Home ଜିଲ୍ଲା ପରିକ୍ରମା ମା’ ସ୍ୱପ୍ନେଶରୀ ସନ୍ତୋଷୀ ମାତାଙ୍କ ମନ୍ଦିର ପ୍ରତିଷ୍ଠା ଆସନ୍ତା ୯ ରେ, କରୋନା କଟକଣା ମଧ୍ୟରେ...

ମା’ ସ୍ୱପ୍ନେଶରୀ ସନ୍ତୋଷୀ ମାତାଙ୍କ ମନ୍ଦିର ପ୍ରତିଷ୍ଠା ଆସନ୍ତା ୯ ରେ, କରୋନା କଟକଣା ମଧ୍ୟରେ ପାଳିତ ହେବ ୪ ଦିନ ବ୍ୟାପୀ ଉତ୍ସବ

93

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଥାରେ ଅଛି, ଭକ୍ତି ଥିଲେ ଭଗବାନ ଦେଖା ଦିଅନ୍ତି । ଏହିଭଳି ଏକ ଭକ୍ତିମୟ ପ୍ରସଙ୍ଗରୁ ସ୍ୱପ୍ନରେ ମା’ ସନ୍ତୋଷୀଙ୍କ ଆଗମନ ଓ ପୂଜା ପାଇବାର ପୀଠସ୍ଥଳିକୁ ମା’ ନିଜେ ଚିହ୍ନାଇଦେବା ଭଳି ଘଟଣାରୁ କିଭଳି ଯେ ଏକ କାରୁକାର୍ଯ୍ୟମୟ ସୁଦୃଶ୍ୟ ଦେବୀ ମନ୍ଦିର ପ୍ରତିଷ୍ଠା ହୋଇପାରେ, ତାହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି ଏହି ଜିଲାର କଲେଇ ପଂଚାୟତ ଚୁନିଦା ସ୍ଥିତ ମା’ କ୍ଷେତ୍ରବାସିନୀଙ୍କ ପୀଠରେ । ଘଟଣାର ପ୍ରାସଙ୍ଗିକତାକୁ ବୁଝିବାକୁ ହେଲେ ଆମକୁ ଯିବାକୁ ପଡିବ ଏହି ଅଂଚଳକୁ । ଏବଂ ୨୦୧୫ ମସିହା ଅକ୍ଷିତୃତୀୟା ଠାରୁ ଏଯାବତ୍ ନିର୍ମାଣ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବା ମା’ ସ୍ୱପ୍ନେଶରୀଙ୍କ ମନ୍ଦିର ପ୍ରତିଷ୍ଠାର ଇତିବୃତ୍ତ ଜାଣିବାକୁ ହେବ । ହିନ୍ଦୁ ଧର୍ମର ଦେବୀ ମହାତ୍ମ୍ୟ କହେ ସନ୍ତୋଷୀ ମା’ ପ୍ରକୃତରେ ବନଦୁର୍ଗାଙ୍କ ଏକ ଅବତାର । ଦିନ ଥିଲା ମା’ଙ୍କ ଅଲୌକିକ ଘଟଣାବଳୀ ଏଭଳି ଚରମ ସୀମାରେ ପହଞ୍ôଚଥିଲା ଯେ ଦେବୀଙ୍କୁ ନେଇ ବହୁ ଯାତ୍ରା, ସିନେମା ତାଙ୍କର ଜୟଗାନ କରିଥିଲା । ଏବେବି ଆମ ଭାରତ ବର୍ଷର ମା’ ଙ୍କର ବହୁ ମନ୍ଦିରର ପ୍ରତିଷ୍ଠା ହୋଇଥିଲେ ବି ଚୁନିଦା ସ୍ଥିତ କ୍ଷେତ୍ରବାସିନୀ ପୀଠରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ମନ୍ଦିରର କାରୁ କାର୍ଯ୍ୟ ବେଶ୍ ଉଚ୍ଚରେ । ଶତାଧିକ ଶିଳ୍ପୀଙ୍କ ଦ୍ୱାରା ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ମନ୍ଦିରର ଉଚ୍ଚତା ୧୧ ଫୁଟ୍ ଓ ପରିସୀମା ୬୦ ଫୁଟ୍‌ର ୪୦ ଫୁଟ୍ ରହିଥିବାବେଳେ ଏହାର ଖୋଦେଇ କାରୁକାର୍ଯ୍ୟ ଲୋକଙ୍କ ମନରେ ବେଶ୍ ଭକ୍ତିଭାବନା ଆଣିବ । ଏହି ମନ୍ଦିର ପ୍ରତିଷ୍ଠାକୁ ନେଇ ଯେଉଁ ରୋଚକ ସତକଥା ରହିଛି, ତାହା ଏହିଭଳି । ଚୁନିଦା ଗ୍ରାମର ବିଶିଷ୍ଟ ସମାଜସେବୀ ୰ ଦୁର୍ଯ୍ୟୋଧନ ବେହେରାଙ୍କର କନ୍ୟା ବାସନ୍ତୀଲତା ସ୍ଥାନୀୟ ଲାଙ୍ଗୁଡି ନିବାସୀ ପିତାମ୍ବର ପରିଡାଙ୍କୁ ବିବାହ କରି କଟକରେ ରୁହନ୍ତି । ପିଲାଦିନରୁ ବାସନ୍ତୀ ମା’ ସନ୍ତୋଷୀ ମାତାଙ୍କୁ ଭକ୍ତିଭାବନାର ସହ ପୂଜା କରିଆସୁଥିବାବେଳେ ବିବାହ ପରେ ହଠାତ୍ ସ୍ୱପ୍ନ ଦେଖିଲେ ଯେ ମା’ ତାଙ୍କର ଏକ ମନ୍ଦିର ପ୍ରତିଷ୍ଠା ପାଇଁ ଆଦେଶ ଦେଉଛନ୍ତି । ଏହାପରେ ସେ ମନ୍ଦିର ପ୍ରତିଷ୍ଠାର ସ୍ଥାନ ନିରୂପଣ ପାଇଁ ବହୁ ସ୍ଥାନ ଭ୍ରମଣ କରିବା ସମୟରେ ପୁନର୍ବାର ମା’ ତାଙ୍କ ପୁତ୍ରଙ୍କୁ ସ୍ୱପ୍ନାଦେଶ ମାଧ୍ୟମରେ ଏକ ନଦୀପାଶ୍ୱର୍ ଦେବୀପୀଠର ସୂଚନା ଦେଇଥିଲେ । ଯାହା ଚିହ୍ନଟ କରିବା ପାଇଁ ବାସନ୍ତୀ ବହୁ ସ୍ଥାନ ବୁଲିବା ମଧ୍ୟରେ ନିଜ ଗ୍ରାମକୁ ଆସି କପାଳୀ ନଦୀର ତଟରେ ପୂଜା ପାଉଥିବା ମା’ କ୍ଷେତ୍ରବାସିନୀଙ୍କ ପୀଠ ସ୍ୱପ୍ନାଦେଶର ସୁନିର୍ବାଚିତ ସ୍ଥାନ ବୋଲି ହୃଦୟଙ୍ଗମ କରିଥିଲେ । ଏହାପରେ ମନ୍ଦିର ନିର୍ମାଣର କାର୍ଯ୍ୟ ଆରମ୍ଭ ହୋଇ ଶେଷପର୍ଯ୍ୟାୟରେ ପହଞ୍ôଚଛି ।

ମା’ ସନ୍ତୋଷୀ ତାଙ୍କୁ ସ୍ୱପ୍ନାଦେଶ ଜରିଆରେ ପୂଜା ପାଇବାକୁ ଯାଉଥିବାରୁ ଏହି ଦେବୀ ମନ୍ଦିରର ନାମ ମା’ ସ୍ୱପ୍ନେଶରୀ ସନ୍ତୋଷୀ ରହିଛି । ଏହି ମନ୍ଦିରର ସମ୍ମୁଖ ଭାଗରେ ବିରାଟ ସିଂହ ନିର୍ମାଣ ହୋଇଥିବାବେଳେ ଚତୁଃପାଶ୍ୱର୍ରେ ବହୁ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାନ ପାଇଛି । ଏହାର ଗମ୍ଭୁଜ, ଗର୍ଭଗୃହର ସୂକ୍ଷ୍ମ କାରୁକାର୍ଯ୍ୟ ବେଶ୍ ଚିତ୍ତାକର୍ଷକ । ଏହି ପୀଠରେ ମା’ କ୍ଷେତ୍ରବାସିନୀଙ୍କ ବହୁ ପର୍ବ ପାଳିତ ହୋଇଆସୁଥିବାବେଳେ ମକର ପର୍ବର ସ୍ୱତନ୍ତ୍ରତା ରହିଛି । ଆସନ୍ତା ୮ ତାରିଖ ମଙ୍ଗଳବାର ଦିନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଅଙ୍କୁରାରୋପଣ, ୯ ତାରିଖ ଦିନ ସୂର୍ଯ୍ୟପୂଜା, କଳସ ଯାତ୍ରା, ବିଗ୍ରହ ପ୍ରତିଷ୍ଠା ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ୧୦ ତାରିଖ ଗୁରୁବାର ଦିନ ମଣ୍ଡଳ ପୂଜା, ଗୀତାଯଜ୍ଞ, ନାମଯଜ୍ଞ, ଆହୂତି ପ୍ରଦାନ ଏବଂ ଶେଷ ଦିବସ ୧୧ ତାରିଖ ଶୁକ୍ରବାର ଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଜ୍ଞ ପଣ୍ଡିତ, ବ୍ରାହ୍ମଣ ଓ ବେଦ ବିଜ୍ଞାନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ମନ୍ଦିର ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଂଚଳବାସୀ ବେଶ୍ ଉତ୍ସାହିତ ହୋଇପଡିଥିବାବେଳେ ଏହା କେବଳ ଏହି ଜିଲା ନୁହେଁ ସମଗ୍ର ଓଡ଼ିଶାରେ ଏକ ଶ୍ରେଷ୍ଠ ଦେବୀପୀଠର ମାନ୍ୟତା ପାଇବାକୁ ଯାଉଥିବାରୁ କୋଭିଡ୍ କଟକଣା ମଧ୍ୟରେ ସମସ୍ତେ ଅଂଶଗ୍ରହଣ କରି ଦେବୀକୃପା ଲାଭ କରିବାକୁ ବାସନ୍ତୀଲତାଙ୍କ ଭାଇ ତଥା ଯୁବ ସମାଜସେବୀ କୃଷ୍ଣଚନ୍ଦ୍ର ବେହେରା ଓ ପୁତ୍ର ଶୁଭଜିତ୍ ପରିଡା ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.