା। ଉଭୟ ମନ୍ଦିର ଓ ଉଭାସ୍ଥଳୀରେ ସିସିଟିଭି କ୍ୟାମେରା ଲଗାଯାଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୨୪ ଘଣି୍ଟଆ ନିରୀକ୍ଷଣ କରାଯାଇଥିଲା। ଶ୍ରଦ୍ଧାଳୁମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ଉଭୟ ଉଭାସ୍ଥଳ ଓ ମନ୍ଦିର ପରିସରରେ ସୂଚନା କେନ୍ଦ୍ର ଖୋଲା ଯାଇଥିଲା। କେତେକ ମହିଳା ଶ୍ରଦ୍ଧାଳୁ ମା’ଙ୍କ ନିମନ୍ତେ ବ୍ରତ ପାଳନ କରି ମନ୍ଦିର ପରିସରରେ ପୂଜାର୍ଚ୍ଚନା କରିଥିଲେ। ଏହି ଯାତ୍ରାର ସିଧା ପ୍ରସାରଣ ସ୍ଥାନୀୟ ତାଳଚେର ଟିଭି (ଟିଟିଭି)ରେ କରାଯାଉଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଲୋକ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଭାବାନ କଳାକାର ଯୋଗ ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ପରିସରରେ ଥିବା ପଡିଆରେ ପ୍ରାୟ ତିନି ଶହ ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ସେଥିରେ ଭଳିକି ଭଳି ଖାଦ୍ୟ, ଫାଷ୍ଟ ଫୁଡ, ମନୋହରୀ ସାମଗ୍ରୀ, ଖେଳନା, ଘର କରଣା ସାମଗ୍ରୀ ତଥା କାଠ ତିଆରି ଘରୋଇ ଉପକରଣ ଆଦି ବିକ୍ରୀ ହେଉଛି। ମା’ ଙ୍କ ଏହି ନବଦିନ ବ୍ୟାପି ଯାତ୍ରା ଚଳିତ ମାସ ୨୩ ତାରିଖ ଦିନ ଶିତୁଳା ଯାତ୍ରା ସହ ସମାପନ ହେବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.