Home ଜିଲ୍ଲା ପରିକ୍ରମା ମାଳଦା ସମିତି; ଟାର୍ଗେଟ ଆସିଲା : ଧାନ କିଣାପାଇଁ ଦାୟିତ୍ୱ ହସ୍ତାନ୍ତର ନହେବା ହେଲା ବାଧକ

ମାଳଦା ସମିତି; ଟାର୍ଗେଟ ଆସିଲା : ଧାନ କିଣାପାଇଁ ଦାୟିତ୍ୱ ହସ୍ତାନ୍ତର ନହେବା ହେଲା ବାଧକ

25

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକର ମାଳଦା ସେବା ସମବାୟ ସମିତିର ନିଲମ୍ବିତ ସମ୍ପାଦକ ମଦନ ମୋହନ ସାହୁ ଭାରପ୍ରାପ୍ତ ସମ୍ପାଦକ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ ହେବାର ଛଅ ଦିନ ପରେ ବି ସମ୍ପୁର୍ଣ୍ଣ ଭାବେ ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ଧାନକ୍ରୟ ଆଜି କରାଯାଇ ପାରିନାହିଁ । ଏଥିପାଇଁ କୃଷକମାନଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଦୀର୍ଘ ଦିନର ଅପେକ୍ଷା ସହ ରାଜପଥ ଅବରୋଧ ପରେ ପ୍ରଶାସନ ପକ୍ଷରୁ ସୋମବାର ସମିତିକୁ ଧାନକ୍ରୟ ପାଇଁ ଟାର୍ଗେଟ ପ୍ରଦାନ କରାଯାଇଛି । ହେଲେ ନୂତନ ସମ୍ପାଦକ ତଥା ଧାନକ୍ରୟ ଅଧିକାରୀ ଧାନକ୍ରୟ ସମ୍ବନ୍ଧିତ ସମସ୍ତ କାଗଜପତ୍ର ବିଦାୟୀ ସମ୍ପାଦକ ଶ୍ରୀ ସାହୁଙ୍କ ଠାରୁ ପ୍ରାପ୍ତ ହୋଇନଥିବା ଜଣାଯାଇଛି । ଧାନକ୍ରୟ ସମ୍ପର୍କୀୟ ସମସ୍ତ କାଗଜପତ୍ର ସମିତିରେ ନଥିବା ଓ ଦଲାଲମାନେ ଏହାକୁ ନିଜ ହେପାଜତରେ ରଖିଥିବା କାରଣରୁ ଦାଇତ୍ୱ ହସ୍ତାନ୍ତର ହୋଇ ପାରିନଥିବା ଜଣାଯାଇଛି । ନିଲମ୍ବିତ ସମ୍ପାଦକ ଶ୍ରୀ ସାହୁ ମଧ୍ୟ ଆଦେଶ ମୁତାବକ ବାଲିପୋଖରୀ ସମିତିରେ ଯୋଗ ଦେଇନାହାନ୍ତି । ମଙ୍ଗଳବାର ବିଦାୟୀ ସମ୍ପାଦକ ଶ୍ରୀସାହୁ ସମିତି କାର୍ଯ୍ୟାଳୟକୁ ଆସି କାଗଜ ପ୍ରସ୍ତୁତ କରିପାରି ନାହାନ୍ତି । ଦାଇତ୍ୱ ହସ୍ତାନ୍ତର କେବେ ସମ୍ପୁର୍ଣ୍ଣ ହେବ ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ଦେଇ ନାହାନ୍ତି ଶ୍ରୀ ସାହୁ । ଫଳରେ ସମିତିରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ଅଭାବନୀୟ ପରିସ୍ଥିତିର ପ୍ରଶାସନିକ ପରିଚାଳନା ପାଇଁ ଉଦ୍ଦିଷ୍ଟ ଭଦ୍ରକ ଏ.ଆର.ସି.ଏସ. ଓ ସମିତିର ପ୍ରଶାସକ ଅଭିଳାଷ ରଣା ନୀରବଦ୍ରଷ୍ଟା ସାଜିଥିବାରୁ ସମିତିରେ ଦଲାଲରାଜ ଚରମ ସୀମାରେ ପହଞ୍ଚଛି । ଅନ୍ୟପକ୍ଷରେ ନୂତନ ସମ୍ପାଦକ ଶ୍ରୀ ଦାସଙ୍କୁ ସମିତିରେ ଯୋଗନଦେବା ପାଇଁ କେତେକ ଖଳପ୍ରକୃତିର ଲୋକ କହୁଥିବାରୁ ସେ ଯୋଗଦେବାକୁ ବିଳମ୍ବ କରୁଛନ୍ତି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ସମିତିର ଧାନକିଣା କମିଟିର ସରକାରୀ ସଦସ୍ୟ ତଥା ବ୍ଲକ ମାର୍କେଟିଂ ଇନିସପେକ୍ଟର ରେବତୀ ସିଂ ନାୟକ ସମିତିର ଅଚଳାବସ୍ଥା ଦୂର କରିବା ସମବାୟ ବିଭାଗର ଦାଇତ୍ୱ ବୋଲି ମତଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.