Home ଓଡ଼ିଶା ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରୟାସ ଅନୁଷ୍ଠାନକୁ ମୁଖ୍ୟ ଶାସନ ସଚିବଙ୍କ ଅଚାନକ ପରିଦର୍ଶନ, ସମସ୍ୟା ଓ...

ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରୟାସ ଅନୁଷ୍ଠାନକୁ ମୁଖ୍ୟ ଶାସନ ସଚିବଙ୍କ ଅଚାନକ ପରିଦର୍ଶନ, ସମସ୍ୟା ଓ ଖାଦ୍ୟର ମାନ ପରୀକ୍ଷା କଲେ

116

କେନ୍ଦୁଝର,ତା ୧୯ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ ଅବସରରେ ଚଳିତ ଡିସେମ୍ବର ୧୯ ତାରିଖ ଦିନ ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ବ୍ଲକ ଅଞ୍ଚଳର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ଅପରାହ୍ନ ପ୍ରାୟ ୨ଟା ୨୫ମି. ସମୟରେ ନରଣପୁରସ୍ଥିତ ସଦ୍ଭାବନା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ମାନସିକ ଅନଗ୍ରସର ଭିନ୍ନକ୍ଷମ ବିଦ୍ୟାଳୟ ‘ପ୍ରୟାସ’କୁ ଅଚାନକ ପରିଦର୍ଶନରେ ଯାଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳ ଆଶିଷ ଠାକରେଙ୍କ ସହିତ ସେଠାରେ ପହଞ୍ଚିବା ବେଳେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇ ସାରି ହାତ ଧୋଉଥିଲେ । ମାନସିକ ଅନଗ୍ରସର ପିଲାମାନଙ୍କ ସହ ମୁଖ୍ୟ ଶାସନ ସଚିବ ମିଶିବା ପରେ ଅନୁଷ୍ଠାନର ଶିକ୍ଷକ,ଶିକ୍ଷୟିତ୍ରୀ ଓ ତତ୍ୱାବଧାରକ ମାନଙ୍କୁ ପିଲାମାନେ କିପରି ରହୁଛନ୍ତି, କ’ଣ ଖାଉଛନ୍ତି, କିପରି ଯତ୍ନ ନିଆଯାଉଛି ତାହା ପଚାରି ବୁଝିଥିଲେ । ଏତଦବ୍ୟତୀତ ଅନୁଷ୍ଠାନର ଆନୁସଙ୍ଗିକ ଭିତିଭୂମି, କିପରି ପରିଚାଳନା କରାଯାଉଛି, ସେ ସମ୍ପର୍କରେ ପଚାରି ବୁଝିଥିଲେ । ଅନୁଷ୍ଠାନର କର୍ମକର୍ତ୍ତାମାନେ ସେମାନଙ୍କର ସମସ୍ୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରୁଥିବା ଧୂପକାଠିକୁ ମୁଖ୍ୟ ଶାସନ ସଚିବ ଦେଖିବା ସହ ପ୍ରଶଂସା କରିଥିଲେ । ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ଗହଣରେ କିଛି ସମୟ କାଟିବା ପରେ ସେଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇ ଖାଦ୍ୟର ସ୍ୱାଦ ଅତି ଉତ୍ତମ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଏତଦ୍ବ୍ୟତୀତ ଅଚାନକ ପରିଦର୍ଶନ ସତ୍ୱେ ଅନୁଷ୍ଠାନର ବାତାବରଣ ଓ ପରିବେଶ ଅତି ଉତ୍ତମ ହୋଇଛି ବୋଲି କହିବା ସହ ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ନିକଟରେ ପାଇ ପିଲାମାନଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.