Home ଉପ ନିର୍ବାଚନ ମାନସଙ୍କ ପାଇଁ ଭୁବନେଶ୍ୱର ସାଂସଦ-କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର

ମାନସଙ୍କ ପାଇଁ ଭୁବନେଶ୍ୱର ସାଂସଦ-କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର

49

ବାଲେଶ୍ୱର, ୨୮ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଦ୍ୱିତୀୟଥର ପାଇଁ ବାଲେଶ୍ୱର ଆସି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ମିଶି ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ନିମନ୍ତେ ଆଜି ମାରାଥନ୍ ପ୍ରଚାର କରିଛନ୍ତି। ସକାଳେ ବାଲେଶ୍ୱର ସହରର ସିନେମାଛକ, ଷ୍ଟେସନଛକ, ଫକୀରମୋହନ ଗୋଲେଇ ପ୍ରଭୃତି ଅଞ୍ଚଳରେ ଥିବା ଚା’ଖଟି ଓ ଜଳଖିଆ ଦୋକାନରେ ଉପସ୍ଥିତ ଥିବା ସାଧାରଣ ଲୋକଙ୍କ ସମେତ ଦୋକାନୀଙ୍କ ସହ ସେ ଆଲୋଚନା କରିଛନ୍ତି। ବିଶେଷ କରି ପୌରପାଳିକାର ବିଫଳତା ଯୋଗୁଁ ରାସ୍ତାପାର୍ଶ୍ୱ ଉଠାଦୋକାନୀ ସାମ୍ନା କରୁଥିବା ସମସ୍ୟା ଓ ଅବ୍ୟବସ୍ଥିତ ଡ୍ରେନେଜ ସିଷ୍ଟମ ପାଇଁ ସୃଷ୍ଟି ହୋଇଥିବା ପୋତିଗନ୍ଧମୟ ପରିବେଶ ସମ୍ପର୍କରେ ମନ୍ତ୍ରୀ ଓ ସାଂସଦ ଲୋକମାନଙ୍କ ଆଲୋଚନା କରିଥିଲେ। ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା ଜନିତ ଅବହେଳା ଉଠାଦୋକାନୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଥିବା ସେମାନେ କହିଥିଲେ। ସହରକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସୁଥିବା ଶହ ଶହ କୋଟି ଟଙ୍କା କୁଆଡ଼େ ଗଲା, ତା’ର ହିସାବ ମାଗିବା ବେଳ ଏବେ ପହଞ୍ଚିଛି ବୋଲି ସେମାନେ ଲୋକଙ୍କୁ କହିଥିଲେ। ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏକ ଦୋକାନରେ ରୋଟି ସେକିଥିବା ଦେଖିବାକୁ ମିଳିଥିଲା। ପରେ ସାଂସଦ ଓ ମନ୍ତ୍ରୀ ସହଯୋଗୀ ତଥା ଦଳୀୟ କର୍ମୀଙ୍କ ସହ ସହରର ମିର୍ଜାପୋଖରୀ, ଗୋପାଳଗାଁ ପ୍ରଭୃତି ଅଞ୍ଚଳରେ ଡୋର କ୍ୟାମ୍ପେନିଂ କରିବା ସହ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଭୋଟଭିକ୍ଷା କରିଥିଲେ। ପରେ ସେମାନେ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାହାବଳପୁର ଓ ପଞ୍ଚୁପଡ଼ା ଅଞ୍ଚଳରେ ରୋଡ଼ ସୋ’ରେ ଯୋଗଦେବା ସହ ଏକାଧିକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ। ୨୧ ବର୍ଷର ଶାସନ କାଳରେ ଜନସାଧାରଣଙ୍କୁ ମୌଳିକ ସେବା ପ୍ରଦାନରେ ବିଫଳ ହୋଇ ରାଜ୍ୟ ସରକାର କେବଳ କର୍ମୀ ତୋଷଣକୁ ଗୁରୁତ୍ୱ ଦେଇ ଆସିଛି ବୋଲି ସେମାନେ ଅଭିଭାଷଣରେ ପ୍ରକାଶ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ପ୍ରଭୃତି କ୍ଷେତ୍ରରେ ବିଫଳ ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ହରିଲୁଟ୍ କରିଚାଲିଛି ବୋଲି ସେମାନେ ଆରୋପ ଉଠାଇଥିଲେ। ଶାସକଦଳର ମିଥ୍ୟା ପ୍ରତିଶ୍ରୁତିରେ ନ ଭୁଲି ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସଙ୍କୁ ଅଧିକ ଭୋଟରେ ଜିତାଇବାକୁ ମନ୍ତ୍ରୀ ଓ ସାଂସଦ ଜନସାଧାରଣଙ୍କୁ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.