Home ଜିଲ୍ଲା ପରିକ୍ରମା ମାଷ୍ଟର ଟ୍ରେନର ଓ ସେକ୍ଟର ଅଫିସର ମାନଙ୍କ ପାଇଁ ନିର୍ବାଚନୀ ତାଲିମ୍

ମାଷ୍ଟର ଟ୍ରେନର ଓ ସେକ୍ଟର ଅଫିସର ମାନଙ୍କ ପାଇଁ ନିର୍ବାଚନୀ ତାଲିମ୍

11

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ଅବସରରେ ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ନିୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଓ ନିର୍ବାଚନ ମଣ୍ଡଳୀ ସ୍ତରୀୟ ମାଷ୍ଟର ଟ୍ରେନର ଓ ସେକ୍ଟର ଅଫିସର ମାନଙ୍କ ପାଇଁ ଏକ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶହୀଦ ସ୍ମୃତି ଭବନ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଭାବେ ଡି.ଟି.ଇ.ଟି ର ଯୁଗ୍ମ ନିର୍ଦ୍ଦେଶିକା ସଂଜିବିତା ରାୟ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ଗଡ଼ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ପ୍ରଶିକ୍ଷାର୍ଥୀ ସମସ୍ତ ମାଷ୍ଟର ଟ୍ରେନର ଓ ସେକ୍ଟର ଅଫିସରମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ନିର୍ବାଚନ ଆୟୋଗ ତରଫରୁ ଆଗାମୀ ସାଧାରଣ ନିର୍ବାଚନରେ ଶୂନ ପୁନଃମତଦାନ ଉପରେ ପ୍ରାଧାନ୍ୟ ଦିଆଯାଉଥିବାରୁ ଏ ନେଇ ନିଶ୍ଚିତତା ପ୍ରତିପାଦନ ଦିଗରେ ଯତ୍ନବାନ୍ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ଏହି କର୍ମଶାଳାରେ ପ୍ରଶିକ୍ଷାର୍ଥୀ ଭାବେ ଉପସ୍ଥିତ ସମସ୍ତ ମାଷ୍ଟରଟ୍ରେନର, ସେକ୍ଟର ଅଫିସର, ବି.ଡ଼ି..ଓ. ତହସିଲଦାର ଆଦି ସମସ୍ତେ ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଠିକ୍ ଭାବେ ସବୁ ଜାଣିଲେ ପ୍ରିଜାଇଡ଼ିଂ ଏବଂ ପୋଲିଂ ଅଧିକାରୀ ମାନଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରିପାରିବେ ବୋଲି ସେ କହିଥିଲେ । ଭୁବନେଶ୍ୱରରୁ ଆସିଥିବା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶ୍ରୀମତୀ ରାୟ ନିର୍ବାଚନୀ କାର୍ଯ୍ୟ ପରିଚାଳନାରେ ପ୍ରାର୍ଥୀପତ୍ର ଦାଖଲ ଠାରୁ ଆରମ୍ଭ କରି ଫଳାଫଳ ଘୋଷଣା ଓ ଇଲେକ୍‌ସନ ସାର୍ଟିଫିକେଟ୍ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ବିଷୟକୁ ଫୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ବିଶେଷକରି ପୋଲିଂ ପାର୍ଟି ଗଠନ, ମତଦାନ କେନ୍ଦ୍ରରେ ମତଦାନ କାର୍ଯ୍ୟ ପରିଚାଳନା, ଇଭିଏମ୍ ର ପରିଚାଳନା, ଆବଶ୍ୟକ ସମସ୍ତ ପ୍ରକାର ଫର୍ମର ଉପଯୋଗ ତରିକା, ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ ବ୍ୟବସ୍ଥା, ଡାକ ଭୋଟ ପ୍ରକ୍ରିୟା, ପୋଲିଂ ଏଜେଣ୍ଟ ବ୍ୟବସ୍ଥା ଓ ପରିଚାଳନା, ପୋଲିଂ ପାର୍ଟିରେ ଥିବା ପ୍ରିଜାଇଡ଼ିଂ ଓ ଅନ୍ୟ ୫ ଜଣ ପୋଲିଂ ଅଧିକାରୀ ମାନଙ୍କର କାର୍ଯ୍ୟ ଓ ଦାୟିତ୍ୱ, ମକ୍‌ପୋଲ ପ୍ରଣାଳୀ, ଇ.ଭି.ଏମ୍‌. ରେ ତ୍ରୁଟି ଦେଖାଦେଲେ କି ବ୍ୟାଟେରୀରୁ ଚାର୍ଜ କମିଗଲେ ବଦଳ କରାଯିବା ପ୍ରକ୍ରିୟା, ଡିସ୍‌ବର୍ସାଲ ସେଣ୍ଟର ପରିଚାଳନା ଆଦି ନିର୍ବାଚନୀ ପରିଚାଳନା କାର୍ଯ୍ୟ ସମ୍ପର୍କିତ ବିଭିନ୍ନ ବିଷୟରେ ପ୍ରଶ୍ନୋତ୍ତର ଜରିଆରେ ସେ ତାଲିମ୍ ପ୍ରଦାନ କରିଥିଲେ । ଇଭିଏମ୍‌. ର କଣ୍ଟ୍ରୋଲ ୟୁନିଟ୍‌, ବ୍ୟାଲଟ ୟୁନିଟ୍ ଓ ଭିଭିପାଟ ର କାର୍ଯ୍ୟକାରୀତା ନେଇ ପ୍ରତ୍ୟକ୍ଷ ଭାବେ ପ୍ରଦର୍ଶନ କରାଇ ବୁଝାଇଥିଲେ । ଏଥର ନିର୍ବାଚନ ପରିଚାଳନାରେ ନୂତନ ଭାବେ ପ୍ରଚଳିତ ହେବାକୁ ଥିବା ବିଧି ବିଧାନ ବିଷୟରେ ମଧ୍ୟ ସେ କହିଥିଲେ । ସୂଚନା ଯୋଗ୍ୟ କି ଆଗରୁ କେବଳ ପ୍ରିଜାଇଡ଼ିଂ ଅଫିସର ଏବଂ ପ୍ରଥମ ପୋଲିଂ ଅଧିକାରୀ ତାଲିମ୍ ନେଉଥିଲେ କିନ୍ତୁ ଏଥର ସମସ୍ତ ୫ ଜଣ ଯାକ ପୋଲିଂ ଅଧିକାରୀ ତାଲିମ୍ ନେବେ । ବ୍ୟାଟେରୀ ଚାର୍ଜ ସରିଗଲେ ଆଗଭଳି ଆଉ.ସି.ୟୁ. ବଦଳାଇବାକୁ ପଡ଼ିବ ନାହିଁ । କେବଳ ବ୍ୟାଟେରୀ ବଦଳାଯାଇ ପାରିବ । ବ୍ୟାଟେରୀରେ ଚାର୍ଜ କମିଲେ ପୂର୍ବରୁ ହାଇ କିମ୍ବା ଲୋ ପ୍ରର୍ଦର୍ଶିତ ହେଉଥିଲା ବେଳେ ଏଥର ଶତକଡ଼ା ହାରରେ ପ୍ରଦର୍ଶିତ ହେବ । ଡେପୁଟୀ କଲେକ୍ଟର ନିର୍ବାଚନ ସାଗରିକା ସାହୁ, ବିଭାଗୀୟ କର୍ମଚାରୀ ନବୀନ ଚନ୍ଦ୍ର ସେନାପତି, ଓ.ଏସ୍‌.ଡ଼ି ତାଜଉଦ୍ଦିନ୍‌, ଆବୁଫେଜ୍ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।.

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.