Home ଓଡ଼ିଶା ମାନବାଧିକାର ସୁରକ୍ଷା ନାମରେ ଜାଲିଆତି ଅଭିଯୋଗ

ମାନବାଧିକାର ସୁରକ୍ଷା ନାମରେ ଜାଲିଆତି ଅଭିଯୋଗ

88

ଭଦ୍ରକ, ୧୫-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଭଦ୍ରକ ଜିଲ୍ଲାରେ ମାନବାଧିକାର ନାମରେ ଅନେକ ଜାଲିଆତି ସଂସ୍ଥା କାୟା ବିସ୍ତାର କରିଅଛନ୍ତି। ନିରୀହ ଓ ସାଧାରଣ ଲୋକଙ୍କୁ ଶୋଷଣ କରୁଛନ୍ତି ଠକ ସଂସ୍ଥା। କୌଣସି କ୍ଷେତ୍ରରେ ମାନବଅଧିକାର ଉଲ୍ଲଙ୍ଘନ ହେବା ଭଳି କାର୍ଯ୍ୟ ପରିଲକ୍ଷିତ ହେଲେ ଜାତୀୟ ମାନବଅଧିକାର କମିଶନ ଓ ରାଜ୍ୟ ମାନବ ଅଧିକାର କମିଶନର ସଂସ୍ଥା ତାହାର କ୍ଷେତ୍ରୀୟ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରନ୍ତି। କିନ୍ତୁ ଗ୍ରାମଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଘରକଳି ଠାରୁ ଆରମ୍ଭ କରି ଯୌତୁକ ନିର୍ଯାତନା, ଟଙ୍କାସୁଧ, ଚାକିରୀ ନିଯୁକ୍ତି ଦେବା, ଘରଭଙ୍ଗା ଟଙ୍କା ପାଇବା ଭଳି ଅନେକ ସମସ୍ୟାକୁ ମାନବାଧିକାର ସୁରକ୍ଷା ନାମରେ ସମାଧାନ କରିବାକୁ କହି ଅନେକ ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଥିବାର ଅଭିଯୋଗ ହେଉଛି। ପୁଲିସ ପ୍ରଶାସନ ଆଖିରେ ଧୂଳିଦେଇ ସାଧାରଣ ଲୋକଙ୍କୁ ସେମାନେ ଶୋଷଣ କରୁଛନ୍ତି। ଏପରିକି ଏହିଭଳି ଠକ ସଂସ୍ଥା ଦ୍ୱାରା ଶିକାର ହୋଇଥିବା କିଛି ଲୋକ ମଧ୍ୟ ଅଭିଯୋଗ କରିବାକୁ ଭୟ କରୁଛନ୍ତି। କାରଣ ପୁଲିସ୍ ସେମାନଙ୍କୁ ଭୟ କରନ୍ତି ବୋଲି ପ୍ରଚାର କରୁଛନ୍ତି। ଏବେ ମିଳିଥିବା ସୂଚନା ଅନୁଯାୟୀ ଦୁଇ ବର୍ଷ ତଳେ ସ୍ଥାନୀୟ ବନ୍ତଛକ ନିକଟରେ ଏହି ଧରଣର ଏକ ଠକ ସଂସ୍ଥା ଖୋଲାଯାଇଥିଲା। ଏହି ସଂସ୍ଥା ପକ୍ଷରୁ ଅଫିସ ଆଗରେ ବୋର୍ଡ଼ ଲଗା ଯାଇଥିବାବେଳେ ଆଦୌ ଅଫିସ ଖୋଲାଯାଏ ନାହିଁ। ଉକ୍ତ ଘରଭଡ଼ା ବାବଦକୁ ଏକ ମାମଲା ଭଦ୍ରକ ଟାଉନ ଥାନାରେ ତଦନ୍ତ ଚାଲିଛି। ସଂପୃକ୍ତ ସଂସ୍ଥା କାର୍ଯ୍ୟ ଉପରେ ସନ୍ଦେହ ପ୍ରକଟ କରି ସ୍ଥାନୀୟ ବୁଦ୍ଧିଜିବୀ ଜନସାଧାରଣଙ୍କ ପକ୍ଷରୁ ଏଥିନେଇ ରାଜ୍ୟମାନବ ଅଧିକାର କମିଶନ, ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଉକ୍ତ ସଂସ୍ଥା ଗୁଡ଼ିକ ଦୀର୍ଘ ବର୍ଷ ଧରି ଭଦ୍ରକ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ ସହାୟତା ଭଳି କେତେଗୁଡ଼ିଏ ପଦକ୍ଷେପ ନେଇଛନ୍ତି ତାହା ତଦନ୍ତ ସାପେକ୍ଷ୍ୟ। ଉକ୍ତ ସଂସ୍ଥାଗୁଡ଼ିକର ଜିଲ୍ଲାର ଓ ରାଜ୍ୟର ଥିବା ଅଫିସ୍ ଗୁଡ଼ିକର ଦିଆଯାଇଥିବା ଠିକଣା ଗୁଡ଼ିକୁ ଯାଂଚ କରାଯାଇ ଉକ୍ତ ସଂସ୍ଥାରେ ସଂପୃକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ବୁଦ୍ଧୀଜିବୀ ମହଲରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.