Home ଜିଲ୍ଲା ପରିକ୍ରମା ମା’ର ଦଶାହକ୍ରିୟା ଚାଲିଥିଲାବେଳେ ବାପାର ମୃତ୍ୟୁ, ଅନାଥ ହୋଇଗଲେ ଦୁଇ ପିଲା

ମା’ର ଦଶାହକ୍ରିୟା ଚାଲିଥିଲାବେଳେ ବାପାର ମୃତ୍ୟୁ, ଅନାଥ ହୋଇଗଲେ ଦୁଇ ପିଲା

52

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଆର ଦଶାହକ୍ରିୟା ଚାଲିଥିବାବେଳେ ବାପାର ହୋଇଛି ମୃତ୍ୟୁ। ଅନାଥ ହୋଇଗଲେ ଦୁଇପିଲା। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ୍ ଅଧୀନ ବଣିଆ ପଂଚାୟତ ପେଡାସାହିରେ। ମାଆଙ୍କ ମୃତ୍ୟୁର ୧୦ ଦିନରେ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଆଉ ଅନାଥ ହୋଇଯାଇଛନ୍ତି ଦୁଇ ପିଲା। ଉଭୟ ବାପା ଓ ମାଆ ୧୦ ଦିନ ବ୍ୟବଧାନରେ ଦୁନିଆରୁ ବିଦାୟ ନେଇଛନ୍ତି। ଗାଁ ଦାଣ୍ଡରେ କୋକେଇ ବନ୍ଧା ହୋଇଛି, ନରହରିଙ୍କୁ ମଶାଣିକୁ ନେବାବେଳେ ଗାଁରେ କାନ୍ଦ ବୋବାଳି ପଡିଛି। କିନ୍ତୁ ପଛରେ ରହିଯାଇଛି ଦୁଇ ପିଲା ୫ ବର୍ଷର ଝିଅ ପ୍ରଭାତୀ ଓ ୨ ବର୍ଷର ପୁଅ ପ୍ରେମ୍ ଏବେ ଅନାଥ ହୋଇଯାଇଛନ୍ତି। ଝିଅ ସିନା ବାପା ଓ ମାଆଙ୍କ ମୃତ୍ୟୁକୁ ଅନୁଭବ କରିପାରୁଛି, କିନ୍ତୁ ପୁଅ ଏବେ ମଧ୍ୟ କିଛି ଜାଣିପାରୁନାହିଁ। ସ୍ଥାନୀୟ ଲୋକେ କୁହନ୍ତି ଯେ ରୋଗ ପାଇଁ ପରିବାରର ବହୁ ଦୂରାବସ୍ଥା ଥିଲା। ଦୁଇ ଓଳି ଖାଇବା ମଧ୍ୟ ଯେମିତି ସ୍ୱପ୍ନ ହୋଇଯାଇଥିଲା। ଏବେ ଶୁଦ୍ଧିକ୍ରିୟା ପାଇଁ ଗ୍ରାମର ଲୋକେ ଏକାଠି ହୋଇ ଚାନ୍ଦା ସଂଗ୍ରହ କରିବେ। ସମସ୍ତଙ୍କ ସହଯୋଗରେ ଶୁଦ୍ଧିକ୍ରିୟା ହେବ। ଏମିତି ଦୁଃଖଦ ସମୟରେ ଦୁଇପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଦୁଇପିଲାଙ୍କ ପାଇଁ ସରକାରୀ ସହାୟତାକୁ ଅନେଇଛନ୍ତି ପାଖ ପଡୋଶୀ।

ପ୍ରଥମେ ନରହରି ଅସୁସ୍ଥ ହେବା ପରେ ତାଙ୍କ ପରିବାର ଢୋକେ ପିଇ ଦଣ୍ଡେ ଜୀଇଁବା ଭଳି ସ୍ଥିତିରେ ଥିଲେ। ସରକାରୀ ସହାୟତା କହିଲେ କେବଳ ରାସନକାର୍ଡ। ଆବାସ କିମ୍ବା ଅନ୍ୟ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ନାହାଁନ୍ତି ଏହି ପରିବାର। ଶଯ୍ୟାଶାୟୀ ନରହରିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖୁବ୍ ବିଗିଡି ଯାଇଥିଲା। ସାହିପଡିଶାର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ ମେଡିକାଲ ନେଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବା କହି ଡାକ୍ତର ଫେରାଇ ଦେଇଥିଲେ। ଏହି ଚିନ୍ତାରେ ରୋଗିଣା ସ୍ତ୍ରୀ ଇତିଶ୍ରୀ ରୋଗରେ ପଡିଥିଲେ। ସ୍ୱାମୀ ଡ୍ରାଇଭିଂ କରି ଯାହା ଟଙ୍କା ରୋଜଗାର କରୁଥିଲେ, ସେଥିରେ ଘର ଚାଲୁଥିଲା। ଝିଅ ଓ ପୁଅଙ୍କ ସହ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଯଥାସାଧ୍ୟ ଖର୍ଚ୍ଚ କରୁଥିଲେ। ଏହାମଧ୍ୟରେ ସେ ମଧ୍ୟ ରୋଗଗ୍ରସ୍ତ ହେଲେ। ପ୍ରଥମେ ନରହରି ମଧୁମେୟରେ ପୀଡିତ ହେଲେ, ପରେ ତାଙ୍କର ୨ଟି କିଡ୍‌ନୀ ଅଚଳ ହୋଇଗଲା। ସେ ସବୁଦିନ ପାଇଁ ଚିକିତ୍ସା ଅଭାବରୁ ଶଯ୍ୟାଶାୟୀ ହେଲେ। ପରିବାର ପାଖରେ ରୋଜଗାର ପାଇଁ ସମ୍ବଳ କିଛି ନାହିଁ। ଶେଷରେ ଅଗଷ୍ଟ ମାସ ୨୪ ତାରିଖରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଆଜି ଦଶାହକର୍ମ ପାଇଁ ସମସ୍ତେ ଘାଟରେ ଥିବାବେଳେ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ନରହରି ପେଡା ପେଶାରେ ଜଣେ ଡ୍ରାଇଭର। ପ୍ରାୟ ଦୁଇବର୍ଷ ତଳେ ସ୍ତ୍ରୀ ଇତିଶ୍ରୀ ମଧ୍ୟ ଟିବି ରୋଗରେ ଆକ୍ରାନ୍ତ ହେଲେ। କିନ୍ତୁ ବହୁ ଚିକିତ୍ସା ପରେ ଗତ ଅଗଷ୍ଟ ୨୪ ରେ ଇତିଶ୍ରୀଙ୍କର ମୃତ୍ୟୁ ହୋଇଥିଲା। ଆଜି ପରିବାର ଲୋକେ ଦଶାହକର୍ମ ପାଇଁ ଘାଟରେ ଥିବାବେଳେ ନରହରିଙ୍କର ମଧ୍ୟ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.